ହାଇଦ୍ରାବାଦ, ୨୯/୧୧ : ହାଇଦ୍ରାବାଦର ରାୟଦୁର୍ଗମ୍ ଥାନା ଅଞ୍ଚଳରେ ଜଣେ ସରୋଗେଟ୍ ମହିଳା ୯ ମହଲା କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିବା ମାମଲା। ଘଟଣାକୁ ଗୁରୁତର ସହ ନେଲା ଜାତୀୟ ମାନବ ଅଧିକାର କମିଶନ। ଦୁଇ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କଲା ଆୟୋଗ। ପୀଡ଼ିତା ମହିଳା ଜଣଙ୍କ ହେଉଛନ୍ତି ଓଡ଼ିଶାର ଆଶ୍ରିତା ସିଂହ।  

ସୂଚନା ଅନୁସାରେ, ରାଜେଶ ବାବୁ  ନାମକ ଜଣେ ୫୪ ବର୍ଷୀୟ ବ୍ୟକ୍ତି ‘ମାଇ ହୋମ୍‌  ଭୁଜା’ଆପାର୍ଟମେଣ୍ଟର ନବମ ମହଲାରେ ରହୁଥିଲେ । ଗତ ମାସ ୨୪ ତାରିଖରେ ସେ ଓଡ଼ିଶାରୁ ଆଶ୍ରିତା ନାମ୍ନୀ ଜଣେ ମହିଳାଙ୍କୁ  ସରୋଗେସି ପାଇଁ ଚୁକ୍ତି କରି ନେଇଥିଲେ । ଏଥିପାଇଁ ରାଜେଶ ୧୦ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସନ୍ଦୀପ ନାମକ ଜଣେ ବ୍ୟକ୍ତି ଆଶ୍ରିତା ଏବଂ ତାଙ୍କ ସ୍ୱାମୀ ସଞ୍ଜୟ ସିଂହଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଆଶ୍ରିତାଙ୍କୁ ରାଜେଶ ଜବରଦସ୍ତି ତାଙ୍କ ଫ୍ଲାଟ୍‌ରେ କିଛି ମାସ ପାଇଁ  ରଖିଥିଲେ । ତାଙ୍କ ସ୍ୱାମୀ ସଞ୍ଜୟଙ୍କ ରହିବା ପାଇଁ ରାଜେଶ ସେହି ଆପାର୍ଟମେଣ୍ଟରେ ଆଉ ଏକ  ଫ୍ଲାଟ୍‌ ଦେଇଥିଲେ । ଆଶ୍ରିତାଙ୍କୁ ରାଜେଶ ବନ୍ଦୀ ଭାବେ ରଖି ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ । ଏଥିସହ ସେ ଯେପରି ତାଙ୍କ ସ୍ୱାମୀଙ୍କ ସହ କଥା ହୋଇ ନପାରିବେ ସେ ବ୍ୟବସ୍ଥା ବି କରିଥିଲେ । ରାଜେଶଙ୍କ ପରିବାରକୁ ପିଲା ଜନ୍ମ କରି ଦେବାପାଇଁ ଯାଇଥିବା ଆଶ୍ରିତା ନିର୍ଯାତନାର ଶିକାର ହୋଇଥିଲେ । ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଆଶ୍ରିତା ଚରମ ନିଷ୍ପତ୍ତି ନେଇଥିଲେ । ନବମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ଏନେଇ ତାଙ୍କ  ସ୍ୱାମୀ ସଞ୍ଜୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି । ଆସନ୍ତା ମାସରେ ଆଶ୍ରିତାଙ୍କ ସରୋଗେସି ପ୍ରକ୍ରିୟା ଆରମ୍ଭ ହେବାର ଥିଲା।  କିନ୍ତୁ ସେ ଗର୍ଭବତୀ ହୋଇ ନଥିବା ପୁଲିସ ଜାଣିବାକୁ ପାଇଛି । 

ଅନ୍ୟପକ୍ଷରେ ରାୟଦୁର୍ଗମ୍‌ ପୁଲିସ ଏହି ଘଟଣାରେ ଅନେକ ରହସ୍ୟ ଥିବା ଅନୁମାନ କରୁଛି । ତଦନ୍ତ ବେଳେ ପୁଲିସକୁ ବାଲକୋନିରୁ ଦୁଇଟି ଶାଢ଼ି ଓ ଗୋଟିଏ ଚୁନି ମିଳିଛି। ଶାଢ଼ି ଓ ଚୁନି ବନ୍ଧା ହୋଇ ବାଲକୋନି ରେଲିଂରେ ଝୁଲୁଥିଲା। ଏଥିରୁ ଆଉ ଏକ ଅନୁମାନ ହେଉଛି ଯେ ଆଶ୍ରିତା ପଳାୟନ କରୁଥିବା ବେଳେ ଖସିପଡ଼ି ପ୍ରାଣ ହରାଇ ଥାଇପାରନ୍ତି। ରାୟଦୁର୍ଗମ୍‌ ସବଇନ୍ସପେକ୍ଟର ଭି ଶ୍ରୀନିବାସ  କହିଛନ୍ତି, ଆଶ୍ରିତାଙ୍କ ସ୍ୱାମୀ ସଞ୍ଜୟଙ୍କ ବୟାନରେ ତାଳମେଳ ରହୁନାହିଁ। ଗୋଟିଏ ବୟାନରେ ରାଜେଶ  ଆଶ୍ରିତାଙ୍କୁ ନିର୍ଯାତନା ଦେଇଆସୁଥିବା ସଞ୍ଜୟ କହୁଥିବା ବେଳେ ପୂର୍ବରୁ ଆଶ୍ରିତା ଆତ୍ମହତ୍ୟା ପ୍ରବଣତାର ସମ୍ମୁଖୀନ ହୋଇଥିବା ବି କହିଛନ୍ତି। ବଞ୍ଚିବାକୁ ଆଗ୍ରହ ନଥିବାରୁ ତାଙ୍କର ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଥିବା ନେଇ ଆଶ୍ରିତା ପୂର୍ବରୁ କହିଥିବା ସଞ୍ଜୟ ଦର୍ଶାଇଛନ୍ତି। ଏହି ଦୁଇଟି ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି । ତେବେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ଇନ୍ସପେକ୍ଟର ଶ୍ରୀନିବାସ କହିଛନ୍ତି।