ଚେନ୍ନାଇ, ୬।୫: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ତାମିଲନାଡୁ ରାଜନୀତିର ନୂଆ 'ଥାଲାପତି' ବିଜୟଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜୟଙ୍କ ଦଳ ତାମିଲଗା ଭେତରି କଝାଗମ୍ (TVK) ଏକ ଶାନଦାର ବିଜୟ ହାସଲ କରିବା ପରେ ସେ ଏବେ ରାଜ୍ୟର ଭାବି ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । କିନ୍ତୁ ଏହି ଖୁସି ଭିତରେ ତାଙ୍କ ପାରିବାରିକ ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ବିଶେଷ କରି ବିଜୟଙ୍କ ପୁଅ ଜେସନ ସଞ୍ଜୟ ନିଜ ପିତାଙ୍କୁ ଇନଷ୍ଟାଗ୍ରାମରେ 'ଅନଫଲୋ' କରିଦେଇଥିବା ନେଇ ଯେଉଁ ଖବର ଭାଇରାଲ ହେଉଛି, ତାହା ପ୍ରଶଂସକଙ୍କୁ ଚକିତ କରିଦେଇଛି । ଆସନ୍ତୁ ଜାଣିବା ଏହି ପୂରା ଘଟଣା ପଛର ସତ୍ୟତା କ’ଣ ?
କ’ଣ ସତରେ ଜେସନ ସଞ୍ଜୟ ବାପାଙ୍କୁ ଅନଫଲୋ କରିଛନ୍ତି ?
ସୋସିଆଲ ମିଡିଆରେ ଜେସନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର କିଛି ସ୍କ୍ରିନସଟ୍ ଭାଇରାଲ ହେବାରେ ଲାଗିଛି । ଦାବି କରାଯାଉଛି ଯେ, ନିର୍ବାଚନ ଜିତିବା ପରେ ପରିବାରରେ କଳହ ବଢ଼ିଛି ଏବଂ ଜେସନ ନିଜ ପିତାଙ୍କୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି । ବର୍ତ୍ତମାନ ଜେସନ ମୋଟ ୩୮ ଜଣଙ୍କୁ ଫଲୋ କରୁଛନ୍ତି, ଯେଉଁଥିରେ ବିଜୟ ସେତୁପତିଙ୍କ ଭଳି ବଡ଼ ବଡ଼ ଅଭିନେତା ଅଛନ୍ତି, କିନ୍ତୁ ସୁପରଷ୍ଟାର ବିଜୟଙ୍କ ନାଁ ସେଠାରେ ନାହିଁ । ତେବେ ଏହି ପ୍ରସଙ୍ଗରେ ଇଣ୍ଟରନେଟ୍ ୟୁଜରମାନେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । କିଛି ଲୋକଙ୍କ କହିବା କଥା, ବାପା-ପୁଅଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାରୁ ଜେସନ ଏଭଳି ପଦକ୍ଷେପ ନେଇଛନ୍ତି । ଅନ୍ୟପଟେ କିଛି ୟୁଜର ଯୁକ୍ତି ବାଢ଼ିଛନ୍ତି ଯେ, ଜେସନ କେବେ ବି ତାଙ୍କ ବାପାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁନଥିଲେ । ତେଣୁ ନିର୍ବାଚନ ଜିତିବା ପରେ ସେ ଅନଫଲୋ କରିଥିବା କଥା ସମ୍ପୂର୍ଣ୍ଣ ମିଛ ।
ବିବାହ ବିଚ୍ଛେଦ ଆବେଦନ ପରେ ବଢ଼ିଲା ଚର୍ଚ୍ଚା:
