ନୂଆଦିଲ୍ଲୀ,୨୦/୦୨: ଆମେରିକୀୟ ଇ-କାର ନିର୍ମାତା ଟେସ୍‌ଲା ଚଳିତ ବର୍ଷ ଭାରତ ବଜାରରେ ପ୍ରବେଶ କରିବାକୁ ଯୋଜନା ରଖିଛି । ରିପୋର୍ଟ ଅନୁସାରେ, କମ୍ପାନି ଏପ୍ରିଲରୁ ଭାରତରେ ଏହାର ଇମ୍ପୋର୍ଟେଡ୍‌ ଇଭି ବିକ୍ରି କରିବ । ବର୍ଲିନ୍‌ ପ୍ଲାଣ୍ଟରୁ ଗାଡ଼ି ଆଣି ତାହାକୁ ଭାରତ ବଜାରରେ ବିକ୍ରି କରିବା ପାଇଁ କମ୍ପାନି ଯୋଜନା ରଖିଥିବା ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ଶସ୍ତା ଗାଡ଼ି ବିକ୍ରି କରିବାକୁ ଟେସ୍‌ଲା ଯୋଜନା ରଖିଛି । ପ୍ରାୟ ୨୫,୦୦୦ ଡଲାର ବା ସର୍ବନିମ୍ନ ୨୧ ଲକ୍ଷ ଟଙ୍କାର ମୂଲ୍ୟର ଗାଡ଼ି ଦେଶରେ ବିକ୍ରି ହୋଇପାରେ । ପ୍ରଥମ ପର୍ଯ୍ୟାୟରେ କମ୍ପାନି ଭାରତରେ ସେଲ୍‌ସ ଅପରେଶନ୍‌ ଆରମ୍ଭ କରିବା ପାଇଁ ଚାହୁଁଛି । ଡିଲରସିପ୍‌ ଖୋଲିବା ପାଇଁ ଏହା ମୁମ୍ବାଇର ବିକେସି ଏବଂ ଦିଲ୍ଲୀର ଏରୋସିଟିକୁ ଚୟନ କରିଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । 

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟସ୍ଥ ଏରୋସିଟି ଏରିଆରେ ଏକ ଜାଗା ଲିଜ୍‌ରେ ନେଇ କମ୍ପାନି ସୋ’ରୁମ୍‌ ଖୋଲିବ । ସେହିଭଳି ମୁମ୍ବାଇ ବିମାନବନ୍ଦର ନିକଟସ୍ଥ ବିଜ୍‌ନେସ୍‌ ଏବଂ ରିଟେଲ୍‌ ହବ୍‌ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏକ ଜାଗା ଏହା ଚୟନ କରିଥିବା ଜଣାପଡ଼ିଛି । କମ୍ପାନି ପକ୍ଷରୁ ଦେଶରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଫେବୃଆରୀ ୧୭  ରେ  କମ୍ପାନି  ଲିଙ୍କ୍‌ଡଇନ୍‌ରେ ୧୩ଟି ପଦ ପାଇଁ ଆବେଦନ ଆହ୍ୱାନ କରିଛି । ଏଥିରେ ଗ୍ରାହକ ସେବା ଏବଂ ବ୍ୟାକ୍‌ଏଣ୍ଡ୍‌ ଅପରେଶନ୍‌ ସହ ଜଡ଼ିତ ୧୩ଟି ପଦ ରହିଛି । ତେବେ ଏହି ପଦବୀଗୁଡ଼ିକ ‘ମୁମ୍ବାଇ ସବ୍‌ଅର୍ବାନ’ ଏରିଆ ପାଇଁ ରହିଛି । ପଦବୀଗୁଡ଼ିକ ମଦ୍ୟରେ ସର୍ଭିସ୍ ଆଡ଼ଭାଇଜର, ପାର୍ଟସ ଆଡଭାଇଜର, ସର୍ଭିସ ଟେକ୍ନିସିଆନ୍, ସର୍ଭିସ ମ୍ୟାନେଜର, ସେଲ୍‌ସ ଏବଂ କଷ୍ଟମର୍‌ ସପୋର୍ଟ, ବିଜ୍‌ନେସ୍‌ ଅପରେଶନ୍ସ ଆନାଲିଷ୍ଟ୍‌, କଷ୍ଟମର ସପୋର୍ଟ ସୁପର୍‌ଭାଇଜର, କଷ୍ଟମର ସପୋର୍ଟ ସ୍ପେସିଆଲିଷ୍ଟ, ଡେଲିଭରୀ ଅପରେଶନ୍ସ ସ୍ପେସିଆଲିଷ୍ଟ, ଅର୍ଡର ଅପରେଶନ୍ସ ସ୍ପେସିଆଲିଷ୍ଟ, ଇନ୍‌ସାଇଡ୍‌ ସେଲ୍‌ସ ଆଡ୍‌ଭାଇଜର ଏବଂ କଷ୍ଟମର୍‌ ଏନ୍‌ଗେଜ୍‌ମେଣ୍ଟ ମ୍ୟାନେଜର ଆଦି ରହିଛି । 

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆମେରିକା ଗସ୍ତ କାଳରେ ଟେସ୍‌ଲା ସିଇଓ ମସ୍କଙ୍କୁ ଭେଟିଥିଲେ । ଟେସ୍‌ଲା ଏବଂ ଭାରତ ସରକାରଙ୍କ ମଧ୍ୟରେ ଅନେକ ବର୍ଷ ଧରି ଆଲୋଚନା ଚାଲିଛି । କିନ୍ତୁ ଅଧିକ ଆମଦାନି ଶୁଳ୍କ କାରଣରୁ ଟେସଲା ଭାରତ ବଜାରରୁ ଦୂରେଇ ରହି ଆସିଛି ।ସମ୍ପ୍ରତି ସମ୍ପୂର୍ଣ୍ଣ ବିଲ୍‌ଟ ୟୁନିଟ୍‌(ସିବିୟୁ) ଭାବେ ଆମଦାନି ହେଉଥିବା କାର୍‌ ଉପରେ ୭୦ରୁ ୧୦୦% ସୀମା ଶୁଳ୍କ ଲଗାଉଛି ଭାରତ । ଇଞ୍ଜିନ୍‌ ଆକାର ଏବଂ ଖର୍ଚ୍ଚ, ବୀମା ମୂଲ୍ୟ ଆଧାରରେ ଏହି ଶୁ ଳ୍କ ଲାଗିଥାଏ । ଆମେରିକୀୟ ବଜାରରେ ଏବେ ଟେସ୍‌ଲାର ୬ଟି ଇଲେକ୍ଟ୍ରିକ୍‌ କାର ବିକ୍ରି ହେଉଛି । ଏଥିରେ ମଡେଲ ଏସ୍‌, ମଡେଲ ୩, ମଡେଲ୍‌ ଏକ୍ସ, ମଡେଲ ୱାଇ, ନ୍ୟୁ ମଡେଲ ୱାଇ ଏବଂ ସାଇବର ଟ୍ରକ ସାମିଲ ରହିଛି । ଖି ମଧ୍ୟରୁ ମଡ଼େଲ ୩ ସବୁଠାରୁ  ଶସ୍ତା କାର । ଆମେରିକାରେ ଏହାର ଦାମ ୨୯,୯୯୦ ଡଲାର(ପାଖାପାଖି ୨୬ ଲକ୍ଷ ଟଙ୍କା) ରହିଛି । ଏହି କାର୍ ଗୋଟିଏ ଫୁଲ ଚାର୍ଜରେ ୫୩୫ କିଲୋମିଟର ଯାଇଥାଏ ।