ବରଗଡ଼,୦୬/୧୨: ‘ସକାଳୁ ରାତି ଯାଏଁ କାମ  କରାଉଛି । ପଇସା କି ଚୁକ୍ତି ମୁତାବକ ଖାଦ୍ୟପେୟ  ଦେଉନାହିଁ । ପଚାରିଲେ ଧମକ ଚମକ ଦେଉଛି ।  ଆମକୁ ଛାଡ଼ିଦେ ଘରକୁ ଯିବୁ କହିଲେ ଗାଳିଗୁଲଜ  କରୁଛି । କେତେଜଣଙ୍କୁ ଗୋଟିଏ କୋଠାରେ ବନ୍ଦୀ  କରି ରଖୁଛି । ଅନ୍ୟମାନଙ୍କ ଠାରୁ କାମ ହାସଲ  କରେଇ ନେଉଛି । "ତୁ ବାହାର୍‌କା ଆଦମୀ ହୈ, କ୍ୟା  ଉଖାଡ଼େଗା, ଯୋ କରନା ହୈ କର୍‌' ବୋଲି କହି  ପିଟାମରା କରୁଛି । ଫାର୍ମ ମାଲିକର ନିର‌୍ୟାତନା ସୀମା  ପାର୍‌ ହୋଇଗଲାଣି । ଆମକୁ ଉଦ୍ଧାର କର । ନ ହେଲେ  ଅଖିଆ ଅପିଆ ଜୀବନ ଚାଲିଯିବ.... ।’  

ଏ ହେଉଛି ତେଲଙ୍ଗାନା ରାଜ୍ୟ ବିକାରାବାଦ ଜିଲ୍ଲାର  ମାରପଲ୍ଲୀ ଗାଁର ଏକ କୁକୁଡ଼ାଫାର୍ମରେ ନଜରବନ୍ଦୀ  ଥିବା ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ଭାସ୍କର  ମିର୍ଦ୍ଧାଙ୍କ କରୁଣ ନିବେଦନ । କେବଳ ଭାସ୍କର ନୁହନ୍ତି³  ୩ ଶିଶୁ, ୫ ମହିଳାଙ୍କ ସମେତ ମୋଟ୍‌ ୧୩ଜଣ  କୁକୁଡ଼ା ଫାର୍ମ ମାଲିକଙ୍କ ଦ୍ୱାରା ଏଭଳି ନଜରବନ୍ଦୀ  ଅବସ୍ଥାରେ ଅଛନ୍ତି । ମୁକ୍ତି ଲାଗି ସେମାନଙ୍କ ଆକୁଳ  ନିବେଦନ ଭାତହାଣ୍ଡି ଭାବେ ପରିଚିତ ବରଗଡ଼  ଜିଲ୍ଲାର ଦାଦନ ଦୁଃଖକୁ ପଦାକୁ ଆଣିଛି ।  

ଟେଲିଫୋନ୍‌ରେ ସୂଚନା ଦେଇ ଭାସ୍କର କହିଛନ୍ତି,  ଦେଢ଼ ମାସ ହେଲ ସୋହେଲା ବ୍ଲକ ଏମ୍‌. ବରପଦରର  ଭାସ୍କର ମିର୍ଦ୍ଧା, ସ୍ତ୍ରୀ ବିଜଲି ରଣା, ପାଇକମାଳ ବ୍ଲକର  ଭକ୍ତରାମ ମିର୍ଦ୍ଧା, ଅନିତା ମିର୍ଦ୍ଧା, ଟକ୍କର ବରିହା,  ସୀତାରାଣୀ ମିର୍ଦ୍ଧା, ଚନ୍ଦ୍ରଶେଖର ବାଗ, ଆହ୍ଲାଦିନୀ ବାଗ,  ଚକ୍ର ବରିହା, ସୁନୀତା ବରିହା ପ୍ରମୁଖ ତେଲଙ୍ଗାନାର  ମାରାପଲ୍ଲୀ ଯାଇଥିଲେ । ଏମାନଙ୍କ ସହିତ ୬ରୁ ୧୨  ବର୍ଷର ୩ ଜଣ ଶିଶୁ ମଧ୍ୟ ଅଛନ୍ତି । ଜଣପିଛା ମାସିକ  ୧୦ ହଜାର ୮୦୦ ଟଙ୍କା ଲେଖାଏ ଦେବାକୁ କୁକୁଡ଼ା  ଫାର୍ମ ମାଲିକ ଚୁକ୍ତି କରିଥିଲେ । ହେଲେ କାମରେ  ଯୋଗଦେବାର କିଛିଦିନ ପରେ ଫାର୍ମ ମାଲିକଙ୍କ  ଅସଲ ରୂପ ପଦାକୁ ଆସିଥିଲା । ଖାଦ୍ୟପେୟରେ  କଟକଣାରୁ ଆରମ୍ଭ ହୋଇଥିଲା ନିର‌୍ୟାତନା । ଠିକ୍‌  ସମୟରେ ପ୍ରାପ୍ୟ ଦେବା ତ ଦୂରର କଥା ୧୬  ଘଣ୍ଟାରୁ ଅଧିକ ଖଟାଉଛନ୍ତି । ପ୍ରତିବାଦ କଲେ ନିସ୍ତୁକ  ମାଡ଼ ମାରୁଛନ୍ତି । ବିନା ପାରିଶ୍ରମିକରେ ଖଟାଉଛନ୍ତି ।  ଗେଟ୍‌ରେ ତାଲା ପକାଇ ରଖୁଛନ୍ତି । ଅସୁସ୍ଥ ହେଲେ  ଔଷଧ ଦେଉନାହାନ୍ତି । ନିଜ ଲୋକଙ୍କ ଉପରେ  ହେଉଥିବା ନିର‌୍ୟାତନା ସହି ନ ପାରି ଅନ୍ୟମାନେ  ଓଭରଟାଇମ୍‌ କାମ କରିବାକୁ ବାଧ୍ୟ ହେଉଛନ୍ତି ।  ପାଖରେ ଥିବା ଟଙ୍କା ସରିଯିବା ପରେ ଘରୁ ପଇସା ମାଗି ଚଳୁଛନ୍ତି । କୁକୁଡ଼ା ଫାର୍ମ ମାଲିକ କବଳରୁ ସମସ୍ତଙ୍କୁ  ଉଦ୍ଧାର କରିବାକୁ ଭାସ୍କର ନିବେଦନ କରିଛନ୍ତି।