ଭୁବନେଶ୍ୱର, ୧୫/୦୫: ଶିକ୍ଷାବର୍ଷ ୨୦୨୫-୨୬ ପାଇଁ  ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଶିକ୍ଷକମାନଙ୍କ  ବଦଳି ପ୍ରକ୍ରିୟା କ୍ୟାଲେଣ୍ଡର ପ୍ରକାଶ ପାଇଛି । ବଦଳି ପ୍ରକ୍ରିୟା  ପାଇଁ ଆଜିଠୁୁ ଆବେଦନ ଆରମ୍ଭ ହେବ । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବୁଧବାର ଦୁଇଟି ପୃଥକ ଚିଠି ପ୍ରକାଶ ପାଇଛି । ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ବଦଳି  ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଗିରିଶ ଚନ୍ଦ୍ର ସିଂ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ବେଳେ ଆଉ  ଏକ ଚିଠି ଅତିରିକ୍ତ ସଚିବ ଯଦୁମଣି ମହଲା ପ୍ରାଥମିକ ଶିକ୍ଷା  ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି । 

ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ  ହେବାକୁ ଥିବା ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ  ହେବ । ୩୦ରେ ଆବେଦନ ସରିବା ପରେ ୩୧ ତାରିଖରେ  ଜିଲ୍ଲା ଶିକ୍ଷାଧିକାରୀମାନେ ଆବେଦନକୁ ଅପଲୋଡ୍‌ କରିବେ ।  ଜୁନ୍‌ ୫ରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକଙ୍କ ଆବେଦନକୁ  ରାଜ୍ୟ ମେଡିକାଲ ବୋର୍ଡ ତର୍ଜମା କରିବ । ଜୁନ୍‌ ୧୧ରେ ଯୋଗ୍ୟ  ବିବେଚିତ ଶିକ୍ଷକଙ୍କ ତାଲିକା ପ୍ରକାଶ ପରେ ୧୩ ତାରିଖରେ  ବଦଳି ନିର୍ଦ୍ଦେଶ ବାହାରିବ । ସେହିପରି ଯେଉଁ ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ରହିଛନ୍ତି ସେମାନଙ୍କ ତାଲିକା ମେ ୩୧ରେ ପ୍ରକାଶ ପାଇବ । ଜୁନ୍‌ ୧୫ ସୁଦ୍ଧା ଡିଇଓମାନେ ସମାନୁପାତିକ ଶିକ୍ଷକ ପ୍ରସ୍ତାବ ପ୍ରସ୍ତୁତ କରିବେ । ଜୁନ୍‌ ୩୦ ତାରିଖ  ସୁଦ୍ଧା ବଦଳି ନିର୍ଦ୍ଦେଶ ପ୍ରଦାନ କରାଯିବ । 

ସେହିପରି ପ୍ରାଥମିକ ସ୍କୁଲମାନଙ୍କରେ ଥିବା ଶିକ୍ଷକ  ଜିଲ୍ଲାସ୍ତରୀୟ, ଅନ୍ତଃଜିଲ୍ଲାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଆପୋସ  ବଦଳି ଓ ଜିଲ୍ଲା ମଧ୍ୟରେ ବଦଳି ପାଇଁ ମଧ୍ୟ ଆଜିଠୁ ଆବେଦନ  କରାଯିବ । ୩୦ ତାରିଖରେ ଆବେଦନ ସରିବା ପରେ ଜୁନ୍‌ ୩  ତାରିଖ ସୁଦ୍ଧା ପ୍ରସ୍ତାବକୁ ବିଇଓମାନେ ଡିଇଓଙ୍କୁ ଦେବେ । ଜୁନ୍‌ ୫  ସୁଦ୍ଧା ଏହି ପ୍ରସ୍ତାବକୁ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯିବ । ଜୁନ୍‌ ୯ ସୁଦ୍ଧା  ନିର୍ଦ୍ଦେଶକ ଏହି ପ୍ରସ୍ତାବକୁ ଅନୁମୋଦନ କରିବେ । ୧୧ ତାରିଖରେ  ତାଲିକା ଓସେପା ୱେବସାଇଟ୍‌ରେ ମିଳିବ । 

୧୩ ତାରିଖରେ ନୂଆ  ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ଯଦି କୌଣସି ସ୍କୁଲରେ  ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶିକ୍ଷକ ଅଛନ୍ତି ସେମାନଙ୍କ  ତାଲିକା ମେ ୧୭ରେ ଓସେପା ପ୍ରସ୍ତୁତ କରିବ । ମେ ୨୬ ସୁଦ୍ଧା  ଏକ କମିଟି ଗଠନ କରାଯିବ, ଜୁନ୍‌ ୩ ସୁଦ୍ଧା ତାଲିକାକୁ କମିଟି  ଚୂଡ଼ାନ୍ତ କରିବ । ଜୁନ ୧୦ ସୁଦ୍ଧା ସମସ୍ତ ନିଷ୍ପତ୍ତି ବିଭାଗକୁ ଜଣାଇ  ଦିଆଯିବ । ଜୁନ୍‌ ୧୨ ତାରିଖ ସୁଦ୍ଧା ବିଇଓ, ଡିଇଓ ବଦଳି ନିର୍ଦ୍ଦେଶ  ପ୍ରକାଶ କରିବା ସହ ଓସେପାକୁ ପ୍ରଦାନ କରାଯିବ । ଜୁନ୍‌ ୧୩  ତାରିଖ ସୁଦ୍ଧା ସ୍କୁଲରେ ଶିକ୍ଷକ ଯୋଗଦେବେ ।