ନୂଆଦିଲ୍ଲୀ,୨୮/୦୧: ମୂଷା, ମାଙ୍କଡ଼ ଓ ଠେକୁଆ ପରେ ଏବେ ଜେବ୍ରାଫିଶ୍‌କୁ ଔଷଧ ପରୀକ୍ଷଣରେ ପ୍ରୟୋଗ କରାଯାଉଛି । ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥା ଆଧୁନିକ ପ୍ରୟୋଗଶାଳା ସ୍ଥାପିତ କରି ଜେବ୍ରାଫିଶ୍‌ ଉପରେ ଆୟୁର୍ବେଦ ଔଷଧ ପରୀକ୍ଷଣ ଆରମ୍ଭ କରିଛି । ଜେବ୍ରାଫିଶ୍‌ ଜରିଆରେ ଅଧ୍ୟୟନ ତ୍ୱରିତ ହେବା ସହିତ ସଠିକତା ହାର ବୃଦ୍ଧି ଆଶା କରାଯାଉଛି । ସଂସ୍ଥା ଅନୁସାରେ, ଆୟୁର୍ବେଦ ହଜାର ହଜାର ବର୍ଷର ଅନୁଭବ ଉପରେ ଆଧାରିତ । କିନ୍ତୁ ବିଶ୍ୱସ୍ତରରେ ଆୟୁର୍ବେଦ ଔଷଧର ଗ୍ରହଣୀୟତା ବୃଦ୍ଧି ଓ ସଠିକ୍‌ ବୈଜ୍ଞାନିକ ତଥ୍ୟ ହାସଲ ନିମନ୍ତେ ଅଧ୍ୟୟନ ଚାଲିଛି ।

ଏହି କ୍ରମରେ ଏବେ ଜେବ୍ରାଫିଶ୍‌ ଉପରେ ଆୟୁର୍ବେଦ ଔଷଧର ପ୍ରାକ୍‌-ଚିକିତ୍ସକୀୟ ପରୀକ୍ଷଣ ଚାଲିଛି । ଜେବ୍ରାଫିଶ୍‌ ମଧୁର ଜଳରେ ବିଚରଣ କରୁଥିବା ଏକ ଛୋଟ ମାଛ । ଏହାର ବୈଜ୍ଞାନିକ ନାମ ଡାନିଓ ରେରିଓ । ଲମ୍ବା ପ୍ରାୟ ୨ ଇଞ୍ଚ । ଆୟୁର୍ବେଦ ଔଷଧଗୁଡ଼ିକର ପ୍ରାକ୍‌-ଚିକିତ୍ସକୀୟ ପରୀକ୍ଷଣ ନିମନ୍ତେ ଜେବ୍ରାଫିଶ୍‌କୁ ଚୟନ କରିବାର ଅନେକ କାରଣ ରହିଛି । ମଣିଷ ଓ ଜେବ୍ରାଫିଶ୍‌ ମଧ୍ୟରେ ଜିନ୍‌ଗତ ସମାନତା ୭୦ ପ୍ରତିଶତ । ଏହାର ଭ୍ରୂଣ ସ୍ୱଚ୍ଛ, ଯାହା ଦ୍ୱାରା ଔଷଧ ମାଛର ହୃତ୍‌ପିଣ୍ଡ, ମସ୍ତିଷ୍କ କିମ୍ବା ଅନ୍ୟ ଅଙ୍ଗ ଉପରେ କେମିତି କାମ କରୁଛି, ଅଧ୍ୟୟନକର୍ତ୍ତା ମାଇକ୍ରୋସ୍କୋପ୍‌ ଜରିଆରେ ଦେଖିପାରିବେ । ଅନ୍ୟ ଜୀବ ତୁଳନାରେ ଜେବ୍ରାଫିଶ୍‌ର ଦ୍ରୁତ ବିକାଶ ହୋଇଥାଏ । ୨୪-୪୮ ଘଣ୍ଟା ମଧ୍ୟରେ ଏହାର ଅଙ୍ଗମାନଙ୍କର ବିକାଶ ଆରମ୍ଭ ହୋଇଥାଏ । ଏହା ଥରକେ ୧୦୦ରୁ ଅଧିକ ଅଣ୍ଡା ଦିଏ । ମୂଷା ଓ ଅନ୍ୟ ଜୀବଙ୍କ ଉପରେ ପରୀକ୍ଷଣରେ ଅଧିକ ସମୟ ଲାଗେ । କିନ୍ତୁ ଜେବ୍ରାଫିଶ୍‌ ଉପରେ ପରୀକ୍ଷଣ କିଛି ଦିନ ମଧ୍ୟରେ ଶେଷ ହୋଇଯାଏ ।

ମୂଷା କିମ୍ବା ମାଙ୍କଡ଼ ତୁଳନାରେ ଜେବ୍ରାଫିଶ୍‌ ପାଳନ ଖୁବ୍‌ ଶସ୍ତା । କମ୍‌ ଜାଗାରେ ଏମାନଙ୍କୁ ଅଧିକ ସଂଖ୍ୟାରେ ରଖାଯାଇପାରେ । ଏହାର ପ୍ରୟୋଗରେ ଜଟିଳତା ମଧ୍ୟ କମ୍‌ । ପ୍ରାକ୍‌ ଚିକିତ୍ସକୀୟ ପରୀକ୍ଷଣରେ ଔଷଧ ପ୍ରଭାବଶାଳୀ ହେଲେ, ଏହାକୁ ମଣିଷ ଉପରେ ପରୀକ୍ଷା କରାଯିବ । ସଂସ୍ଥାର ଏଚ୍‌ଓଡି ଡା. ଅନୁପମ ଶ୍ରୀବାସ୍ତବ କହିଛନ୍ତି, ଜେବ୍ରାଫିଶ୍‌ ମଡେଲ ବାୟୋମେଡିକାଲ ରିସର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଏହାର ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଅନ୍ତର୍ଜାତୀୟ ସ୍ତରରେ ବିଶେଷଜ୍ଞଙ୍କର ସହାୟକ ହେବ । ଶୁକ୍ରାଣୁ ଉତ୍ପନ୍ନ ସମେତ ନ୍ୟୁରୋ ଡିଜେନେରେଟିଭ୍‌ ଡିଜର୍ଡର୍‌ ଓ ପୁରୁଣା ରୋଗର ଚିକିତ୍ସା ଭଳି ଅନେକ ରୋଗର ଔଷଧ ନିମନ୍ତେ ଜେବ୍ରାଫିଶ୍‌ ଉପରେ ଅଧ୍ୟୟନ ଚାଲିଛି ।