ନୂଆଦିଲ୍ଲୀ ୩୦/୧୧: ଶୁକ୍ରବାର ଗୋଆରେ ଶେଷ ହୋଇଛି ୫୬ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଇଫି) । ୯ ଦିନିଆ ଏହି ଭବ୍ୟ ମହୋତ୍ସବରେ ବିଶ୍ୱର ବିଭିନ୍ନ କୋଣରୁ ଫିଲ୍ମ ନିର୍ମାତା ଓ କଳାକାର ଯୋଗ ଦେଇଥିଲେ । ଏ ଅବସରରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାରେ ୫୦ ବର୍ଷ ପୂରଣ ନିମନ୍ତେ ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । ସମ୍ମାନ ଗ୍ରହଣ ପାଇଁ ରଜନୀକାନ୍ତ ଶୁକ୍ରବାର ସକାଳେ ଗୋଆ ପହଞ୍ଚିଥିଲେ । ସେଠାରେ ହୋଟେଲ କର୍ମଚାରୀ ଓ ପ୍ରଶଂସକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ରଜନୀ ବିନମ୍ରତାର ସହ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ସନ୍ଧ୍ୟାରେ ପରିବାର ସହ ସେ ସମାରୋହରେ ଯୋଗ ଦେଇଥିଲେ ।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କୁ ଉପଢୌକନ ଓ ସ୍ମୃତିଫଳକ ଦେଇ ସମ୍ମାନିତ କଲେ । ଏ ଅବସରରେ ରଜନୀ କହିଲେ ‘ମୁଁ ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ଏଠାରେ ଉପସ୍ଥିତ ହୋଇଛି । ୫୦ ବର୍ଷର ମୋ କାମକୁ ପ୍ରଶଂସା ଓ ସମ୍ମାନ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ମୁଁ ପଛକୁ ବୁଲି ଦେଖିଲେ ଲାଗୁଛି ଯେମିତି ମୁଁ କେବଳ ୧୦-୧୫ ବର୍ଷ କାମ କରିଛି । ଏହାର କାରଣ କେବଳ ମୋ ସିନେମା ଓ ଅଭିନୟ ପ୍ରତି ପ୍ରେମ । ସେଥିପାଇଁ, ୧୦୦ ବର୍ଷ ପରେ ବି ମୁଁ ପୁଣି ଥରେ ଅଭିନେତା, ଅର୍ଥାତ୍ ରଜନୀକାନ୍ତ ରୂପେ ଜନ୍ମ ନେବାକୁ ଚାହିଁବି । ଆପଣଙ୍କ ଭଲପାଇବା ଓ ସମ୍ମାନ ପାଇଁ ଧନ୍ୟବାଦ ।’
ସମାପନ କାର୍ଯ୍ୟକ୍ରମରେ ଫିଲ୍ମ ଜଗତର ଦିବଂଗତ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ‘ଇନ୍ ଫଣ୍ଡ୍ ରିମେମ୍ବ୍ରାନ୍ସ ଅଫ୍ ଦ ଆର୍ଟିଷ୍ଟ୍ସ ୱି ଲଷ୍ଟ୍’ ଶୀର୍ଷକ କାର୍ଯ୍ୟକ୍ରମରେ ବଲିଉଡର ପ୍ରଖ୍ୟାତ ଅଭିନେତା ଧର୍ମେନ୍ଦ୍ର, କାମିନୀ କୌଶଲ, ସୁଲକ୍ଷଣା ପଣ୍ଡିତ, ସତୀଶ ଶାହ, ପୀୟୁଷ ପାଣ୍ଡେ, ଜୁବିନ ଗର୍ଗ ଓ ଶ୍ୟାମ ବେନେଗଲଙ୍କ ସ୍ମୃତି ଚାରଣ କରାଯାଇଥିଲା । ଭିଏତନାମ ଫିଲ୍ମ ‘ସ୍କିନ୍ ଅଫ୍ ୟୁଥ୍’କୁ ମିଳିଛି ଚଳିତ ବର୍ଷର ଗୋଲ୍ଡେନ ପିକକ୍ ସମ୍ମାନ । ଫିଲ୍ମର ନିର୍ଦ୍ଦେଶକ ଆଶ୍ ମେଫେୟର ଓ ଅଭିନେତ୍ରୀ ଟ୍ରାନ୍ କ୍ୱାନ ଏହି ସମ୍ମାନ ଲାଭ କରିଛନ୍ତି । ଫିଲ୍ମ ‘ଏ ପୋଏଟ୍’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସିଲଭର୍ ପିକକ୍ ପୁରସ୍କାର ଲାଭ କରିଛନ୍ତି ଉବେଇମାର ରିୟୋସ । ‘ଲିଟିଲ୍ ଟ୍ରବଲ୍ ଗର୍ଲସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଲାଭ କରିଛନ୍ତି ଜାରା ସୋଫିଆ ଓଷ୍ଟାନ୍ । ମରାଠୀ ଫିଲ୍ମ ‘ଗୋନ୍ଧଲ’ର ନିର୍ଦ୍ଦେଶକ ସନ୍ତୋଷ ଦୱାଖରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଇରାନର ଫିଲ୍ମ ନିର୍ଦ୍ଦେଶକ ହେସାମ ଫରହମନ୍ଦ ଓ ଏଷ୍ଟୋନିଆର ଫିଲ୍ମ ନିର୍ମାତା ଟୋନିସ ପିଲଙ୍କୁ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି । ଇରାନର ଫିଲ୍ମ ‘ସେଫ୍ ହାଉସ୍’କୁ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପ୍ରଦାନ କରାଯାଇଛି । ମାନବିକତା ଓ ଭୁଲ-ଠିକ୍ ମଧ୍ୟରେ ସଂଘର୍ଷକୁ ଉତ୍ତମ ରୂପେ ଦର୍ଶାଇବା ପାଇଁ ଏହି ଫିଲ୍ମକୁ ପ୍ରଶଂସିତ କରାଯାଇଛି । ଫିଲ୍ମ ‘ମାଇଁ ଫାଦର୍ସ ଶ୍ୟାଡୋ’ ପାଇଁ ଅକିନୋଲା ଡେଭିସ୍ ଜୁନିୟରଙ୍କୁ ସ୍ପେଶାଲ ଜୁରି ସମ୍ମାନ ମିଳିଛି ।
ଇଣ୍ଡିଆନ ପାନୋରମା ବିଭାଗରେ ଚଳିତ ବର୍ଷ ୨୫ ଫିଚର୍ ଫିଲ୍ମ, ୨୦ ଅଣ-ଫିଚର୍ ଫିଲ୍ମ ଓ ୫ ଡେବ୍ୟୁ ଫିଚର୍ ସାମିଲ ଥିଲା । କରଣ ସିଂହ ତ୍ୟାଗୀଙ୍କୁ ଫିଲ୍ମ ‘କେସରୀ ଚାପ୍ଟର-୨’ ପାଇଁ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ସମ୍ମାନ ମିଳିଛି । ଇଫିରେ ଚଳିତ ବର୍ଷ ପ୍ରଥମ ଥର ଓଟିଟି ବିଭାଗରେ ସମ୍ମାନ ପ୍ରଦାନ କରାଯାଇଛି । ଆନନ୍ଦ ତିୱାରୀଙ୍କ ୱେବସିରିଜ୍ ‘ବନ୍ଦିଶ ବ୍ୟାଣ୍ଡିଟ୍ସ’ ସିଜନ୍-୨କୁ ଶ୍ରେଷ୍ଠ ୱେବ୍ ସିରିଜ୍ ପୁରସ୍କାର ମିଳିଛି ।