ନୂଆଦିଲ୍ଲୀ: ଇରାନ୍‌ର ସୈନ୍ୟ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ । ଆଜି ତେହରାନ ସମେତ ଏହାର ଆଖପାଖ ସହର ପ୍ରଚଣ୍ଡ ବିସ୍ଫୋରଣରେ ଥରିଉଠିଛି । ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ଇରାନ୍‌ କରିଥିବା ଆକ୍ରମଣ ବିରୋଧରେ ଏହା ଆଇଡିଏଫର ପ୍ରତି ଜବାବ । ତେବେ ଇସ୍ରାଏଲର ଏହି ଆକ୍ରମଣ ପରେ ଇରାନ୍‌, ସିରିୟା ଏବଂ ଇରାକ ଆକାଶ ସୀମାକୁ ବନ୍ଦ କରିଦିଆଯାଇଛି । କିନ୍ତୁ ଏବେ ଇରାନ୍‌ ନିଜର ବିମାନ ସେବା ଆରମ୍ଭ କରିଛି ବୋଲି ଘୋଷଣା କରିଛି । 

ସେପଟେ ଇସ୍ରାଏଲ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ଇରାନ୍‌ କହିଛି । ଇରାନ୍‌ର ତାସନିମ୍‌ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ, ଇସ୍ରାଏଲକୁ ଜବାବ ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ । ସେହିଭଳି ଯଦି ଇରାନ୍‌ ପୁଣି ଥରେ ଆକ୍ରମଣ କରେ ତେବେ ଏଥିପାଇଁ ତାକୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି । ଇସ୍ରାଏଲର ଏହି ଆକ୍ରମଣରେ କମ୍‌ କ୍ଷତି ହୋଇଛି ବୋଲି ଇରାନ୍‌ ପକ୍ଷରୁ କୁହାଯାଇଛି । 

ଇସ୍ରାଏଲ ଆକ୍ରମଣ କରିବ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିଲା ଏବଂ ଏଥିରରେ କୌଣସି ଆମେରିକୀୟ ଅଧିକାରୀଙ୍କ ସଂପୃକ୍ତି ନାହିଁ ବୋଲି ହ୍ବାଇଟ ହାଉସ୍‌ କହିଛି । ଆମେରିକାର ଜାତୀୟ ସୁରକ୍ଷା କାଉନସିଲ୍‌ର ମୁଖପାତ୍ର ସିନ୍‌ ସାଭେଟ କହିଛନ୍ତି, ଆତ୍ମରକ୍ଷା ପାଇଁ ଇସ୍ରାଏଲ ଏହି ଆକ୍ରମଣ କରିଛି । ଏହା ସହ ଆଗକୁ ଇସ୍ରାଏଲ ଉପରେ ଆକ୍ରମଣ ନକରିବାକୁ  ସେ ଇରାନ୍‌କୁ ଅପିଲ୍‌ କରିଛନ୍ତି । ଫଳରେ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ଆଗକୁ ବଢ଼ିବ ନାହିଁ ।