କୋକସରା,୧୬/୧ : ଶିକ୍ଷକଙ୍କୁ ଟାଙ୍ଗିଆରେ ଆକ୍ରମଣ । ଏଭଳି ଏକ ଘଟଣା ନଜରକୁ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ପିପଳପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ସହକାରୀ ଶିକ୍ଷକ ଋଷିରାଜ ମେହେରଙ୍କୁ ପିପଳପଡ଼ା ଗ୍ରାମର ଭାସ୍କର ବାଗ ନାମକ ଜଣେ ଯୁବକ ସ୍କୁଲର ଖେଳ ଛୁଟି ସମୟରେ ହଠାତ୍ ଶ୍ରେଣୀରେ ପଶି ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଶିକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ହାତରେ ଆଘାତ ଲାଗିଛି । ଏହି ଘଟଣା ପରେ ସ୍କୁଲରେ ଭୟର ବାତାବରଣ ଦେଖିବାକୁ ମିଳିଥିବାବେଳେ ଛାତ୍ରଛାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ।

ଏହି ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ନାଏକ କୋକସରା ପୁଲିସକୁ ସୂଚନା ଦେବା ପରେ ପୁଲିସ ଟିମ୍ ସଦଳବଳେ ପହଞ୍ଚି ଆକ୍ରମଣ କରିଥିବା ଅଭିଯୁକ୍ତ ଭାସ୍କର ବାଗକୁ କାବୁ କରିବା ସହ ତା’ଠାରୁ ଟାଙ୍ଗିଆ ଜବତ କରି ପୁଲିସ ଥାନାରେ ଆଣି ଅଟକ ରଖିଛନ୍ତି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବାବେଳେ ଆକ୍ରମଣ କରିଥିବା ଯୁବକ ଭାସ୍କର ବାଗର ସ୍ତ୍ରୀ ମାଧୁରୀ ବାଗ ପିପଳପଡ଼ା ବିଦ୍ୟାଳୟରେ ପାଚିକା ଭାବେ ନିୟୋଜିତ ରହିଛନ୍ତି। ସେ ମଧ୍ୟ ଏହି ଘଟଣା ସ୍ବୀକାର କରିଛନ୍ତି ।

ଏହି ଘଟଣା ପରେ ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ଘଟଣା ସମ୍ପର୍କରେ ବିଇଓଙ୍କୁ ସୂଚନା ଦେଇଛନ୍ତି ଓ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଅଟକ ରଖିବା ସହ କାହିଁକି ଯୁବକ ଆକ୍ରମଣ କରିଛି ତା ପଛର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।