ଭୁବନେଶ୍ୱର/ଚନ୍ଦକା,୨୧/୦୯: ଚନ୍ଦକାରୁ କ୍ୟାବ୍ ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ଼। ଏହି ଘଟଣା ପାଇଁ ଚାକିରି କେଳେଙ୍କାରୀ କଥା ସାମ୍ନାକୁ ଆସିଛି । କ୍ୟାବ୍ ଡ୍ରାଇଭର ବିଦ୍ୟାଧର ସାହୁଙ୍କ ହତ୍ୟା ରହସ୍ୟ ପଛରେ ଜଣେ ମାଡାମ୍‌ଙ୍କ ହାତ ଥିବା ସନ୍ଦେହ କରାଯାଉଛି । 

ଶନିବାର ରାଜଧାନୀରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ କରି ଅତି ନିର୍ମମ ଭାବେ ହତ୍ୟା  କରାଯାଇଥିଲା । ମୃତକ ହେଲେ ବଡ଼ଗଡ଼ କେନାଲ ରୋଡ୍‌ରେ ରହୁଥିବା ଖୋର୍ଦ୍ଧା ବାଣପୁର ଥାନା ଅଧୀନ ଅରାଙ୍ଗ ଗ୍ରାମର ବିଦ୍ୟାଧର ସାହୁ(୩୫)  । ବିଦ୍ୟାଧରଙ୍କ ମୃତଦେହ ଚନ୍ଦକା-ବାରଙ୍ଗ ରାସ୍ତାର ଦାରୁଠେଙ୍ଗ ନିକଟ ଜୁଝଗଡ଼ ରାସ୍ତା କଡ଼ ଜଙ୍ଗଲରୁ ମିଳିଥିଲା । ବିଦ୍ୟାଧରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ବେଳେ ବେକରେ ଏକ ଧଳା ଗାମୁଛାରେ  ଫାଶପଡ଼ି ଥିଲା । ତେଣୁ ବିଦ୍ୟାଧରଙ୍କୁ  ନିସ୍ତୁକ ମାଡ଼ ପରେ ଗାମୁଛାରେ ତଣ୍ଟି  ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । କନ୍‌ଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିବାର ଦୁଇ ଦିନ ପରେ ଜଣେ  ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ କରି  ହତ୍ୟା କରାଯିବା କମିଶନରେଟ୍‌  ପୁଲିସର ଚିନ୍ତା ବଢ଼ାଇ ଦେଇଛି ।  

ଘଟଣାସ୍ଥଳରେ ବଡ଼ଗଡ଼ ଏବଂ ଚନ୍ଦକା  ଦୁଇ ଥାନାର ପୁଲିସ ସାଇଣ୍ଟିଫିକ୍‌ ଟିମ୍‌  ସହ ତନାଘନା ଆରମ୍ଭ କରିଥିଲେ ।  ଏନେଇ ବଡ଼ଗଡ଼ ଥାନା ପୁଲିସ  ଅପହରଣ ଓ ହତ୍ୟା ମାମଲା ରୁଜୁକରି  ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ  ଚାକିରି ଠକେଇରୁ ଏହି ହତ୍ୟାକାଣ୍ଡ  ଘଟିଥିବା ପୁଲିସ ଜାଣିବାକୁ ପାଇଛି ।  ବିଦ୍ୟାଧରଙ୍କ କାରରୁ ଜବତ ହୋଇଥିବା କିଛି କାଗଜ ପତ୍ରରୁ ଏଭଳି ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ପଛରେ  ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ସନ୍ଦେହ  କରାଯାଉଛି । ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ବିଦ୍ୟାଧରଙ୍କ ପତ୍ନୀ ମାମିନା  ଖଟୁଆ ବଡ଼ଗଡ଼ ଥାନାରେ କରିଥିବା  ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ  ଓଲା, ଉବେରରେ ଡ୍ରାଇଭର ଭାବେ  କାମ କରନ୍ତି । ଗତ ୧୫ ତାରିଖ  ସକାଳ ୭ଟା ବେଳେ ସେ କାର୍‌(ଓଡି  ୦୨ସିସି-୪୨୩୭) ନେଇ ଘରୁ  ବାହାରି ଯାଇଥିଲେ । ମଧ୍ୟାହ୍ନରେ  ଖାଇବାକୁ ଘରକୁ ଆସି ନଥିଲେ ।  ତେଣୁ ସେ ବିଦ୍ୟାଧରଙ୍କୁ ଫୋନ୍‌  କରିଥିଲେ । ହେଲେ ବିଦ୍ୟାଧର ଫୋନ୍‌ ଉଠାଇ ନଥିଲେ ।

