ଭୁବନେଶ୍ୱର, ୨୪/୦୯: ସରିଲା ଲୁଚକାଳି ଖେଳ । ଧରାପଡିଲେ ଥାର୍ ମାଲିକ । ସୋମନାଥ ବେହେରାଙ୍କୁ ପୁରୀରୁ ଗିରଫ କରିଛି ଖଣ୍ଡଗିରି ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର । ଥାର୍ ଦୁର୍ଘଟଣା ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ।
ଏହି ଘଟଣାରେ ଏସିପି ତାପସ ଚନ୍ଦ୍ର ପ୍ରଧାନ କହିଛନ୍ତି, ଭିଡିଓ ଯୋଗୁଁ କାର୍ ରେସିଙ୍ଗ କରୁଥିଲେ । ପୂର୍ବରୁ ୪ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଥାର୍ ଗାଡ଼ି ମାଲିକ ସୋମନାଥ ବେହେରା ଏବଂ ତାକୁ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ସନ୍ଦୀପ ନସ୍କରକୁ ବି ପୁଲିସ ଗିରଫ କରିଛି । ଏହି ଘଟଣାରେ ମୋଟ୍ ୬ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି I ଏହି ଦୁର୍ଘଟଣା ପରେ ଗାଡ଼ି ଚଳାଇଲା ବେଳେ, ଚାଳକ କିମ୍ବା ପାସେଞ୍ଜର ରିଲ୍ସ କରିବା ସହ ରେସିଙ୍ଗ ନକରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସୂଚନା ଥାଉକି, ଗତ ରାକ୍ଷୀ ପୂର୍ଣ୍ଣମୀ ଦିନ ଥାର୍ ଧକ୍କାରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ୨ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ମାତ୍ର ପରେ ଚିକିତ୍ସିତ ଅବସ୍ଥାରେ ମା’ର ଜୀବନ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ବଢ଼ିଥିବା ବେଳେ ମୃତକଙ୍କ ପରିବାର ଲୋକ ଟାୟାର ଜାଳି ରାସ୍ତା ରୋକ କରିବା ସହ ପ୍ରତିବାଦ କରିଥିଲେ । ପୁଲିସ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।ଏହି ମାମଲାରେ ଥାର୍ ମାଲିକ କିଏ ଜଣାପଡିଥିଲେ ମଧ୍ୟ ତାଙ୍କୁ ଧରିବାରେ ଫେଲ୍ ମାରିଥିଲା ପୁଲିସ । ଏମିତିକି ଥାର୍ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବା ନେଇ ଚର୍ଚ୍ଚା ହୋଇଥିଲା । ଥାର୍ ଗାଡ଼ିଟି ଜଟଣୀ ଅଞ୍ଚଳର ହୋଇଥିବା ସୂଚନାରୁ ଜଣାପଡ଼ିଥିଲା ।