ହରଭଙ୍ଗା,୧୪/୧୨ : ବୌଦ୍ଧ ଜିଲ୍ଲାରେ ଶୀତର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଥିବାବେଳେ ରାତିରେ ପ୍ରବଳ ମାତ୍ରାରେ ଥଣ୍ଡା ପଡୁଛି ଏବଂ ସକାଳ ସମୟରେ କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଛି । ଏପରିକି ସକାଳ ୮ ରୁ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଥଣ୍ଡା ଲାଗି ରହୁଥିବାରୁ ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡ଼ୁଛି । ଥଣ୍ଡା ପବନ ସହ ଶୀତର ପ୍ରକୋପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଅସୁବିଧା ଅନୁଭବ କରୁଛନ୍ତି।
ଶୀତ ବଢ଼ିବା ସହ ଗାଁ ଗଣ୍ଡା ଓ ସହର ଅଞ୍ଚଳରେ ସନ୍ଧ୍ୟା ହୋଇଗଲେ ଶୂନସାନ ଦେଖାଯାଉଛି । ଏପଟେ ଶ୍ରମିକ, ଚାଷୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଶୀତ ପାଇଁ କାର୍ଯ୍ୟ କ୍ଷେତ୍ରରେ ବାଧାପ୍ରାପ୍ତ ହେଉଥିବାବେଳେ ଲୋକମାନେ ବିଭିନ୍ନ ଶୀତବସ୍ତ୍ର ପରିଧାନ କରୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ଗ୍ରାମାଞ୍ଚଳ ହେଉ କି ସହର ବଜାରରେ କେତେକ ସ୍ଥାନରେ ଲୋକେ ନିଆଁ ଲଗାଇ ଶୀତକୁ ମୁକାବିଲା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଶୀତ ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ବୃଦ୍ଧ, ଶିଶୁ ଓ ରୋଗୀଣା ବ୍ୟକ୍ତିମାନେ ସର୍ଦି-ଖାସ, ଜ୍ୱରରେ ପୀଡ଼ିତ ମଧ୍ୟ ହେଉଥିବା ଅନୁମାନ କରାଯାଉଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ପାହାଡ଼ିଆ ଅଞ୍ଚଳ ଆଡ଼େନିଗଡର ପଞ୍ଚାୟତ କଣ୍ଡରା, କାଚପାଜୁ, ସୁଲୁକେଟି, ବାଙ୍କୀପାଜୁ, ତଳ ଗାଁ ପଞ୍ଚୟତ, ମହାଳିକ ପଡା, କୁସଙ୍ଗ, ଛତ୍ରଙ୍ଗ ଭଳି ପାହାଡିଆ ଅଞ୍ଚଳ ଗ୍ରାମ ଗୁଡ଼ିକରେ ହାଡ଼ ଭଙ୍ଗା ଶୀତ ଲୋକେ ଅନୁଭୂତ କରୁଛନ୍ତି । ଏପଟେପାଣି ପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ କମ୍ବଳ ବଣ୍ଟନ କରିବାକୁ ସାଧାରଣରେ ଦାବି ହେଉଛି ।