​​​​​​​ତେଣୁ ସେ ବାହାରକୁ ଭଡ଼ାରେ ପଳାଇଥିବା ସନ୍ଦେହ କରି ମାମିନା ଆଉ ଫୋନ୍‌ କରି ନଥିଲେ । ଦୁଇଦିନ ଧରି ସେ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ବିଦ୍ୟାଧର  ଫୋନ୍‌ ଉଠାଇ ନଥିଲେ । ବିଦ୍ୟାଧରଙ୍କ ସାଙ୍ଗସାଥୀମାନଙ୍କୁ  ମଧ୍ୟ ମାମିନା ଫୋନ୍‌ କରି ନିରାଶ ହୋଇଥିଲେ । ୧୮  ତାରିଖ ରାତି ସାଢ଼େ ୧୧ଟାରେ ବିଦ୍ୟାଧରଙ୍କ ମୋବାଇଲରୁ ମାମିନାଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା । ସେପଟରୁ ଜଣେ ବ୍ୟକ୍ତି କହିଥିଲେ, ତୁମ ସ୍ୱାମୀ ଆମ ପାଖରେ ଅଛି ।  ଆମକୁ ୨ କୋଟି ଟଙ୍କା ଦେଲେ ତୁମ ସ୍ୱାମୀଙ୍କୁ ଛାଡ଼ିବୁ  ବୋଲି ସେ ଧମକ ଦେଇଥିଲେ । ତେଣୁ ଭୟଭୀତ ହୋଇ ମାମିନା ଶୁକ୍ରବାର ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ  କରିଥିଲେ । ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ  ଆରମ୍ଭ କରିଥିଲା ।  

ସେପଟେ ବିଦ୍ୟାଧରଙ୍କ ସହକର୍ମୀମାନେ ମଧ୍ୟ ତାଙ୍କୁ  ଖୋଜାଖୋଜି କରୁଥିଲେ । ଶନିବାର ଅନ୍ୟ ଜଣେ କ୍ୟାବ୍‌ ଡ୍ରାଇଭର  ଚନ୍ଦକା-ବାରଙ୍ଗ ରାସ୍ତାର ଦାରୁଠେଙ୍ଗ ନିକଟରେ ବିଦ୍ୟାଧରଙ୍କ  କାର୍‌କୁ ଦେଖି ଆଖପାଖରେ ଖୋଜାଖୋଜି କରିଥିଲେ ।  କିଛି ଦୂରରେ ଜଙ୍ଗଲ ଭିତରେ ବିଦ୍ୟାଧରଙ୍କ ମୃତଦେହ  ପଡ଼ିଥିବା ଦେଖି ସେ ତାଙ୍କ ପରିବାର ଏବଂ ପିସିଆର ପୁଲିସକୁ  ଖବର ଦେଇଥିଲେ । ବିଦ୍ୟାଧରଙ୍କ ପରିବାର ଏବଂ ଚନ୍ଦକା  ଥାନା ପୁଲିସ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ମଧ୍ୟ ପହଞ୍ଚିଥିଲା ।  ସାଇଣ୍ଟିଫିକ୍‌ ଟିମ୍‌ ଡ଼କାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।  କାର୍‌ ଥୁଆ ହୋଇଥିବା ସ୍ଥାନରୁ କିଛିଦୂରରେ ବିବ୍ୟାଧରଙ୍କ  ମୃତଦେହ ପଡ଼ିଥିବା ବେଳେ କାର୍‌ଠାରୁ ମୃତଦେହ ପଡ଼ିଥିବା  ପର୍ଯ୍ୟନ୍ତ ଘୋଷଡ଼ା ଚିହ୍ନ ଥିଲା । ବେକରେ ଗାମୁଛା ଫାଶ  ପଡ଼ିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ  ଥିଲା । ନିକଟରେ ଏକ ମଦ ବୋତଲ ଓ ଗ୍ଲାସ୍‌ ପଡ଼ିଥିଲା । ଏକ ଛତା ମଧ୍ୟ ସେଠାରୁ ମିଳିଥିଲା । ବିଦ୍ୟାଧରଙ୍କୁ ନିସ୍ତୁକ ମାଡ଼ ମରାଯିବା ପରେ ତାଙ୍କ ବେକକୁ ଗାମୁଛାରେ ଚାପି ହତ୍ୟା କରାଯାଇଥିବା ପୁଲିସ ସ୍ପଷ୍ଟ ହୋଇଥିଲା । ହତ୍ୟା କରିବା  ପରେ ତାଙ୍କୁ ଘୋଷାଡ଼ି ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦିଆ  ଯାଇଥିଲା । ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି  ଥିବା ପୁଲିସ ଅନୁମାନ କରୁଛି । କାର୍‌ ଭିତରୁ ଏକ ବ୍ୟାଗ୍‌  ମିଳିଥିଲା । ସେଥିରୁ ଜଣେ ମହିଳାଙ୍କର କିଛି କାଗଜପତ୍ର  ଜବତ ହୋଇଥିଲା ।

