ନୂଆଦିଲ୍ଲୀ: ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ପୋଲିସ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ପଓ୍ବନ କଲ୍ୟାଣ । ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ସନ୍ଧ୍ୟା ଥିଏଟର ମାମଲାରେ ଫସିଥିବା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ମଉସା । ପଓ୍ବନ କଲ୍ୟାଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ‘ମହାନ ନେତା’ କହିଛନ୍ତି ।
ଏହା ସହ ମୃତ ମହିଳାଙ୍କ ପରିବାରକୁ ଅଲ୍ଲୁ ଅର୍ଜୁନ ପ୍ରଥମେ ସାକ୍ଷାତ କରିବାର ଥିଲା ବୋଲି କହିଛନ୍ତି ପଓ୍ବନ କଲ୍ୟାଣ । ସୋମବାର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପଓ୍ବନ କଲ୍ୟାଣ ବ୍ୟକ୍ତିଗତ ମତ ରଖିଛନ୍ତି । ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ସ୍କ୍ରିନିଂ ହୋଇଥିଲା । ଏହି ସମୟରେ ହଠାତ ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନ ପହଞ୍ଚିଯିବାରୁ ଥିଏଟରରେ ଦଳାଚକଟା ହୋଇଥିଲା । ଫଳରେ ଜଣେ ୩୫ ବର୍ଷୀୟା ମହିଳା ଏବଂ ତାଙ୍କ ପୁଅ ଅଣନିଶ୍ବାସୀ ହୋଇ ପଡ଼ିଯାଇଥିଲେ । ପରେ ମହିଳାଙ୍କ ମୃତ୍ୟୁ ହୋଇଲା ଏବଂ ତାଙ୍କ ପୁଅଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ସେ
ପଟେ ପୋଲିସ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଛି । ପ୍ରଥମେ ଅଲ୍ଲୁଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ । ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ କହିଛନ୍ତି, ସାର୍ବଜନୀନ ସୁରକ୍ଷା ଦେବା ଅଧିକାରୀଙ୍କ ଲାଗି ଜରୁରି । ଆଇନ୍ ସମସ୍ତଙ୍କ ପାଇଁ ସମାନ । ଏଭଳି ସ୍ଥିତିରେ ପୋଲିସ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରେ । ଖାସ କଥା ହେଉଛି, ପଓ୍ବନ କଲ୍ୟାଣ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସଂପର୍କୀୟ ।
ଏଭଳି ଅଘଟଣକୁ ରୋକିବା ଲାଗି ଅଭିନେତା କଣ କରିଥିଲେ ହୋଇଥାନ୍ତା ବୋଲି ପ୍ରଶ୍ନରେ ପଓ୍ବନ କଲ୍ୟାଣ କହିଛନ୍ତି, ଯଦି ପ୍ରଥମେ ପୀଡ଼ିତାଙ୍କ ପରିବାରକୁ ଅଲ୍ଲୁ ଅର୍ଜୁନ ସାକ୍ଷାତ କରିଥାନ୍ତେ ତେବେ ଭଲ ହୋଇଥାନ୍ତା । ଫଳରେ ବିବାଦ ଉଗ୍ର ରୂପ ଧାରଣ କରିନଥାନ୍ତା ।’ ଏହା ସହ ତାଙ୍କ ବଡ଼ ଭାଇ ଚିରଞ୍ଜିବୀ ସ୍କ୍ରିନିଂରେ ସାମିଲ ହେଉଥିଲେ ଏବଂ ମୁହଁରେ ମାସ୍କ ପିନ୍ଧୁଥିଲେ ବୋଲି ପଓ୍ବନ କଲ୍ୟାଣ କହିଛନ୍ତି । ରେବନ୍ତ ରେଡ୍ଡୀଙ୍କୁ ପ୍ରଶ୍ସସା କରି ପଓ୍ବନ କଲ୍ୟାଣ କହିଛନ୍ତି, ସେ ଏମିତି ଜଣେ ନେତା ଯିଏ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ରେବନ୍ତ ରେଡ୍ଡୀ ଜଣେ ମହାନ ନେତା । ସେ ଓ୍ବାଇଏସ୍ଆର କଂଗ୍ରେସ ଭଳି କାମ କରିନାହାନ୍ତି । ’ ସେପଟେ ଅଲ୍ଲୁ ଅର୍ଜୁନଙ୍କ ସହ କଣ ହୋଇଛି ସେନେଇ ସ୍ପଷ୍ଟ ଭାବେ ଜାଣିନଥିବା କହିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ।