ଭୁବନେଶ୍ୱର ୧୮/୦୨:  ଏବେଠୁ ଖରାର ପ୍ରକୋପ ଦେଖିବାକୁ ମିଳିଲାଣି । ସବୁ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଅନେକ ଅଞ୍ଚଳରେ ତାତି ୩୫ ଡିଗ୍ରୀ  ଟପିଯାଉଛି । ଫେବ୍ରୁଆରି ମାସରେ ଯଦି ଏତେ ଖରା, ଆଗକୁ ପରିସ୍ଥିତି କ’ଣ ହେବ  ତାକୁ ନେଇ ଚିନ୍ତା କରିଛି ଉଚ୍ଚଶିକ୍ଷା ବିଭାଗ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ବିଭିନ୍ନ  ପଦକ୍ଷେପ ନେବାକୁ ଏକ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରିଛି ବିଭାଗ । ତେଣୁ ସମସ୍ତ  କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୋମବାର ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ  ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଚିଠି ଆଧାରରେ କଲେଜ  ଓ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ନିଜ ହିସାବରେ  ସକାଳୁଆ ପାଠପଢ଼ା  କରିବେ ବୋଲି ଉଚ୍ଚଶିକ୍ଷା  ବିଭାଗର ଜଣେ ଅଧିକାରୀ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କିନ୍ତୁ ସକାଳୁଆ ସ୍କୁଲ ନେଇ କୌଣସି ଚିଠି ହୋଇନାହିଁ । 

ଏସ୍‌ଓପିରେ କୁହାଯାଇଛି, ସମସ୍ତ ପରୀକ୍ଷାକୁ ସକାଳୁଆ କରାଯିବ । ଘୋଷଣା  ହୋଇସାରିଥିବା ପରୀକ୍ଷାର କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରିବାକୁ କୁହାଯାଇଛି । ମଧ୍ୟାହ୍ନ  ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟମାନେ କୌଣସି ପ୍ରକାରର ଆଉଟଡୋର କାର୍ଯ୍ୟକ୍ରମ  କରିପାରିବେ ନାହିଁ । ଯାହାବି କାର୍ଯ୍ୟକ୍ରମ କରିବେ କେବଳ ସକାଳ ସମୟରେ । ସେହିପରି  ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପାନୀୟ ଜଳ ଏବଂ ଓଆର୍‌ଏସ୍‌ ବ୍ୟବସ୍ଥାକୁ ସୁନିଶ୍ଚିତ  କରିବେ । ପରିସରରେ ଥିବା ସମସ୍ତ ପାନୀୟ ଜଳ ଟ୍ୟାପ୍‌, ନଳକୂପର ମରାମତି କରିବେ।  କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟଏଡ୍‌ (ପ୍ରାଥମିକ ଚିକିତ୍ସା)ର ବ୍ୟବସ୍ଥା କରିବେ । କଲେଜର ମୁଖ୍ୟ ପିଲାଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ହେବାକୁ ସଚେତନ କରାଇବେ । ଏଥିସହ ଏକ ସ୍କ୍ୱାଡ ବିଭିନ୍ନ ସମୟରେ ଉଚ୍ଚଶିକ୍ଷାନୁଷ୍ଠାନ ଯାଇ ଖରାରୁ ରକ୍ଷା ପାଇଁ  ସମସ୍ତ ବ୍ୟବସ୍ଥା ଅଛି କି ନାହିଁ ଯାଞ୍ଚ କରିବେ ବୋଲି ଏସ୍‌ଓପିରେ ଉଲ୍ଲେଖ କରାଯାଇଛି ।