ବିଦ୍ୟାଧରଙ୍କ ଭଉଣୀଙ୍କ କହିବା ଅନୁଯାୟୀ, ଖଣ୍ଡଗିରି  ଅଞ୍ଚଳର ଜଣେ ମାଡାମ୍‌ଙ୍କୁ ବିଦ୍ୟାଧର ସକାଳୁ ଭଡ଼ାରେ ନେଇ  ଯାଆନ୍ତି । ତାଙ୍କୁ ଅଫିସରେ ଛାଡ଼ିବା ପରେ ଅନ୍ୟ ଭଡ଼ାରେ  ଯାଇଥାନ୍ତି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଉକ୍ତ ମାଡାମ୍‌  ଏକ ପ୍ଲେସ୍‌ମେଣ୍ଟ ସଂସ୍ଥା କରିଥିଲେ । ଶତାଧିକ ଆଶାୟୀଙ୍କଠାରୁ  ଚାକିରି କରାଇ ଦେବାକୁ କହି ପ୍ଲେସ୍‌ମେଣ୍ଟ ସଂସ୍ଥା କୋଟି କୋଟି  ଟଙ୍କା ଆଦାୟ କରିଥିଲା । ବିଦ୍ୟାଧର ଓ ଅନ୍ୟଜଣେ ଯୁବକ ମିଶି  ଏହି ସଂସ୍ଥା ପାଇଁ ପିଲା ଯୋଗାଡ଼ କରିବା ସହ ଆଶାୟୀଙ୍କଠାରୁ  ଟଙ୍କା ଆଦାୟ କରି ମାଡ଼ାମଙ୍କୁ ଦେଉଥିଲେ । ଉକ୍ତ ଟଙ୍କାରୁ କିଛି  ବିଦ୍ୟାଧର ଆତ୍ମସାତ୍‌ କରିଥିବା ପୁଲିସ ଅନୁମାନ କରୁଛି ।  ଯେଉଁ କାରଣରୁ ତାଙ୍କୁ ପ୍ଲେସ୍‌ମେଣ୍ଟ ସଂସ୍ଥା ପକ୍ଷରୁ ଅପହରଣ  କରି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।

