ପୁରୀ,୧୩/୦୩: ବିକାଶ ନାମରେ ସହରର ଚିତ୍ର ବଦଳୁଛି । ସେହି ଭିତରେ ହଜିଯାଉଛି ଶ୍ରୀକ୍ଷେତ୍ରର ପରିଚୟ । ଶ୍ରୀମନ୍ଦିର ନିକଟରେ ରହିଥିଲା ୫ ପଟି । କଂସାରି (ବାସନ) ପଟି, ଲୁଗା ପଟି, ଖଜା ପଟି, ବଣିଆ ପଟି ଓ କୁମୁଟି ପଟି । ପଟି କହିଲେ ବ୍ୟବସାୟ ହବ୍ । ନିର୍ଦ୍ଦିଷ୍ଟ ପ୍ରକାର ସାମଗ୍ରୀ ସେଠାରେ ଉପଲବ୍ଧ ହେଉଥିଲା । ନିଜ ଚାହିଦା ଅନୁସାରେ ଗ୍ରାହକ ପଟିରେ ପହଞ୍ଚି ଜିନିଷ ସଂଗ୍ରହ କରୁଥିଲେ । ପରିକ୍ରମା ପ୍ରକଳ୍ପ ପାଇଁ ସମସ୍ତ ପଟି ଉଠାଗଲା । ଏବେ ବର୍ଷ ପରେ ବର୍ଷ ବିତୁଥିଲେ ସୁଦ୍ଧା ପଟି ବ୍ୟବସ୍ଥା କେଉଁଠି ବି ହେଉ ଫେରିଲାନି । ପଟି ହଟାଇ ହଜାର ହଜାର ବେପାରିଙ୍କ ପେଟ ପୋଡ଼ିଦେଲେ ।

କେଉଁଠାରେ କେଉଁ ଜିନିଷ ମିଳୁଛି ସହରବାସୀ ମଧ୍ୟ ଦ୍ୱନ୍ଦ୍ୱରେ । ଫଳରେ ବେପାରି ଓ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ପୁରୁଖା ଲୋକେ ସେହି ଶହ ଶହ ବର୍ଷ ପୁରୁଣା ପଟିକୁ ଆଜି ବି ଝୁରୁଛନ୍ତି । ପଟି କହିଲେ ତିନି ଥାକରେ ହେଉଥିଲା ବ୍ୟବସାୟ । ସ୍ଥାୟୀ ଦୋକାନ ଆଗକୁ କିଛି କ୍ୟାବିନ୍ ଓ ତା ନିକଟରେ ରାସ୍ତାରେ କେତେକ କ୍ଷୁଦ୍ର ବ୍ୟବସାୟୀ ବସୁଥିଲେ । ସହରବାସୀ ହୁଅନ୍ତୁ କି ଯାତ୍ରୀ ସେହିସବୁ ପଟି ଉପରେ କିଣାକିଣି ପାଇଁ ନିର୍ଭର କରୁଥିଲେ । ଶ୍ରୀକ୍ଷେତ୍ରର ପଟି ନାମରେ ଏସବୁ ବ୍ୟବସାୟ ସ୍ଥଳ ରାଜ୍ୟରେ ପ୍ରସିଦ୍ଧ ଥିଲା । ଲୋକେ ଏଠାରେ ପହଞ୍ଚି ତାରକସି କାମ ଠାରୁ କଂସା ଓ ପିତ୍ତଳ ସାମଗ୍ରୀ କିଣି ନେଉଥିଲେ ।

ବଣିଆ ପଟି ଏମାର ମଠ ପାଶ୍ୱର୍ରେ, କଂସାରି ପଟି ଦୋଳମଣ୍ଡପ ସାହି ଛକରୁ ରାଜାନହର ପର୍ଯ୍ୟନ୍ତ, ସମ୍ମୁଖରେ ବଡ଼ଆଖଡ଼ା ମଠ ତଳେ ଲୁଗା ପଟି, ଠିକ୍ ପଛକୁ ଲକ୍ଷ୍ମୀବଜାରରେ ଥିଲା କୁମୁଟି ପଟି ଓ ଶ୍ରୀମନ୍ଦିର ଦକ୍ଷିଣ ପୂର୍ବ କୋଣରୁ ବାଲି ସାହି ମୁହଁରେ ଭାଡ଼ିଏ ଖଜା ଦୋକାନ ଖୋଲି ଲୋକେ ଜାଣୁଥିଲେ ଖଜା ପଟି । ମାର୍କେଟ ଛକ ସ୍ଥିତ ଚୁଡ଼ା ପଟି ଏହି କିଛି ବର୍ଷ ପୂର୍ବର । ହେଲେ ଉପରୋକ୍ତ ୫ ପଟି କାହିଁ କେଉଁ କାଳର ଥିଲା । ଏହାର ସ୍ୱତନ୍ତ୍ର ପରିଚୟ ଓ ପ୍ରସିଦ୍ଧି ରହିଥିଲା । ପଟିର ଉପଯୋଗିତାକୁ ଆଜି ମଧ୍ୟ ସହରବାସୀ ଖୋଜି ହେଉଛନ୍ତି । ବାସେଳି ସାହିର ରବିନାରାୟଣ ଦାସ କୁହନ୍ତି, ଶ୍ରୀମନ୍ଦିର ନିକଟରେ ବହୁ କାଳରୁ ରହିଥିଲା ୫ ପଟି । ଆଗେ ଗଣେଶ ପୂଜା ସମୟରେ କିଏ କେତେ ଜାକଜମକରେ କାର୍ଯ୍ୟକ୍ରମ କରୁଛି ପ୍ରତିଯୋଗିତା ମଧ୍ୟ ହୁଏ । ଏବେ ପଟି ସବୁ ହଟି ଯିବାରେ ସହରବାସୀ ଜାଣିପାରୁନାହାନ୍ତି କେଉଁ ଜିନିଷ କେଉଁଠାରୁ ଆଣିବେ । ସେତେବେଳେ ଉତ୍ତରା ଛକରେ ମଧ୍ୟ ଏତେ ଦୋକାନ ନଥିଲା । ଲୋକେ ଆମ କଂସାରି ପଟିକୁ ଆସି ଭଲ ଭଲ ଜିନିଷ ନେଉଥିଲେ ।

