ନୂଆଦିଲ୍ଲୀ,୦୯/୦୨: ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ଏକ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଥିବା ଏସ୍‌ଏଲ୍‌ବିସି ସୁଡଙ୍ଗ ଭିତରେ ଫସି ରହିଥିବା ଆଠ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ କହିଛନ୍ତି ଯେ ସୁଡ଼ଙ୍ଗ ଭିତରେ ଏକ ମୃତଦେହ ମିଳିଛି, ଯାହା ମେସିନରେ ଫସି ରହିଥିଲା। ମୃତଦେହ ବାହାର କରିବା ସମୟରେ ମେସିନ୍‌କୁ କାଟି ଦିଆଯାଉଛି। କହିରଖୁଛି ଯେ ଶ୍ରମିକମାନଙ୍କୁ ଖୋଜିବା ପାଇଁ ୧୫ ଦିନ ଧରି ଚାଲିଥିବା ଅଭିଯାନକୁ ରବିବାର ତ୍ୱରାନ୍ୱିତ କରାଯାଇଛି। କେରଳର ସନ୍ଧାନୀ କୁକୁରମାନେ ଭଗ୍ନାବଶେଷ ତଳେ ମଣିଷଙ୍କ ସନ୍ଧାନ ପାଇଁ ଏକ ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରିଥିଲେ। ୧୪ କିଲୋମିଟର ଲମ୍ବା ସୁଡ଼ଙ୍ଗର ଶେଷରେ ଦୁର୍ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରରେ ଡି-୨ ପଏଣ୍ଟରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ମଣିଷଙ୍କ ଉପସ୍ଥିତି ଚିହ୍ନଟ କରିଥିଲେ।

ଉଦ୍ଧାରକାରୀଦଳ ଚିହ୍ନଟ ସ୍ଥାନରେ ସାବଧାନତାର ସହ କାଦୁଅ ବାହାର କରୁଥିବା ବେଳେ ସେହି ସ୍ଥାନରେ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଛି। ଶନିବାର ରାତିରେ ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷରୁ ଛଅ ଫୁଟ ତଳେ ଜଣେ ବ୍ୟକ୍ତିଙ୍କ ଶରୀରର ଅଂଶ ମଧ୍ୟ ପାଇଥିଲେ। ଉଦ୍ଧାରକାରୀ ଦଳ ମୃତଦେହକୁ ଉଦ୍ଧାର କରିବା ପାଇଁ ସେହି ସ୍ଥାନ ଚାରିପାଖରେ ଖୋଳିଥିଲେ। ନିଖୋଜ ଶ୍ରମିକମାନଙ୍କୁ ଖୋଜିବା ପାଇଁ ତାଲିମପ୍ରାପ୍ତ ଦୁଇଟି କୁକୁରକୁ ତିନି ଦିନ ପୂର୍ବରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କେରଳରୁ ଅଣାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ବେଲଜିୟମ୍ ମାଲିନୋଇସ୍ ପ୍ରଜାତିର ଏହି କୁକୁରମାନେ ୧୫ ଫୁଟ ଗଭୀରରୁ ମଧ୍ୟ ଗନ୍ଧ ସୁଙ୍ଘି ସନ୍ଧାନ କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୨୨ ତାରିଖରୁ ଶ୍ରୀଶୈଳମ୍ ଲେଫ୍ଟ ବ୍ୟାଙ୍କ କେନାଲ (ଏସ୍‌ଏଲ୍‌ବିସି) ପ୍ରକଳ୍ପ ସୁଡ଼ଙ୍ଗରେ ଆଠ ଜଣ ଶ୍ରମିକ ଫସି ରହିଛନ୍ତି। ଖନନ ସମୟରେ ସୁଡ଼ଙ୍ଗର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରର ଚାରି ଜଣ ଶ୍ରମିକ, ଦୁଇ ଜଣ ଇଞ୍ଜିନିୟର ଏବଂ ଦୁଇ ଜଣ ମେସିନ୍ ଅପରେଟର ଫସି ରହିଥିଲେ।