ଭୁବନେଶ୍ୱର, ୨୪/୦୨: ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାରେ ହେବ ପରିବର୍ତ୍ତନ । ନୂଆ ଢାଞ୍ଚାରେ କରାଯିବ  ପାଠ୍ୟକ୍ରମ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ  କରାଯିବ । ଏପରି ନିଷ୍ପତ୍ତି ନେଇଛି  ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ  (ଏନ୍‌ସିଟିଇ) । ଏନେଇ ଏନ୍‌ସିଟିଇ  ପକ୍ଷରୁ ଏନ୍‌ସିଟିଇ ରେଗୁଲେସନ୍‌  ୨୦୨୫ର ଏକ ଡ୍ରାଫ୍ଟ ପ୍ରସ୍ତୁତି ହୋଇଛି ।  

ଜାତୀୟ ଶିକ୍ଷା ନୀତି ୨୦୨୦  ଅନୁଯାୟୀ ପାଠପଢ଼ା ହେବ । ସ୍କୁଲ ଓ  ଉଚ୍ଚଶିକ୍ଷାରେ ଏହାକୁ ଲାଗୁ କରାଯାଉଛି । ସେହିପରି ଶିକ୍ଷକ ଶିକ୍ଷାରେ ମଧ୍ୟ  ଏହାକୁ ଲାଗୁ କରାଯିବ । ଏଥିପାଇଁ  ଏନ୍‌ସିଟିଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ  ହୋଇଛି । ଆଗରୁ ଥିବା ଏନ୍‌ସିଟିଇ  ରେଗୁଲେସନ୍‌ ୨୦୧୪ ଅନୁଯାୟୀ  ପାଠ୍ୟକ୍ରମର ବିକାଶ କରାଯିବ । ନୂଆ  ଏନ୍‌ସିଟିଇ ରେଗୁଲେସନ୍‌ ୨୦୨୫  ଆସିବ ।  ଏନ୍‌ସିଟିଇର ନୂଆ ନିୟମ ଅନୁଯାୟୀ  ୨୦୨୬ ଶିକ୍ଷା ବର୍ଷରୁ ନୂଆ ୯ଟି କୋର୍ସର  ଶୁଭାରମ୍ଭ ହେବ । ଇଣ୍ଟିଗ୍ରେଡେଟ୍‌  ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିଇପି) ର ୪ଟି ସ୍ୱତନ୍ତ୍ର ଷ୍ଟ୍ରିମ୍‌ (କୋର୍ସ) ଯୋଡ଼ି  ହେବ । କଳା ଶିକ୍ଷା, ଶାରିରୀକ ଶିକ୍ଷା,  ସଂସ୍କୃତ ଶିକ୍ଷା, ଓ ଯୋଗ ଉପରେ  ସ୍ୱତନ୍ତ୍ର କୋର୍ସ ରହିଛି । କେବଳ ଏତିକି  ନୁହେଁ ବର୍ଷିକିଆ ବିଏଡ୍‌ ଓ ଏମ୍‌ଏଡ୍‌  କୋର୍ସର ଆରମ୍ଭ ହେବ । ଏଥିସହ  ପୂର୍ଣ୍ଣ ସମୟ ଅର୍ଥାତ୍‌ ୨ ବର୍ଷିଆ ବିଏଡ୍‌  ଓ ଏମ୍‌ଏଡ୍‌ କୋର୍ସରେ ମଧ୍ୟ ନାମେଲଖା ହେବ । ଏନେଇ ଏନ୍‌ସିଟିଇ  ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।  

ଏନ୍‌ସିଟିଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା  ଡ୍ରାଫ୍ଟ ଅନୁଯାୟୀ, ପ୍ରାଥମିକ ଭାବେ  ଶିକ୍ଷକ-ଛାତ୍ର ଅନୁପାତକୁ ଗୁରୁତ୍ୱ  ଦିଆଯିବ । ପାଠପଢ଼ା ପାଇଁ ସ୍ୱତନ୍ତ୍ର  ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତି କରାଯିବ ।  ପାଠପଢ଼ା ସହ ପ୍ରାକ୍ଟିକାଲକୁ ଅଧିକ  ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀ ପଢ଼ିବା  ସହ କିପରି ଶିକ୍ଷାଦାନ କ୍ଷେତ୍ରରେ  କୁଶଳୀ ହେବେ ସେଥିଲାଗି ସ୍ୱତନ୍ତ୍ର  ପ୍ରାକ୍ଟିସ୍‌ ରୁମ୍‌ କରାଯିବ । ସେଠାରେ  ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏଥିସହ ଇଣ୍ଟର୍ନସିପ୍‌ କରିବା ପାଇଁ  ସ୍ଥାନୀୟ ସରକାରୀ ସ୍କୁଲରେ ବ୍ୟବସ୍ଥା  କରାଯିବ । ଏଥିପାଇଁ ଅନୁଷ୍ଠାନର  କର୍ତ୍ତୃପକ୍ଷ ଆନୁସଙ୍ଗିକ ବ୍ୟବସ୍ଥା କରିବେ । ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ  କରାଯିବ । ସମସ୍ତ ପିଲା ଇଣ୍ଟର୍ନସିପ୍‌  କରିବେ । ଯାହା ଦ୍ୱାରା ନିଯୁକ୍ତି ପାଇବା  ବେଳକୁ ପିଲାଟି ସ୍କୁଲ ଶିକ୍ଷାଦାନ  ଉପରେ ଦକ୍ଷ ହୋଇଥିବ ।  

ଏକ ଗୁଣାତ୍ମକ ଏକାଡେମିକ୍‌  ଜର୍ଣ୍ଣାଲ୍‌ ପ୍ରସ୍ତୁତ କରିବା ପାଇଁ ଶିକ୍ଷକ  ଓ ଶିକ୍ଷାର୍ଥୀଙ୍କ ପାଇଁ ସୁଯୋଗ ପ୍ରଦାନ  କରାଯିବ । କାର୍ଯ୍ୟଶୈଳୀର ସମସ୍ତ ତଥ୍ୟକୁ ତଦାରଖ କରିବା ପାଇଁ  ଏହାର ରେକର୍ଡ କରାଯିବ ।  କେବଳ ଶିକ୍ଷାର୍ଥୀଙ୍କର ସୁବିଧା କରାଯିବ  ତାହା ନୁହେଁ ଶିକ୍ଷକଙ୍କୁ ମଧ୍ୟ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯିବ ।  ଏକାଡେମିକ୍‌ ଏନ୍‌ରିଚ୍‌ମେଣ୍ଟ ପ୍ରୋଗ୍ରାମ  ଦ୍ୱାରା ଦକ୍ଷତା ବୃଦ୍ଧି କରାଯିବ ।  ଅଧ୍ୟାପକ, ଶିକ୍ଷକମାନେ ପାଠପଢଇବା ସହ ଅଧିକରୁ ଅଧିକ ଗବେଷଣା ମଧ୍ୟ କରିବେ । ସମସ୍ତ ବିଷୟ  ପାଇଁ ସ୍ୱତନ୍ତ୍ର ଯୋଗ୍ୟାତାପ୍ରାପ୍ତ ଶିକ୍ଷକ  ନିଯୁକ୍ତ ହେବେ । ଆନ୍ତଃ ଶିକ୍ଷାନୁଷ୍ଠାନ  ସମନ୍ୱୟ କାର୍ଯ୍ୟକ୍ରମ କରାଯିବ ।  ସେମିନାର, ପ୍ରବନ୍ଧ, ବିତର୍କ,  ବକୃତାମାଳା, ଗୋଷ୍ଠୀ ଆଲୋଚନା  ଚକ୍ର ଆଦି ନିୟମିତ କରାଯିବ । 

