ଝରିଗାଁ,୧୫/୧୧: ଛାତ୍ରଛାତ୍ରୀଙ୍କୁ ପଢାଇବା ବେଳେ ଚାଲିଗଲା ଜୀବନ । ନବରଙ୍ଗପୁର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଫୁପୁଗାଁ କଷ୍ଟର ଅନ୍ତର୍ଗତ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଜୟ ପ୍ରକାଶ ଜେନାଙ୍କ (୫୪) ମୃତ୍ୟୁ । ନିଜ ଘର ତାରାକନାଡ଼ି ଗ୍ରାମରେ ଶିକ୍ଷକଙ୍କ ଦେହାନ୍ତ ହୋଇଯାଇଛି। 

ସୂଚନା ପ୍ରକାରେ, ସ୍ୱର୍ଗତ ଜେନା ଶୁକ୍ରବାର ସକାଳୁ ପୂଜା କରିବା ପାଇଁ ଫୁଲ ସଂଗ୍ରହ କରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସବୁ ଦିନ ଭଳି ଦଶମ ଶ୍ରେଣୀର ୩ଜଣ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ପ୍ରାୟ ଦିନ ସାଢ଼େ ୯ ଘଣ୍ଟା ସମୟରେ ତାଙ୍କ ପତ୍ନୀ ଫୋନ କରିବା ପରେ ପତ୍ନୀଙ୍କ ସହ ଫୋନରେ କଥା ହେଉଥିଲେ । ହଠାତ ଭଲ ଲାଗୁ ନାହିଁ ବୋଲି ଛାତ୍ରୀମାନଙ୍କୁ ଗୁରୁମା ସହ କଥା ହେବା ପାଇଁ ଫୋନ ଦେଇ ଅନ୍ୟ ଏକ ବଖରାରେ ଶୋଇ ପଡ଼ିଥିଲେ । ଗୁରୁମା ସହ କଥା ହେବା ପରେ ଛାତ୍ରୀମାନେ ଜୟ ପ୍ରକାଶ ସାରଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଜୟ ପ୍ରକାଶ ସାର ଆଉ ଉଠି ନଥିଲେ । ଶେଷରେ ତାରାକନାଡ଼ି ଗ୍ରାମରେ ରହୁଥିବା ଅନ୍ୟ ଜଣେ ସହକାରୀ ଶିକ୍ଷକ ତରୁଣ କୁମାର ରଣାଙ୍କୁ ଛାତ୍ରୀମାନେ ଯାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ଶିକ୍ଷକ ଶ୍ରୀ ରଣା ତୁରନ୍ତ ଜୟ ପ୍ରକାଶଙ୍କ ଘରକୁ ଆସିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶେଷରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମୃତ ଅବସ୍ଥାରେ ଡାକ୍ତରଖାନାକୁ ପହଞ୍ଚିଥିବା କହିଥିଲେ । 

ଶବ ବ୍ୟବଚ୍ଛେଦ ପରେ ତାଙ୍କ ଜନ୍ମମାଟି ଗାଁକୁ ଶିକ୍ଷକଙ୍କ ପାର୍ଥିବ ଶରୀରକୁ ପଠାଯିବ ଏବଂ ବିଭାଗୀୟ ପକ୍ଷରୁ ମୃତ୍ୟୁକାଳୀନ ସହାୟତା ରାଶି ୧୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଧରୁଆ ସୂଚନା ଦେଇଛନ୍ତି । ସ୍ବର୍ଗତ ଜୟ ପ୍ରକାଶଙ୍କ ଶେଷ ଦର୍ଶନ ପାଇଁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ସମୂହ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଶିକ୍ଷକଙ୍କ ମରଶରୀରକୁ ତାଙ୍କ ଗାଁକୁ ନେବା ପାଇଁ ବ୍ଲକ ଶିକ୍ଷକ ସମାଜ ବନ୍ଦବୋସ୍ତ କରୁଥିବା ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।