ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଜଣେ ପୋଲିସ ଅଧିକାରୀଙ୍କୁ ଧମକ ଦେବା ସହ ହୋଲି ଅବସରରେ ନାଚିବାକୁ ବାଧ୍ୟ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେଜପ୍ରତାପ ଯାଦବ ମଞ୍ଚ ଉପରେ ବସି ତଳେ ବସିଥିବା ଲୋକଙ୍କୁ ମାଇକ୍ ଧରି ନିର୍ଦ୍ଦେଶ ଦେଉଥିବାର ଦେଖାଯାଇଛି । ଏହି ସମୟରେ ସେ ଜଣେ ପୋଲିସକର୍ମୀଙ୍କୁ 'ନୃତ୍ୟ' କରିବାକୁ ବାଧ୍ୟ କରିଛନ୍ତି । ଏହା ସହିତ ଯଦି ସେ ସେମାନଙ୍କ କଥା ନ ମାନିବେ ତେବେ ତାଙ୍କୁ ନିଲମ୍ବିତ କରିବାକୁ ମଧ୍ୟ ଧମକ ଦେଇଛନ୍ତି ତେଜପ୍ରତାପ । ଏହି ଭିଡିଓଟି ପାଟନାରେ ତେଜପ୍ରତାପ ଯାଦବଙ୍କ ଘରେ ଆୟୋଜିତ କାର୍ଯ୍ୟକ୍ରମର ବୋଲି ଜଣାପଡ଼ିଛି । 




ତେଜପ୍ରତାପ ଯାଦବଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିହାରର ରାଜନୀତି ସରଗରମ ହୋଇଛି । ଜେଡିୟୁର ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନ ଏହି ଭିଡିଓ ଉପରେ କହିଛନ୍ତି ଯେ, ଏବେ ବିହାରରେ ଏପରି କାର୍ଯ୍ୟକଳାପ ପାଇଁ କୌଣସି ସ୍ଥାନ ନାହିଁ । ଜଙ୍ଗଲ ରାଜର ଯୁଗ ଶେଷ ହୋଇଛି, କିନ୍ତୁ ଲାଲୁ ଜୀଙ୍କ ପ୍ରଥମ ରାଜକୁମାରଙ୍କ କାର୍ଯ୍ୟ ଦେଖନ୍ତୁ । ସେ ଜଣେ ପୋଲିସ କର୍ମଚାରୀଙ୍କୁ ନାଚିବାକୁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଯଦି ସେ ନ ମାନିଲେ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି। ଲାଲୁ ପରିବାରକୁ ବୁଝିବାକୁ ପଡିବ ଯେ, ବିହାର ଏବେ ବଦଳି ଯାଇଛି । ପରିବର୍ତ୍ତିତ ବିହାରରେ ଏପରି କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । 




ତେଜପ୍ରତାପ ଯାଦବଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, ‘ଯେପରି ପିତା ସେହିପରି ପୁଅ । ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପିତା ଆଇନକୁ ନିଜ ତାଳେ ତାଳେ ନଚାଉଥିଲେ ଏବଂ ବିହାରକୁ ଜଙ୍ଗଲ ରାଜରେ ପରିଣତ କରିଥିଲେ । ଏବେ ପୁଅ କ୍ଷମତା ବାହାରେ ଥିବା ସତ୍ତ୍ୱେ ଧମକ ଏବଂ ଚାପ ମାଧ୍ୟମରେ ଆଇନ ଓ ଆଇନର ରକ୍ଷକମାନଙ୍କୁ ନିଜ ତାଳେ ତାଳେ ନଚାଇବାକୁ ଚେଷ୍ଟା କରୁଛନ୍ତି । ଯଦି ପୋଲିସ କର୍ମଚାରୀ ନାଚୁ ନାହାନ୍ତି ତେବେ ସେ ନିଲମ୍ବିତ କରିବାକୁ ଧମକ ଦେଉଛନ୍ତି । ଏହା ଦର୍ଶାଉଛି ଯେ, ଆରଜେଡି ଜଙ୍ଗଲ ରାଜରେ ବିଶ୍ୱାସ କରେ । ଯଦି ସେମାନେ ଭୁଲରେ ମଧ୍ୟ କ୍ଷମତାକୁ ଆସନ୍ତି, ତେବେ ସେମାନେ ଆଇନ ଭାଙ୍ଗିବେ ଏବଂ ଆଇନର ରକ୍ଷକମାନଙ୍କୁ ନଚାଇବେ । ଏହା ଏକ ଟ୍ରେଲର । ତେଣୁ ସେମାନଙ୍କୁ କ୍ଷମତାରୁ ଦୂରେଇ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ପୁନାୱାଲା କହିଛନ୍ତି ।