ସମସ୍ତ ପ୍ରତିଷ୍ଠାନରେ କ୍ଲାସ୍‌ରୁମ୍‌ର  ସ୍ଥାନକୁ ଗୁରୁତ୍ୱ ଦିଆଯିବ ।  ପ୍ରାକ୍ଟିକାଲ ରୁମ୍‌ ରହିବ ।  ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ କଳା କୋର୍ସ  ପାଇଁ ଭିଜୁଆଲ୍‌ ଆର୍ଟସ୍‌ର ସୁବିଧା  ରହିବ । କଳାକୃତି ଅଭ୍ୟାସ ପାଇଁ  ସ୍ୱତନ୍ତ୍ର ରୁମ୍‌ ଦିଆଯିବ । ସଂଗୀତ,  ନୃତ୍ୟ ଓ ନାଟକ ପାଇଁ ଆନୁସଙ୍ଗିକ  ବ୍ୟବସ୍ଥା ସହ ସ୍ୱତନ୍ତ୍ର କ୍ଲାସ୍‌ରୁମ୍‌  ପ୍ରସ୍ତୁତ କରାଯିବ । ଲାଇବ୍ରେରୀରେ  ଅତିକମ୍‌ରେ ୫୦ ବ୍ୟକ୍ତିଙ୍କର ୧୦୦୦  ଶୀର୍ଷକର ୪୦୦୦ରୁ ଅଧିକ ପୁସ୍ତକ  ରହିବ। ସର୍ବନିମ୍ନ ୫୦ଟି ଜର୍ଣ୍ଣାଲ୍‌  ରହିବ । ପ୍ରତିଷ୍ଠାନମାନେ ଡିଜିଟାଲ୍‌  ଲାଇବ୍ରେରୀ ପ୍ରତିଷ୍ଠା କରିବେ ।  

ପାର୍ଟ ଟାଇମ୍‌ ଅର୍ଥାତ୍‌ ବର୍ଷିକିଆ  ବିଏଡ୍‌ ପାଠ୍ୟକ୍ରମରେ ୨ଟି ସେମିଷ୍ଟର  ରହିବ । ପ୍ରତି ସେମିଷ୍ଟରରେ ୯୬  ଦିନ ଅତିକମ୍‌ରେ ପାଠପଢ଼ା ହେବ । ସ୍କୁଲ ଇଣ୍ଟର୍ନସିପ୍‌ ବାଧ୍ୟତାମୂଳକ  ରହିବ । ଗୋଟିଏ ପିଲା ଚାହିଁଲେ ୨ ବର୍ଷରେ ଏହି ବର୍ଷିକିଆ ବିଏଡ୍‌କୁ  ସାରିପାରିବ । ଏଥିରେ ପ୍ରାରମ୍ଭ,  ପ୍ରସ୍ତୁତି, ମଧ୍ୟମ ଓ ମାଧ୍ୟମିକ ସ୍ତରର ପାଠପଢ଼ା ହେବ । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଆୟୋଜିତ  ପ୍ରବେଶିକା ପରୀକ୍ଷା ଦ୍ୱାରା ନାମେଲଖା ଚୟନ କରାଯିବ ।   

ସେହିପରି ପାର୍ଟ ଟାଇମ୍‌ ଏମ୍‌ଏଡ୍‌  କୋର୍ସର ଆରମ୍ଭ ହେବ । ଏଥିରେ  ପାଠପଢ଼ା ସହ କ୍ଷେତ୍ର କାର୍ଯ୍ୟ ସହ  ଗବେଷଣା ରହିବ । ଯେଉଁମାନେ ଫୁଲ୍‌ ଟାଇମ୍‌ ଏମ୍‌ଏଡ୍‌ ପଢ଼ାଉଥିବେ  ସେମାନେ ପାର୍ଟ ଟାଇମ୍‌ ଏମ୍‌ଏଡ୍‌  ପଢ଼ାଇ ପାରିବେ । ସର୍ବାଧିକ ୪ ବର୍ଷ  ମଧ୍ୟରେ ଶିକ୍ଷାର୍ଥୀ ଏହି କୋର୍ସକୁ  ସଂପୂର୍ଣ୍ଣ କରିବାର ସୁଯୋଗ ଦିଆଯିବ ।