ନୂଆଦିଲ୍ଲୀ, ୨୮/୦୭ : ଥାଇଲାଣ୍ଡ ଏବଂ କାମ୍ଵୋଡ଼ିଆ ଭିତରେ ଥମିବ ବିବାଦ। ସୋମବାର ମାଲେସିଆରେ ଦୁଇ ଦେଶ ମଧ୍ୟରେ ହେବ ଶାନ୍ତି ଆଲୋଚନା। ମାଲେସିଆ ପ୍ରଧାନମନ୍ତ୍ରୀ ଅନବର ଇବ୍ରାହିମ ମଧ୍ୟସ୍ଥତାରେ ଥାଇର କାର୍ଯ୍ୟକାରୀ ପିଏମ୍ ଫୁମଥାମ ୱେଚାୟାଚାଈ ଏବଂ କାମ୍ବୋଡ଼ିଆ ପ୍ରଧାନମନ୍ତ୍ରୀ ହୁନ ମିନେଟଙ୍କ ମଧ୍ୟରେ ଯୁଦ୍ଧବିରତି ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ। ଏନେଇ ମାଲେସିଆର ବୈଦେଶିକ ମନ୍ତ୍ରୀ ମହମ୍ମଦ ହସନ୍ ସୂଚନା ଦେଇଛନ୍ତି। ଦୁଇ ପଡ଼ୋଶୀ ଦେଶ ଭିତରେ ୪ ଦିନର ରକ୍ତାକ୍ତ ସଙ୍ଘର୍ଷରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୨ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ରବିବାର ମଧ୍ୟ ଦୁଇ ଦେଶ ଭିତରେ ସଙ୍ଘର୍ଷ ଜାରି ରହିଥିବା ସୂଚନା ମିଳିଛି ।
ଅନୱର ରବିବାର କହିଛନ୍ତି ଯେ, ତତ୍କାଳ ଯୁଦ୍ଧବିରତିର ଆବଶ୍ୟକତା ରହିଛି। ସେମାନେ ମୋତେ ଏକ ଶାନ୍ତି ଚୁକ୍ତିନାମା ଉପରେ ଆଲୋଚନା କରିବାକୁ କହିଛନ୍ତି । ଶାନ୍ତି ବୁଝାମଣା ପାଇଁ ଆଲୋଚନା କରିବି । କାମ୍ବୋଡିଆର ରାଷ୍ଟ୍ରପତି ହୁନ୍ ମାନେଟ୍ ରବିବାର କହିଛନ୍ତି ଯେ, "ତୁରନ୍ତ ଏବଂ ନିଃସର୍ତ୍ତ ଯୁଦ୍ଧବିରତି" ପାଇଁ ସେମାନେ ରାଜି ଅଛନ୍ତି । ସେପଟେ ଏହି ଆଲୋଚନାରେ ଫୁମଥାମ ଯୋଗଦେବେ ବୋଲି ଥାଇ ସରକାରଙ୍କ ଜଣେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି।
୩ଟି ପ୍ରସଙ୍ଗରେ ହୋଇପାରେ ଆଲୋଚନା
ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ୩ଟି ପ୍ରସଙ୍ଗରେ ଆଲୋଚନା ହୋଇପାରେ। ପ୍ରଥମରେ ୮୦୦ ବର୍ଷ ପୁରୁଣା ଶିବ ମନ୍ଦିର ଦ୍ଵିତୀୟରେ ବାଣିଜ୍ୟ ଚୁକ୍ତି ନେଇ ଟ୍ରମ୍ପଙ୍କ ଚେତାବନୀ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ତୃତୀୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ।
ଏହି ଖବରଟିକୁ ପଢନ୍ତୁ- ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ଥାଇଲାଣ୍ଡ-କମ୍ବୋଡ଼ିଆ, ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ
ଥାଇଲାଣ୍ଡ-କାମ୍ବୋଡିଆ ସଂଘର୍ଷ
୮ଶହ ବର୍ଷର ପୁରୁଣା ଦୁଇ ଶିବ ମନ୍ଦିରକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ଏହି ସଙ୍ଘର୍ଷରେ ଏ ପର୍ଯ୍ୟନ୍ତ ୩୪ ଲୋକଙ୍କ ମୃତ୍ୟୁ ହୋଇଛି । କାମ୍ବୋଡିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ମୁହାଁମୁହିଁ ଯୋଗୁ ଦେଶର ୧୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୮ ନାଗରିକ ଓ ୫ ସୈନିକ ଅନ୍ତର୍ଭୁକ୍ତ । ଏହାଛଡ଼ା ୭୧ଜଣ ଆହତ ହୋଇଛନ୍ତି । ସେପଟେ ଥାଇଲାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୪ ନାଗରିକ ଓ ୬ ସୈନ୍ୟ ରହିଛନ୍ତି । ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଥାଇଲାଣ୍ଡ ଜାଣିଶୁଣି ଆକ୍ରମଣ କରୁଥିବା ନେଇ କାମ୍ବୋଡିଆ ଅଭିଯୋଗ କରିଛି । ଥାଇ ସେନା ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କରିଥିବା କୁହାଯାଇଛି । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ବୋଡିଆ ଅପିଲ୍ କରିଥିଲା । ଥାଇଲାଣ୍ଡ ବି ଆଲୋଚନା ପ୍ରସ୍ତାବ ଦେଇଥିଲା । ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରି ଯୁଦ୍ଧବିରତି ପାଇଁ ରାଜି କରିଥିବା ଟ୍ରମ୍ପ କହିଛନ୍ତି। ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟ୍ରମ୍ପ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ।