କେସିଙ୍ଗା ୮/୧୨: ଆଜି ଭୁବନେଶ୍ୱର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଦାବିରେ ପ୍ରତିବାଦ କରିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସମୂହ ଛୂଟିରେ ରହିଥିବା ଯୋଗୁଁ ବିଦ୍ୟାଳୟ ମାନଙ୍କରେ ଆଜି ପାଠପଢ଼ା ବ୍ୟାହତ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୧୭ ଜଣ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଆଜି ସମୂହ ଛୂଟିରେ ରହିଥିଲେ । କେବଳ ପ୍ରିନସିପାଲ ଜଣେ ଏବଂ ଦୁଇ ଜଣ କନଟାକଚୁଆଲ ଶିକ୍ଷକ ହିଁ ଆଜି ସ୍କୁଲରେ ଉପସ୍ଥିତ ରହିଥିଲେ। ଆଜି ସମୂହ ସରକାରୀ ଶିକ୍ଷକ ଛୁଟିରେ ରହିଥିବା ଯୋଗୁଁ ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଯାଏଁ ନାମ ଲେଖାଇ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ପାଠପଢା କିପରି ହୋଇଥିବ ସେ ନେଇ ଅବିଭାବକ ମହଲରେ ଚିନ୍ତାର ବିଷୟ ହୋଇଛି। ଆଗକୁ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ରହିଥିବା ବେଳେ ଏଭଳି ସ୍ଥିତିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକାସାଙ୍ଗରେ ସମୂହ ଛୂଟିରେ ରହିବା ବିଷୟ ଅବିଭାବକ ମହଲରେ ଗ୍ରହଣୀୟ ହୋଇପାରୁ ନାହିଁ।
ସୂଚନାଯୋଗ୍ୟ ଯେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ୧୩ ଦଫା ଦାବି ଉପସ୍ଥାପିତ ହୋଇଥିବା ବେଳେ ସେଥି ମଧ୍ୟରୁ ପ୍ରମୁଖ ଦାବୀ ମଧ୍ୟରେ ରହିଛି ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ ଷ୍ଟ୍ରିମ୍ ଖୋଲିବା ରହିଛି ।