ଅନ୍ୟପକ୍ଷରେ ଚାକିରି ପାଇ ନ ଥିବା କିଛି ଆଶାୟୀ  ଟଙ୍କା ଫେରି ପାଇବା ପାଇଁ ବିଦ୍ୟାଧରଙ୍କୁ ବାରମ୍ବାର ଫୋନ୍‌  କରୁଥିବା ପରିବାର ଲୋକଙ୍କଠାରୁ ପୁଲିସ ଜାଣିବାକୁ ପାଇଛି ।  ହତ୍ୟାକାଣ୍ଡ ସ୍ଥଳରୁ ଜବତ କାର୍‌ରୁ ଉକ୍ତ ମାଡାମ୍‌ଙ୍କ ବିଷୟରେ  ପୁଲିସ କିଛି ସୁରାକ୍‌ ପାଇଛି । ଉକ୍ତ ମହିଳାଙ୍କ ମୋବାଇଲ  ସୁଇଚ୍‌ ଅଫ୍‌ ରହିଛି । ତେଣୁ ଏହି ହତ୍ୟାକାଣ୍ଡ ପଛରେ  ଉକ୍ତ ମହିଳାଙ୍କର ସଂପୃକ୍ତି ଥିବା ମଧ୍ୟ ପୁଲିସ ସନ୍ଦେହ  କରୁଛି । ଉକ୍ତ ମହିଳାଙ୍କୁ ପୁଲିସ ଖୋଜାଖୋଜି କରୁଛି ।  ଜଣେ ପୁରୁଷ ଅପହର୍ତ୍ତା ମାମିନାଙ୍କ ସହ ମୁଣ୍ଡ ଜାମିନ୍‌ ବାବଦ  ଅର୍ଥ ଦାବି କରିଥିବାରୁ ଏହି ହତ୍ୟାକାଣ୍ଡ ପଛରେ ଏକାଧିକ  ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି । ସେପଟେ ବିଦ୍ୟାଧରଙ୍କ ମୋବାଇଲ୍‌ ମିଳିନାହିଁ । ତେଣୁ ପୁଲିସ ତାଙ୍କ ମୋବାଇଲ୍‌  ଫୋନ୍‌ର କଲ୍‌ ଡିଟେଲ୍‌ ଯାଞ୍ଚ କରୁଛି ।

ବିଦ୍ୟାଧରଙ୍କ ଭାଇଙ୍କ କହିବା ଅନୁଯାୟୀ, ଗତକାଲି ଦିନ  ସାଢ଼େ ଗୋଟାଏ ବେଳେ କଟକ ଟାଙ୍ଗୀ ଟୋଲ୍‌ ଗେଟ୍‌ରେ  ବିଦ୍ୟାଧରଙ୍କ କାର୍‌ ନମ୍ବରରେ ଦେଢ଼ ଶହ ଟଙ୍କା ଚାଲାଣ  କଟିଥିବା ତାଙ୍କ ମୋବାଇଲକୁ ମେସେଜ୍‌ ଆସିଛି । ତେଣୁ  ଭୁବନେଶ୍ୱରରୁ ଚଣ୍ଡିଖୋଲ ଦେଇ ଯାଇଥିବା ଜାତୀୟ  ରାଜପଥର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ  ମଧ୍ୟ ପୁଲିସ ଯାଞ୍ଚ କରୁଛି । ସେପଟେ ବଡ଼ଗଡ଼ ଥାନା ପୁଲିସ ଅପହରଣ ସହ ହତ୍ୟା  ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇ ମୃତଦେହକୁ  ବିଦ୍ୟାଧରଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।  

ଏହି ଅପହରଣ ଓ ହତ୍ୟା ମାମଲା ସମ୍ପର୍କରେ ଡିସିପି  ଜଗମୋହନ ମୀନା ଗଣମାଧ୍ୟମକୁ ଦେଇଥିବା ଏକ ବିବୃତ୍ତିରେ  ଉଲ୍ଲେଖ କରିଛନ୍ତି, ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଉକ୍ତ ଯୁବକ ପୁଲିସକୁ ଦେଇଥିବା  ବୟାନ ଅନୁସାରେ ବିଦ୍ୟାଧର ଅପହର୍ତ୍ତାଙ୍କ କବଳରେ ଥିବା ବେଳେ ଆତ୍ମହତ୍ୟା କରିଦେଇଥିଲେ । ଅପହର୍ତ୍ତାମାନେ ଭୟରେ ବିଦ୍ୟାଧରଙ୍କ ମୃତଦେହକୁ ଆଣି ଏଠାରେ ଫିଙ୍ଗି  ଦେଇ ପଳାଇଥିଲେ । ବିଦ୍ୟାଧର ଚାକିରି କରାଇ ଦେବା ବାହାନାରେ ଅନେକଙ୍କଠାରୁ ଟଙ୍କା ନେଇଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ଗତ ୧୫ ତାରିଖରେ ତାଙ୍କୁ ଅପହରଣ  କରି ନେଇଥିଲେ । ଟଙ୍କା ଫେରସ୍ତ ପାଇଁ ବିଦ୍ୟାଧରଙ୍କୁ ମୁଣ୍ଡ  ଜାମିନ୍‌ ରଖିଥିଲେ । ପରିବାର ଲୋକଙ୍କ ନିକଟରେ ୨ କୋଟି  ଟଙ୍କା ଦାବି କରିଥିଲେ ।