ନୂଆଦିଲ୍ଲୀ: ହାଇଦ୍ରାବାଦ ସିଟି ପୋଲିସ ତେଲେଙ୍ଗାନାର ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ଏକ ନୋଟିସ ଜାରି କରିଛି। ଏହି ନୋଟିସରେ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବୁଲେଟପ୍ରୁଫ୍ ଗାଡ଼ି ଏବଂ ସୁରକ୍ଷା କର୍ମୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଗୋଶାମହଲ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ସିଂହ ଏହି ନୋଟିସର ଉତ୍ତରରେ ସେ ଦୁଇ ଚକିଆ ଯାନରେ ଯାତ୍ରା କରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। କାରଣ ଦୁଇ ଚକିଆ ଯାନରେ ଯାତ୍ରା କରିବା ଦ୍ୱାରା ସେ ତାଙ୍କ ନିର୍ବାଚନମଣ୍ଡଳୀର ସଂକୀର୍ଣ୍ଣ ଗଳି ଏବଂ ବାଇଲେନରେ ଯାତ୍ରା ସୁଗମ କରିଥାଏ। କିନ୍ତୁ ବୁଲେଟପ୍ରୁଫ୍ ଗାଡ଼ି ବ୍ୟବହାର କରିବା ଦ୍ୱାରା ସେ ତାଙ୍କ ନିର୍ବାଚନମଣ୍ଡଳୀର ସଂକୀର୍ଣ୍ଣ ଗଳି ଏବଂ ବାଇଲେନ ଗୁଡିକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି।
ତେବେ ଉକ୍ତ ନୋଟିସଟି ମଙ୍ଗଲହାଟ ପୋଲିସ ଥାନା ଦ୍ୱାରା ଗତ ମାର୍ଚ୍ଚ ୧୯ ତାରିଖରେ ଜାରି କରାଯାଇଥିବା ଜଣାପଡିଛି। ଏହି ନୋଟିସ ଟିକୁ ରାଜା ସିଂ ଗ୍ରହଣ କରିଛନ୍ତି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ଏ ସମ୍ପର୍କରେ ମତ୍ତ ରକି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ “ଅପ୍ରତ୍ୟାଶିତ ଘଟଣାକୁ ଏଡାଇବାକୁ ତାଙ୍କୁ ସରକାରଙ୍କ ତରଫରୁ ସିଂଙ୍କ ସୁରକ୍ଷା ପାଇଁ ଏକ ବୁଲେଟପ୍ରୁଫ୍ ଗାଡି ସହ ୧+୪ ସୁରକ୍ଷାକର୍ମୀ ପ୍ରଦାନ କରିଛନ୍ତି। ତେବେ ସେ କୌଣସି ସୁରକ୍ଷା ବିନା ସାଧାରଣ ଲୋକଙ୍କ ସହ ମିଶି ବାଇକ ରାଲି କରୁଛନ୍ତି। ତାଙ୍କ ସୁରକ୍ଷାକୁ ନେଇ ଆମ ଉପରେ ଦାୟିତ୍ତ୍ୱ ଥିବାରୁ ଆମେ ତାଙ୍କୁ ଏକ ନୋଟିସ ଜାରି କରିଛୁ। ଏହି ନୋଟିସଟି ସୁରକ୍ଷା ନିୟମର ଏକ ଅଂଶ।”
ସୂଚନା ମୁତାବକ, ଆଗରୁ ଅନେକଥର ରାଜା ସିଂଙ୍କୁ ଜୀବନରୁ ମାରିଦବା ପାଇଁ ପୋଲିସକୁ ଧମକପୂର୍ଣ୍ଣ କଲ ଆସିଛି। ତେଣୁ ତାଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ତାଙ୍କୁ ସୁରକ୍ଷା କର୍ମୀଙ୍କ ସହ ଏକ ବୁଲେଟପ୍ରୁଫ୍ ଗାଡିମଧ୍ୟ ପ୍ରଦାନ କରିଛନ୍ତି। ତେବେ ଏହି ନୋଟିସର ଉତ୍ତର ଦେଇ ରାଜା ସିଂ କହିଛନ୍ତି ଯେ ମୋ ନିର୍ବାଚନ ମଣ୍ଡଳିରେ ମୁଁ ଆମ ଲୋକ ମାନଙ୍କ ସହ ତୃଣମୁଳସ୍ତରରେ ମିଶିବାକୁ ଚାହୁଁଛି। ଯଦି ମୁଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବି ତେବେ ଏହା ମୋ ଦ୍ୱାରା ସେତେଟା ସମ୍ଭବପର ହେବ ନାହିଁ। କାରଣ ମୋ ନିର୍ବାଚନ ମଣ୍ଡଳିରେ ଅନେକ ସଂକୀର୍ଣ୍ଣ ରାସ୍ତା ରହିବା ସହ ଅନେକ ବସ୍ତି ଅଞ୍ଚଳ ରହିଛି। ଯେଉଁଠାକୁ ଚାରି ଚକିଆ ଯାନରେ ଯିବା ସମ୍ଭବପର ନୁହେଁ।
ଅନ୍ୟପଟେ ରାଜା ସିଂ କିଛି ଦିନ ତଳେ ଆଗ୍ନେୟାସ୍ତ୍ର ରଖିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ। ଯାହାକୁ ପୋଲିସ କତ୍ତୃପକ୍ଷ ନାକଚ କରିଦେଇଥିଲା। ଏହି ମାମଲାରେ ରାଜା ସିଂ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ମୁଁ ସୁରକ୍ଷା କାରଣରୁ ଏକ ଆଗ୍ନେୟାସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଥିଲି। ତେବେ ପୋଲିସ ବିଭାଗ ତାକୁ ଖାରଜ କରିଦେଇଥିଲେ। କିନ୍ତୁ ଆଜି ସେହି ପୋଲିସ ବିଭାଗ ମୋ ସୁରକ୍ଷାକୁ ନେଇ ମତେ ନୋଟିସ ପଠାଇଛି। ଏହା କି ପ୍ରକାରର ନ୍ୟାୟ? ଅନେକ ଲୋକଙ୍କୁ ବିନା କାରଣରେ ଲାଇସେନ୍ସ ମିଳିପାରୁଛି କିନ୍ତୁ ମତେ ଲାଇସେନ୍ସ ଦେଲାବେଳକୁ ପୋଲିସ ବିଭାଗକୁ କଷ୍ଟ ହେଉଛି। ତେବେ ନୋଟିସ ଜାଗାରେ ମୋ ବନ୍ଧୁକ ପାଇଁ ଲାଇସେନ୍ସକୁ ଅନୁମତି ଦେଲେ ମୁଁ ଖୁସି ହେବି ବୋଲି ଟି ରାଜା ସିଂ ଗଣମାଧ୍ୟମକୁ କହିଛନ୍ତି।