ପଠାଘର ଠାରୁ ରାଣୀ ନହର ପର୍ଯ୍ୟନ୍ତ ଯେଉଁ ସବୁ ଦୋକାନ ଥିଲା ସେଥିରେ ବହୁ ହସ୍ତଶିଳ୍ପ ଉପକରଣ ମିଳୁଥିଲା । ଯାହାକି ସହର ଗୋଟାକ ଖୋଜିଲେ ମିଳୁ ନଥିଲା । ଏବେ ପଟି ହଜିବାରେ ଆମକୁ ଭାବିବାକୁ ତଥା ଖୋଜିବାକୁ ପଡ଼ୁଛି କେଉଁଠି କେଉଁ ଜିନିଷ ମିଳିବ । ଚୁଡ଼ଙ୍ଗ ସାହିର ଗଣେଶ ସାହୁ କୁହନ୍ତି, ଏବେକାର ସ୍ଥିତି ପୂରା ଅଲଗା । ପଟିଗୁଡ଼ିକ ଥିଲା ଆମେ ପୁରୀବାସୀ ତଥା ବହିରାଗତ ଯାତ୍ରୀଙ୍କ ପାଇଁ ଶୃଙ୍ଖଳିତ ବଜାର । ସେସବୁ ଭାଙ୍ଗିବା ଦ୍ୱାରା କେବଳ ଆମ ଲୋକେ ନୁହେଁ ଯାତ୍ରୀମାନେ ମଧ୍ୟ ଜିନିଷ ପାଉନାହାନ୍ତି । ମଲ୍ ଖୋଲି ଗମ୍ଭିରା ଭଳି କରାଗଲେ ପଟିର ସୁବିଧା କୁଆଡ଼ୁ ଆସିବ! କଂଗ୍ରେସ ଅମଳରେ ଦୁଇଟି ବଢ଼ିଆ ମାର୍କେଟ୍ (ମ୍ୟୁନିସିପାଲଟି ଓ ମହୋଦଧି) ଥିଲା । ଅତି ସୁବିଧାରେ କିଣାବିକା ହେଉଥିଲା । ଆଜିକାଲିର ସରକାର କେବଳ ନିଜ କଥା ବୁଝୁଛନ୍ତି । ଚାକଚକ୍ୟ ପାଇଁ ଲୋକଙ୍କ ସୁବିଧା ବଳି ପକାଉଛନ୍ତି ।

ଆହୁରି ପଢନ୍ତୁ-ରାଜ୍ୟସଭା ଭୋଟରେ ଘୋଡ଼ା ବେପାର ରୋକିବାକୁ କର୍ଣ୍ଣାଟକ ଗଲା କଂଗ୍ରେସ, ଆଜିଠୁ ବିଜେଡ଼ି ବିଧାୟକଙ୍କ ତାଲିମ, ବିଜେପିର ରୁଦ୍ଧଦ୍ୱାର ବୈଠକ

ସ୍ଥାନୀୟ ମୁରବି ସିଦେ୍ଧଶ୍ୱର ମହାପାତ୍ର କୁହନ୍ତି, ଏହି ପଟିରେ ବ୍ୟବସାୟ କରୁଥିବା ବ୍ୟକ୍ତି ଏହାକୁ ଲକ୍ଷ୍ମୀ ପସରା କହୁଥିଲେ । ପଟି ଉପରେ ନିର୍ଭର କରୁଥିବା ଗ୍ରାହକମାନେ ମଲ୍କୁ ଯାଆନ୍ତିନି । ବଳିତା ଠାରୁ ସିନ୍ଦୂର, ଚନ୍ଦନ କାଠରୁ ଠାକୁରଙ୍କ ମୂର୍ତ୍ତି, ପୁଣି ଦାମିକିଆ ପାଟରୁ ଆରମ୍ଭ କରି ଅଳଙ୍କାର ଆଦି ସବୁକିଛି ମିଳୁଥିଲା । ଏହି ପଟିଗୁଡ଼ିକ ବରଗଛ ଭଳି ବହୁ ଲୋକଙ୍କ ବଞ୍ଚିବାର ରାହା ଯୋଗାଇଥିଲା । ଯାତ୍ରୀଙ୍କ ଆଗମନରେ ଭଲ ରୋଜଗାର ହେଉଥିଲା । ଏବେ ପଟି ଉଠିବାରେ ସେହି ଆଶ୍ରା ହଟିଗଲା । ପରିବର୍ତ୍ତନ ଜଗତର ନିୟମ । ସେଥିପାଇଁ ମନା ନାହିଁ । ହେଲେ ସେଥିରୁ ଲୋକଙ୍କ ସୁବିଧା ହେଉ । ଏଣୁ ପୂର୍ବ କାଳର ପଟିକୁ ମନେ ପକାଇ ଲୋକଙ୍କ ଚାହିଦା ପୂରଣ ହେଲାଭଳି ଯେଉଁ ଜିନିଷ ପାଇଁ ଯେଉଁ ସ୍ଥଳ ଉପଯୁକ୍ତ ସେହି ଅନୁସାରେ ସରକାର ପଦକ୍ଷେପ ନିଅନ୍ତୁ ।