ନୂଆଦିଲ୍ଲୀ,୦୮/୧୨: ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। କାମ୍ବୋଡିଆ ସୀମାରେ ଥାଇଲ୍ୟାଣ୍ଡର ଏୟାରଷ୍ଟ୍ରାଇକ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି କରିଥିଲେ। ଥାଇଲ୍ୟାଣ୍ଡ ଏବେ ଯୁଦ୍ଧବିରତି ଉଲ୍ଲଂଘନ କରି ବିମାନ ଆକ୍ରମଣ କରିଥିବା ବେଳେ ଉଭୟ ଦେଶ ପରସ୍ପରକୁ ଯୁଦ୍ଧବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି।

ଏନେଇ ଜଣେ ଥାଇ ସାମରିକ ଅଧିକାରୀ କହିଛନ୍ତି ଯେ, କାମ୍ବୋଡିଆର ସାମରିକ ସ୍ଥାନ ଉପରେ ବିମାନ ଆକ୍ରମଣ ସୋମବାର ସକାଳେ ହୋଇଥିବା ଏକ ଆକ୍ରମଣର ଜବାବ ଥିଲା। ଯେଉଁଥିରେ ଜଣେ ଥାଇ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ପୂର୍ବ ପ୍ରଦେଶ ଉବୋନ ରାଚଥାନିର ଦୁଇଟି ଅଞ୍ଚଳରେ ହିଂସା ଦେଖାଦେଇଛି, ଯେଉଁଥିରେ ଜଣେ ଥାଇ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି।

ଏକ ବିବୃତ୍ତିରେ କାମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବିମାନ ଆକ୍ରମଣକୁ ନିଶ୍ଚିତ କରି କହିଛି, "ଡିସେମ୍ବର ୮ କାଳ ପ୍ରାୟ ୫ଟା ୪ ମସମୟରେ, ଥାଇ ସାମରିକ ବାହିନୀ ପ୍ରିଆହ ଭିହୟାର ପ୍ରଦେଶର ଆନ୍ ସେସ୍ ଅଞ୍ଚଳରେ କାମ୍ବୋଡିଆନ୍ ସେନା ଉପରେ ଆକ୍ରମଣ କରିଥିଲେ।"ବିବୃତ୍ତିରେ କୁହାଯାଇଛି ଯେ କାମ୍ବୋଡିଆ ପ୍ରତିଶୋଧ ନେଇନାହିଁ। କାମ୍ବୋଡିଆ ଏହା ମଧ୍ୟ କହିଛି ଯେ ଏହା ଥାଇ ପକ୍ଷ ଦ୍ୱାରା କରାଯାଇଥିବା ଅମାନବୀୟ ଏବଂ ବର୍ବର କାର୍ଯ୍ୟକୁ ଦୃଢ଼ ନିନ୍ଦା କରେ। ଥାଇଲ୍ୟାଣ୍ଡର ଏହି ଆକ୍ରମଣ ଅକ୍ଟୋବର ୨୬ ତାରିଖରେ ସ୍ୱାକ୍ଷରିତ ଯୁଦ୍ଧବିରତିର ଉଲ୍ଲଂଘନ ଥିଲା।

ଥାଇ ସେନା କହିଛି ଯେ, ସୋମବାର ସକାଳ ପ୍ରାୟ ୩ଟା ସମୟରେ କାମ୍ବୋଡିଆ ଥାଇ ସୀମାକୁ ଟାର୍ଗେଟ କରିବା ଆରମ୍ଭ କରିଥିଲା। ଏକ ପୃଥକ ବିବୃତ୍ତିରେ, କାମ୍ବୋଡିଆ ସେନା ଅଭିଯୋଗ କରିଛି ଯେ ଥାଇ ସେନା ସକାଳ ପ୍ରାୟ ୫ଟା ୦୪ ସମୟରେ କାମ୍ବୋଡିଆ ସେନା ଉପରେ ଆକ୍ରମଣ କରିଥିଲା।ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଦେଖାଦେଇଥିଲା, ଯାହା ଫଳରେ ପାଞ୍ଚ ଦିନିଆ ଯୁଦ୍ଧ ହୋଇଥିଲା। ପରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ହୋଇଥିଲା। ଅକ୍ଟୋବରରେ କୁଆଲାଲମ୍ପୁରରେ ଦୁଇ ନେତା ଏକ ଶାନ୍ତି ଚୁକ୍ତିନାମା ମଧ୍ୟସ୍ଥତା କରିଥିଲେ। ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇଥିଲା, ଦୁଇ ପଡ଼ୋଶୀ ପରସ୍ପର ଉପରେ ରକେଟ୍ ମାଡ଼ କରିଥିଲେ, ଯେଉଁଥିରେ ଅତି କମରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୩୦୦,୦୦୦ ଲୋକଙ୍କୁ ଅସ୍ଥାୟୀ ଭାବରେ ବିସ୍ଥାପିତ କରାଯାଇଥିଲା।