ନୂଆଦିଲ୍ଲୀ ୦୭/୦୪:  ସମୟ ସମୟରେ ଗୋଟିଏ ଗୋଟିଏ ଛୋଟ ଘଟଣା ମଣିଷର ଭାଗ୍ୟକୁ ବଦଳାଇ ଦେଇଥାଏ । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା ନୋପାଜିତ୍‌ ‘ମିନ୍‌’ ସୋମବୁନସତେଙ୍କ କ୍ଷେତ୍ରରେ ଏହି କଥାଟି ସତ୍ୟରେ ପରିଣତ ହୋଇଛି । ରୁଷ୍‌ର ଜଣେ ଫଟୋଗ୍ରାଫର ତାଙ୍କର କିଛି ଫଟୋ ଉଠାଇବା ପରେ ସେ ନିଜ ଦେଶରେ ରାତାରାତି ସେନସେସନ୍‌ ପାଲଟି ଯାଇଛନ୍ତି । ତାଙ୍କୁ ଅନେକଗୁଡ଼ିଏ ପ୍ରତିଷ୍ଠିତ ମଡେଲିଂ ଏଜେନ୍ସିରୁ ମଡେଲିଂ ଅଫର୍‌ ମିଳିଛି । 

୨୮ ବର୍ଷୀୟା ମିନ୍‌ ଜଣେ ଏକାକୀ ମା’ ହୋଇଥିବାବେଳେ ବିଗତ ବର୍ଷେ ହେଲା ଏହି ବୃତ୍ତିକୁ ଗ୍ରହଣ କରିନେଇଥିଲେ । ଗତମାସ ୧୪ରେ ବ୍ୟାଙ୍କକ୍‌ର ଏକ ରାସ୍ତାରେ ସେ ଝାଡୁମାରୁଥିବାବେଳେ ରୁଷ୍‌ର ଫଟୋଗ୍ରାଫର ସିମ୍ୟୋନ୍‌ ରେଜଚିକୋଭ୍‌ ତାଙ୍କୁ ଦେଖିଥିଲେ । ମିନ୍‌ଙ୍କର ସୌନ୍ଦର୍ଯ୍ୟ ତାଙ୍କୁ ଏତେ ବିମୋହିତ କଲା ଯେ ସେ ଦୂରରୁ ଥାଇ ତାଙ୍କର କିଛି ଫଟୋ ଉଠାଇଲେ । ପରବର୍ତ୍ତୀ ସମୟରେ ରେଜଚିକୋଭ୍‌ ମିନ୍‌ଙ୍କୁ ତାଙ୍କର ଫଟୋସବୁ ଦେଖାଇଥିଲେ । ତାଙ୍କର ଅନନ୍ୟ ସୁନ୍ଦରତାକୁ ପ୍ରଶଂସା ବି କରିଥିଲେ । ନିଜ ଫଟୋ ଦେଖି ଖୁବ୍‌ ଖୁସି ହୋଇଯାଇଥିଲେ ମିନ୍‌ । 

ଏହି ସମୁଦାୟ ଘଟଣାକ୍ରମକୁ ରେଜଚିକୋଭ୍‌ ତାଙ୍କ କ୍ୟାମେରା ଲେନ୍ସରେ କଏଦ କରିଥିବାବେଳେ ତାକୁ ଟିକ୍‌ଟକ୍‌ରେ ପୋଷ୍ଟ କରିଥିଲେ । ସେହି ଭିଡିଓଟି ଭାଇରାଲ୍‌ ହୋଇଯାଇଥିଲା । ଇତିମଧ୍ୟରେ ମିନ୍‌ଙ୍କୁ ଥାଇଲାଣ୍ଡର ମେକଅପ୍‌ ଆର୍ଟିଷ୍ଟ ନୋଙ୍ଗ୍‌ ଚାଟ୍‌ ମାଗଣା ମେକ୍‌ଓଭର ସେସନ୍‌ରେ ଭାଗ ନେବାକୁ ଆମନ୍ତ୍ରଣ କରିଥିଲେ । ନୋଙ୍ଗ୍‌ ଚାଟ୍‌ଙ୍କ ଉତ୍ତୋଳିତ ମିନ୍‌ଙ୍କ ସେହି ପ୍ରଫେସନାଲ୍‌ ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ପରବର୍ତ୍ତୀ ସମୟରେ ନୋଙ୍ଗଙ୍କର କସ୍‌ମେଟିକ୍‌ ବ୍ରାଣ୍ଡ ଲାଗି ମଡେଲ୍‌ ସାଜିଥିଲେ ମିନ୍‌ । ତାକୁ ଦେଖି ଅନ୍ୟ ବ୍ରାଣ୍ଡ ଓ ମାର୍କେଟିଂ ଏଜେନ୍ସି ତାଙ୍କ ସହ ଯୋଗାଯୋଗ କଲେ । ନିଜର ନୂଆ କ୍ୟାରିୟର ଉପରେ ଫୋକସ୍‌ କରିବାକୁ ମିନ୍‌ ଏବେ ଝାଡୁଦାର ଚାକିରି ଛାଡି଼ଥିବା ଘୋଷଣା କରିଛନ୍ତି ।