ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ଦେଶର ପ୍ରମୁଖ ସହରରେ ହାଇ ଆଲର୍ଟ ଜାରି ହୋଇଛି। ପୁଲିସ ଓ ପ୍ରଶାସନ ମଧ୍ୟ ସତର୍କ ହୋଇଛି, ଯେଉଁଠି ସମ୍ବେଦନଶୀଳ ସ୍ଥାନ ରହିଛି ସେଠାରେ ପ୍ରଚୁର ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି। ବିସ୍ଫୋରଣରେ ଯାଇସାରିଛି ୮ ଜଣଙ୍କର ଜୀବନ। ଦିଲ୍ଲୀ ପୁଲିସ ଓ ଗୁଇନ୍ଦା ଏଜେନ୍ସି ଘଟଣାସ୍ଥଳରେ ପହଁଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ଏହା ଆତଙ୍କୀ ହମଲା ନା ଆଉ କିଛି ? ଏହି ଘଟଣା ବିସ୍ଫୋରକ ସହ ଧରାପଡିଥିବା ଆତଙ୍କୀଙ୍କ ସହ ଲିଙ୍କ୍ ରହିଛି କି ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି। ଜମ୍ମୁ-କଶ୍ମୀର ପୁଲିସ ରବିବାର ଜୈଶ-ଇ-ମହମ୍ମଦର ଓ ଅନସାର ଗଜଓ୍ବା-ଉଲ୍-ହିନ୍ଦର ଏକ ବଡ଼ ନେଟଓ୍ବର୍କର ପର୍ଦାଫାଶ କରିଥିଲା। ଶ୍ରୀନଗର, ଅନନ୍ତନାଗ, ଗାନ୍ଦରବଲ, ସୋପିଆ, ଫରିଦାବାଦ ଓ ସାହାରାନପୁରରେ ଚଢାଉ ବେଳେ ୭ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହାପରେ ସୋମବାର ଅର୍ଥାତ ଆଜି ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଛି ଜୋରଦାର ଧମାକା। କୁହାଯାଉଛି ଯେ, ଏହି ଘଟଣା ସହ କିଛି ଲିଙ୍କ୍ ରହିଥାଇପାରେ।
ଏହା ପୂର୍ବରୁ ଜମ୍ମୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜ ଡାକ୍ତର ଆଦିଲଙ୍କ ଲକରରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା ।ଡାକ୍ତର ମୁଜ୍ଜାମିଲ ଶେଖ୍ଙ୍କ ଘରେ ଫରିଦାବାଦ ଓ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ମିଳିତ ଚଢାଉ ହୋଇଥିଲା। ଭାବେ କରାଯାଇଥିବା ଏହି ଅଭିଯାନରେ ଆଇଇଡି ତିଆରି କରିବାର ୨,୯୦୦ କିଲୋଗ୍ରାମ୍ ଆମୋନିୟମ ନାଇଟ୍ରେଟ୍ ବ୍ୟତୀତ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ କରାଯାଇଛି। ପୋଲିସର କହିବା ଅନୁସାରେ ଗୋଟିଏ ଆସଲ୍ଟ ରାଇଫଲ, ୩ ମାଗାଜିନ, ୮୩ଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୮ ରାଉଣ୍ଡ ଗୁଳି, ୨ଟି ଖାଲି କ୍ୟାଟ୍ରିଜ, ୨ଟି ଅତିରିକ୍ତ ମାଗାଜିନ, ୮ଟି ବଡ଼ ସୁଟକେସ, ୪ଟି ଛୋଟ ସୁଟକେସ, ସନ୍ଦିଗ୍ଧ ବିସ୍ଫୋରକ କେମିକାଲ, ବ୍ୟାଟେରୀ ଥିବା ୨୦ଟି ଟାଇମର୍ସ, ୨୪ଟି ରିମୋର୍ଟ କଣ୍ଟ୍ରୋଲ୍ସ, ୫ କେଜି ଓଜନର ମେଟାଲ, ୱାକିଟକି ସେଟ୍ସ, ଇଲେକ୍ଟ୍ରିକ ୱାଇରିଙ୍ଗ, ବ୍ୟାଟେରୀ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏହାବାଦ ଗୋଟିଏ ମାରୁତି ସ୍ୱିଫ୍ଟ କାର ପୁଲିସ୍ ଜବତ କରିଛି। କାରର ମାଲିକ ଜଣେ ମହିଳା ହୋଇଥିବାରୁ ତାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ପୁଲିସ୍ କହିଛି।