ହାଇଦ୍ରାବାଦ,୦୧/୦୭:  ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲାରେ ଏକ  କେମିକାଲ ଫ୍ୟାକ୍ଟ୍ରିର ରିଆକ୍ଟର  ୟୁନିଟ୍‌ରେ ଭୟଙ୍କର ବିସ୍ଫୋରଣ ଘଟଣା। ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି। ମଙ୍ଗଳବାର ଭଗ୍ନାଂଶ ତଳୁ ଏକାଧିକ  ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି  ଉଦ୍ଧାରକାରୀ ଟିମ୍ ବିସ୍ଫୋରଣ ସ୍ଥାନରୁ ଭଗ୍ନାବଶେଷ ସଫା କରିବା ଜାରି ରଖିଛନ୍ତି। ବିସ୍ପୋରଣ ମୋଟ ମୃତ୍ୟୁ ନେଇ ଜିଲ୍ଲା ଏସ୍‌ପି ପରିତୋଷ ପଙ୍କଜ ସୂଚନା ଦେଇଛନ୍ତି। 

ସୂଚନା ମୁତାବକ, ପାଶାମିଲାରମ  ଶିଳ୍ପାଞ୍ଚଳରେ ଥିବା ଫାର୍ମା କମ୍ପାନି ‘ସିଗାଚି  କେମିକାଲ୍ସ’ରେ ସୋମବାର ସକାଳ ପ୍ରାୟ  ୮.୧୫ରୁ ୯.୩୦ ମଧ୍ୟରେ ଏହି ବିସ୍ଫୋରଣ  ଘଟିଥିଲା । ସେତେବେଳେ କାରଖାନାରେ ପ୍ରାୟ  ୧୦୦ ଶ୍ରମିକ କାମ କରୁଥିଲେ । ରିଆକ୍ଟରରେ  ସାଙ୍ଘାତିକ ରାସାୟନିକ ପ୍ରତିକ୍ରିୟା ହେବା  ଯୋଗୁ ବିସ୍ଫୋରଣ ହୋଇଥିବା ଅନୁମାନ  କରାଯାଉଛି । ବିସ୍ଫୋରଣ ପରେ ସିଗାଚି  କେମିକାଲ୍ସ ପରିସରରେ ନିଆଁ ଲାଗିଯାଇଥିଲା ।  ଅଗ୍ନିଶମ ବିଭାଗର ୧୧ଟି ନିଆଁଲିଭା ଗାଡି଼  ଏହାକୁ ନିୟନ୍ତ୍ରଣ କରିଥିଲା । ଏନ୍‌ଡିଆରଏଫ୍‌,  ଏସ୍‌ଡିଆରଏଫ୍‌ ଓ ପୁଲିସ ମିଶି ଉଦ୍ଧାର  ଅଭିଯାନ ଚଳାଇଥିଲେ ।ବର୍ତ୍ତମାନ ସୁଦ୍ଧା କେମିକାଲ ଫ୍ୟାକ୍ଟ୍ରି ମୋଟି ୩୮ ଜଣ ମୃତ୍ୟୁ ଘଟିଛି। ଡିଏନ୍‌ ପଦ୍ଧତିରେ ୧୫ ମୃତ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି। ସୋମବାର ବିସ୍ଫୋରଣରେ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।   

ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ବିସ୍ଫୋରଣ  ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ କାମ  କରୁଥିବା ଶ୍ରମିକମାନେ ପ୍ରାୟ ୧୦୦ ମିଟର  ଦୂରକୁ ଛିଟିକି ପଡି଼ଥିଲେ । ଏଥିଯୋଗୁ  ୩ ମହଲା ବିଶିଷ୍ଟ ପୂରା ରିଆକ୍ଟର ୟୁନିଟ୍‌  ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଓ ନିଆଁର  ଭୟାବହତାକୁ ଦେଖି ସେଠାରେ କାମ କରୁଥିବା  ଅନ୍ୟ ଶ୍ରମିକମାନେ ଜୀବନ ବିକଳରେ  କାରଖାନା ପରିସରରୁ ବାହାରକୁ ଦୌଡି଼ଥିଲେ ।