ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିର ନିମନ୍ତେ ଖୋଲୁ ସ୍ୱତନ୍ତ୍ର ଘିଅ ଡିପୋ, ଓମ୍‌ଫେଡ୍‌କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

Published By : Rasmita Pradhan | October 16, 2024 9:35 AM

ପୁରୀ, ୧୬/୧୦ : ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ହେଉ ଅବା ଦୀପରେ ବ୍ୟବହାର ନିମନ୍ତେ କେବଳ ଓମଫେଡ୍‌ ଘିଅ ବ୍ୟବହାର ପାଇଁ ପ୍ରଶାସନ ସ୍ଥିର କରୁଛି । ଓମ୍‌ଫେଡ୍‌ ଭିନ୍ନ ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ପଶିବନି । ତେଣୁ ଯଥେଷ୍ଟ ପରିମାଣରେ ଓମ୍‌ଫେଡ୍‌ ଘିଅ ଶ୍ରୀମନ୍ଦିରକୁ ଯୋଗାଇ ଦେବା ନିମନ୍ତେ ଏକ ଡିପୋର ବ୍ୟବସ୍ଥା କରାଯାଉ । ଏନେଇ ସହଯୋଗ ପ୍ରଦାନ କରିବାକୁ ଓମ୍‌ଫେଡକୁ ଅନୁରୋଧ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଡିପୋ ଖୋଲାଯିବାକୁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ପତ୍ର ଲେଖିଥିବା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ମୁଖ୍ୟ ପ୍ରଶାସକ ପତ୍ରରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି । ଏନେଇ ସମ୍ପୃକ୍ତ ନିଯୋଗଗୁଡ଼ିକ ସହ ମଧ୍ୟ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି । ତେଣୁ ଶ୍ରୀମନ୍ଦିରରେ ଓମଫେଡ ଘିଅର ଆବଶ୍ୟକତାକୁ ନଜରରେ ଯଥେଷ୍ଟ ଘିଅ ମହଜୁଦ୍‌ ରଖିବାକୁ ପଦକ୍ଷେପ ନିଆଯାଉ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମିଶ୍ରଣକୁ ମଧ୍ୟ ରୋକା ଯାଇପାରିବ । ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ ସେଥିପ୍ରତି ପଦକ୍ଷେପ ନେବାକୁ ଜଗୁଆଳି ଓ ସୁପକାରଙ୍କୁ ନିର୍ଦ୍ଦେଶ ଏବଂ ଚେତାବନୀ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ନିର୍ଦ୍ଦେଶ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଜଣାଇ ଦିଆଯାଇଛି । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଅନ୍ୟ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରାଇ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.