ସଇଁତଳା,୨୧/୬ : ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକ ସମସ୍ୟା ବଢ଼ି ଚାଲିଛି । ଲୋକଙ୍କୁ ସ୍ଥାନୀୟ ନିଯୁକ୍ତି ଦେବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ। ଗତ ଗୋଟିଏ ବର୍ଷ ଭିତରେ ଦୁଇରୁ ଅଧିକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିବାବେଳେ ଆଜି ଆଉ ଏକ ଦାଦନ ଶ୍ରମିକର ଶବ ଗାଁକୁ ଫେରିଛି ।
ସୂଚନା ଅନୁସାରେ, ସଇଁତଳା ବ୍ଲକ ଧରବଗଡ଼ ପଞ୍ଚାୟତ ପେଣ୍ଡରାମାଲ ଗାଁର ପର୍ଖିତ ମାଝୀଙ୍କ ୨୦ବର୍ଷୀୟ ପୁଅ ଜଗନି ଗତ ୨ ମାସ ତଳେ ବାହାର ରାଜ୍ୟ ଗୁଜରାଟର ଭୁଜ ଅଞ୍ଚଳକୁ ଏକ ଠିକା ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ୪ଦିନ ତଳେ ସେଠାରେ କୌଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା। ଟଙ୍କା ଅସୁବିଧା ଯୋଗୁଁ ମୃତ୍ୟୁର ୪ଦିନ ବିତି ଯାଇଥିଲେ ବି ତାଙ୍କ ଶବ ଗାଁକୁ ଫେରି ନ ଥିଲା । ତେବେ ବହୁ କଷ୍ଟ କରି ପଇସାପତ୍ର ପରିବାର ଲୋକେ ସଂଗ୍ରହ କରି ପଠାଇବା ପରେ ମୃତଦେହ ଗାଁକୁ ଫେରିଥିଲା । ପରିବାରର ରୋଜଗାରିଆ ପୁଅ ଜଗନ ହୋଇଥିବାରୁ ଏବେ ପରିବାରର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ତେବେ ଦିନକୁ ଦିନ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଫେଲ୍ ମାରିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାଶ୍ରମ ବିଭାଗ । ଅନ୍ୟପଟେ ସରକାର ଦାଦନ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ କରିଥିବାବେଳେ ସରକାରର ଟାସ୍କ ଫୋର୍ସକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ମନରେଗା ଯୋଜନାର ସଠିକ୍ ଉପଯୋଗ କରିବା ପାଇଁ ସଧାରଣରେ ଦାବି ହେଉଛି ।