ପାଟଣାଗଡ଼, ୨/୧୨ : ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀଙ୍କ ମାଆ ଲରମ୍ଭା ଥାନାରେ ଅଭିଯୋଗ କରିଛନ୍ତି।
ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରୀ କୋଠରୀରେ ଏକୁଟିଆ ଥିବାର ସୁଯୋଗ ନେଇ ଶିକ୍ଷକ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ କୋଠରୀ ଭିତରେ କାନ୍ଦୁଥିବା ଦେଖି ସହପାଠୀମାନେ ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ପରେ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ବାପାମାଆ ଜାଣିବା ପରେ ସ୍କୁଲକୁ ଆସିଥିଲେ। ଏହା ପରେ ଗ୍ରାମବାସୀ ତାତି ଯାଇ ସ୍କୁଲ ପରିସରକୁ ଆସି ସଂପୃକ୍ତ ଶିକ୍ଷକଙ୍କୁ ସ୍କୁଲ କୋଠରରେ ତାଲା ପକାଇ ରଖିବାକୁ ଯୋଜନା କରୁଥିଲେ। କିନ୍ତୁ ଛାତ୍ରୀର ବାପାମାଆ ଥାନାର ଦ୍ଵାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜ୍ଜୁ କରି ସଂପୃକ୍ତ ଶିକ୍ଷକ ତ୍ରିଲୋଚନ ମେହେରଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଭାନୁଶଙ୍କର ଯାଦବ ସୂଚନା ଦେଇଛନ୍ତି।