ନୂଆଦିଲ୍ଲୀ,୧୫/୦୭: ଭାରତୀୟ ରେଳ ତତ୍କାଳ ଟିକଟ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ। ଆଜିଠୁ ବୁକିଂ କରିବା ପାଇଁ ଆଇଆର୍‌ସିଟିସି ୱେବ୍‌ସାଇଟ୍‌  କିମ୍ବା ଆପ୍‌ରେ ଆଧାର ପ୍ରମାଣନ ଅନିବାର୍ଯ୍ୟ  ହେବ । ଏହାବ୍ୟତୀତ ଅନ୍‌ଲାଇନ୍‌ ତତ୍କାଳ  ଟିକଟ ବୁକିଂ ପାଇଁ ଆଧାର ନମ୍ବର ସହ  ଜଡ଼ିତ ଓଟିପି ମଧ୍ୟ ଆବଶ୍ୟକ ହେବ ।  ଟିକଟ ବୁକିଂରେ ପାରଦର୍ଶିତା ଆଣିବା ଏବଂ ଦଲାଲ୍‌ କିମ୍ବା ନକଲି ଏଜେଣ୍ଟ୍‌ମାନଙ୍କର  ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ୍‌  ଲଗାଇବା । 

ଅନେକ ସମୟରେ ଦେଖିବାକୁ ମିଳେ ଯେ, ତତ୍କାଳ ଟିକଟ ଆରମ୍ଭ ହେବାର କିଛି ମିନିଟ୍‌ ମଧ୍ୟରେ ବିକ୍ରି ହୋଇଯାଏ । କାରଣ ଦଲାଲ ଏବଂ ନକଲି ଏଜେଣ୍ଟମାନେ ସଫ୍ଟୱେର୍‌ କିମ୍ବା ବେଆଇନ ଉପାୟରେ ଟିକଟ ବୁକ୍‌ କରିଦିଅନ୍ତି । ଏହାଦ୍ୱାରା ସାଧାରଣ ଯାତ୍ରୀଙ୍କୁ ଟିକଟ ମିଳିବାରେ ସମସ୍ୟା ହୋଇଥାଏ ।  

ନୂଆ ନିୟମର ଉଦ୍ଦେଶ୍ୟ ହେଉଛି,  ଟିକଟ ବୁକିଂ ସୁଯୋଗ କେବଳ ପ୍ରକୃତ ଯାତ୍ରୀଙ୍କୁ ମିଳୁ । ଆଧାର ପ୍ରମାଣନ ଦ୍ୱାରା ଏହା ସୁନିଶ୍ଚିତ ହେବ ଯେ, ଟିକଟ ଉକ୍ତ ବ୍ୟକ୍ତି ବୁକ୍‌ କରୁଛନ୍ତି, ଯାହାଙ୍କ ଆଧାର ନମ୍ବର ପଞ୍ଜୀକୃତ ଅଛି । ପ୍ରଥମ ୩୦ ମିନିଟ୍‌ ଯାଏ ଏସି ଏବଂ ନନ୍‌-ଏସି ଉଭୟ ବର୍ଗ ପାଇଁ ଏଜେଣ୍ଟ୍‌ଙ୍କୁ ଟିକଟ ବୁକିଂ ଅନୁମତି  ମିଳିବ ନାହିଁ ।  ଯଦି ଜଣେ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ କିମ୍ବା ଆପ୍‌ରେ ତତ୍କାଳ ଟିକଟ  ବୁକ୍‌ କରୁଛନ୍ତି ତେବେ ତାଙ୍କୁ ପ୍ରଥମେ ନିଜର ଆଧାର ନମ୍ବରକୁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଲିଙ୍କ୍‌ କରିବାକୁ ପଡ଼ିବ ।  ଟିକଟ ବୁକ୍‌ କରିବାବେଳେ ଉକ୍ତ ୟୁଜରଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ  ଓଟିପି ଆସିବ । ଉକ୍ତ ଓଟିପି ଦେବା ପରେ ବୁକିଂ କନ୍‌ଫର୍ମ ହୋଇଯିବ । କାଉଣ୍ଟରରେ ବି ସମାନ ପ୍ରକ୍ରିୟା ଉପଲବ୍ଧ ହେବ, ଯେଉଁଠି ଆଧାର ନମ୍ବର ଦେବାକୁ ପଡ଼ିବ କିମ୍ବା ଓଟିପି ଲାଗିବ ।