ଏହି ବିବାଦ ସେତେବେଳେ ଅଧିକ ଘନୀଭୂତ ହେଲା, ଯେତେବେଳେ ଗତ ଫେବୃଆରୀ ୨୭ରେ ବିଜୟଙ୍କ ପତ୍ନୀ ସଙ୍ଗୀତା ଚେଙ୍ଗଲପଟ୍ଟୁ ଜିଲ୍ଲା ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ୨୭ ବର୍ଷର ସଂସାର ଭାଙ୍ଗିବା ପାଇଁ ସଙ୍ଗୀତା ନିଜ ପିଟିସନରେ ବିଜୟଙ୍କ ବିରୋଧରେ କେତେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗଗୁଡ଼ିକ ହେଉଛି ବିଜୟଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ସେ ଦର୍ଶାଇଛନ୍ତି । ବିଜୟ ତାଙ୍କୁ ମାନସିକ ସ୍ତରରେ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ସଙ୍ଗୀତାଙ୍କ କହିବା ଅନୁଯାୟୀ, ୨୦୨୧ ମସିହାରୁ ବିଜୟ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି ଏବଂ ସମ୍ପୂର୍ଣ୍ଣ ଅଲଗା ରହୁଛନ୍ତି ।
ବିଜୟ ଏବଂ ସଙ୍ଗୀତାଙ୍କ ସମ୍ପର୍କରେ ତିକ୍ତତା ଆସିବା ପଛରେ ସାଉଥ୍ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଯେଉଁଦିନ ତାମିଲନାଡ଼ୁ ନିର୍ବାଚନର ଫଳାଫଳ ଆସିଲା, ସେଦିନ ତ୍ରିଷାଙ୍କ ଜନ୍ମଦିନ ମଧ୍ୟ ଥିଲା । ନିର୍ବାଚନ ଜିତିବା ପରେ ତ୍ରିଷା ବିଜୟଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିବା ନଜର ଆସିଥିଲା । ସୋସିଆଲ ମିଡିଆରେ ଅନେକ କଳାକାର ତ୍ରିଷାଙ୍କୁ 'ଡବଲ୍ ବର୍ଥଡେ' ସେଲିବ୍ରେସନର ଶୁଭେଚ୍ଛା ଜଣାଇବା ପରେ ପ୍ରଶଂସକଙ୍କ ମନରେ ସନ୍ଦେହ ଆହୁରି ଦୃଢ଼ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ବିଜୟ କିମ୍ବା ତାଙ୍କ ପୁଅ ଜେସନଙ୍କ ପକ୍ଷରୁ ଏହି ଅନଫଲୋ ପ୍ରସଙ୍ଗରେ କୌଣସି ଆଧିକାରିକ ସ୍ପଷ୍ଟିକରଣ ମିଳିନାହିଁ । ରାଜନୀତିରେ ସଫଳତାର ଶୀର୍ଷରେ ଥିବା ବିଜୟଙ୍କ ବ୍ୟକ୍ତିଗତ ଜୀବନ ଏବେ ଘୋର ଝଡ଼ ଦେଇ ଗତି କରୁଛି । ସ୍ତ୍ରୀଙ୍କ ସହ ଛାଡ଼ପତ୍ର ମାମଲା ଏବଂ ପୁଅଙ୍କ ସହ ସମ୍ପର୍କକୁ ନେଇ ଉଠୁଥିବା ପ୍ରଶ୍ନ ତାଙ୍କର ଏହି ବିରାଟ ବିଜୟର ଉତ୍ସବକୁ କେଉଁଠି ନା କେଉଁଠି ଫିକା କରିଦେଇଛି । ଆଗକୁ ଦେଖିବାକୁ ବାକି ରହିଲା, ଏହି ଷ୍ଟାର୍ ପରିବାରର ବିବାଦ କେଉଁ ମୋଡ଼ ନେଉଛି ।
ଆହୁରି ବି ପଢ଼ନ୍ତୁ... ଦୁଇଟି କ୍ୟାବିନେଟ୍ ପଦ ବଦଳରେ ସମର୍ଥନ ! କଂଗ୍ରେସକୁ ନେଇ ସରକାର ଗଢ଼ିବ ଟିଭିକେ, ଶପଥରେ ସାମିଲ ହେବେ ରାହୁଲ ଗାନ୍ଧି