ନୂଆଦିଲ୍ଲୀ,୧୯/୦୨: ସାକ୍ଷାତକାର ହେଲା ସଫଳ । ପିଏମ୍ ମୋଦିଙ୍କ କଥା ରଖିଲେ ଏଲନ୍ ମସ୍କ । ଏବେ ବଦଳିବ ସ୍ଥିତି । ହେବ ନିଯୁକ୍ତି ବର୍ଷା ।  ଖୁବଶୀଘ୍ର ଭାରତରେ ଏଣ୍ଟ୍ରୀ ମାରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍‌ ଯାନ କମ୍ପାନି ଟେସ୍‌ଲା । ଏ ନେଇ କମ୍ପାନି ପକ୍ଷରୁ ଦେଶରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଟେସ୍‌ଲା ଖୁବ୍‌ଶୀଘ୍ର ଭାରତ ବଜାରରେ ପାଦ ରଖିବା ନେଇ ସଙ୍କେତ ମିଳିଛି । ଫେବ୍ରୁଆରୀ ୧୭ରେ କମ୍ପାନି ଲିଙ୍କ୍‌ଡଇନ୍‌ରେ ୧୩ଟି ପଦ ପାଇଁ ଆବେଦନ ଆହ୍ୱାନ କରିଛି । ଏଥିରେ ଗ୍ରାହକ ସେବା ଏବଂ ବ୍ୟାକ୍‌ଏଣ୍ଡ୍‌ ଅପରେଶନ୍‌ ସହ ଜଡ଼ିତ ୧୩ଟି ପଦ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆମେରିକା ଗସ୍ତ କାଳରେ ଟେସ୍‌ଲା ସିଇଓ ଏଲନ୍ ମସ୍କଙ୍କୁ ଭେଟିଥିଲେ । ଟେସ୍‌ଲା ଏବଂ ଭାରତ ସରକାରଙ୍କ ମଧ୍ୟରେ ଅନେକ ବର୍ଷ ଧରି ଆଲୋଚନା ଚାଲିଛି । କିନ୍ତୁ ଅଧିକ ଆମଦାନି ଶୁଳ୍କ କାରଣରୁ ଟେସ୍‌ଲା ଭାରତ ବଜାରରୁ ଦୂରେଇ ରହିଆସିଛି ।

ଅଧିକ ପଢନ୍ତୁ...ଦୁନିଆର ସବୁଠୁ ସ୍ମାର୍ଟ AI Grok 3 ଲଞ୍ଚ; DeepSeekକୁ ଦେବ ଟକ୍କର

ଭାରତ ଏବେ ୪୦,୦୦୦ ଡଲାର (ପାଖାପାଖି ୩୫ ଲକ୍ଷ ଟଙ୍କା)ରୁ ଅଧିକ ମୂଲ୍ୟଯୁକ୍ତ କାରଗୁଡ଼ିକ ଉପରେ ଆମଦାନି ଶୁଳ୍କ ୧୧୦%ରୁ କମାଇ ୭୦% କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟେସ୍‌ଲା ଭାରତରେ ଏହାର ପ୍ଲାଣ୍ଟ ବସାଇବା ପାଇଁ ବି ପ୍ରସ୍ତୁତି କରୁଛି । କମ୍ପାନି ଏବେ ଜମି ସନ୍ଧାନରେ ଅଛି । ଅଟୋମୋଟିଭ୍‌ ହବ୍‌ ଯୁକ୍ତ ରାଜ୍ୟରେ ପ୍ଲାଣ୍ଟ ସ୍ଥାପନ କରିବାକୁ କମ୍ପାନି ଚାହୁଁଥିବା ଜଣାପଡ଼ିଛି । 

ଏହାର ପ୍ରାଥମିକତା ତାଲିକାରେ ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲ୍‌ନାଡୁ ରହିଛି । ବର୍ତ୍ତମାନ ଟେସ୍‌ଲାର ମାର୍କେଟ୍‌ କ୍ୟାପ୍‌ ପ୍ରାୟ ୧.୧୨ ଲକ୍ଷ କୋଟି ଡଲାର(୯୭.୩୭ ଲକ୍ଷ କୋଟି ଟଙ୍କା) ରହିଛି । ଏହାର ସେୟାର ମୂଲ୍ୟ ୩୫୫.୮୪ ଡଲାର ଅଛି । ଗତ ବର୍ଷକରେ ଟେସ୍‌ଲାର ସେୟାର ୮୩.୬୫% ରିଟର୍ଣ୍ଣ ଦେଇଛି ।