ରାଉରକେଲା,୨୬/୧୨: ୨ ଦିନ ପରେ ନିର୍ଦ୍ଧାରିତ ରୁଟରେ ଗଡିଥାନ୍ତା। ଗାଡି ଗଡ଼ିବା ପୂର୍ବରୁ ବସ୍କୁ ଜାଳି ଦେଲେ ଦୁର୍ବୁତ୍ତ। ରାଉରକେଲାର ବାଲିଯୋଡିରୁ ଏହି ଘଟଣା ସାମ୍ନାକୁ ଆସିଛୁ।
ସୂଚନା ଅନୁସାରେ, ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଚଳାଚଳ କରୁଥିବା 'ଅଞ୍ଜଳି ' ନାମକ ଘରୋଇ ବସର ମାଲିକ ଅମୀୟ ମଳିକ କିଛି ଦିନ ପୂର୍ବେ ଦୁଇଟି ନୂଆ ବସ ଆଣିଥିଲେ। ଦୁଇଟି ବସର ପରମିଟ ହୋଇନଥିବାରୁ ନିଜ ଘର ନିକଟରେ ଛିଡା କରିଥିଲେ। ଏହାରି ଭିତରେ ପରମିଟ ବାହାରିଥିଲା, ଆଉ ଦୁଇ ଦିନ ପରେ ଦୁଇଟି ଯାକ ବସ ରୁଟରେ ଚାଲିଥାନ୍ତା । ମାତ୍ର ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୋଟିଏ ବସରେ ନିଆଁ ଲଗାଇ ଦେଇଥିଲା। ଗାଡ଼ି ଜଳୁଥିବା ଜାଣିପାରି ସ୍ଥାନୀୟ ଲୋକ ଘରୁ ପଦାକୁ ବାହାରିବାରୁ ଅନ୍ୟ ଏକ ବସରେ ନିଆଁ ଲଗାଇ ପାରିନଥିଲେ ଦୁର୍ବୁତ୍ତ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ମାତ୍ର ସେତେବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଆଜି ସକାଳେ ଟାଙ୍ଗରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।