ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ), ୨୬/୧୦: ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ । ଲୋକଙ୍କ ସମସ୍ୟା ବୁଝିବାକୁ ହରଭଙ୍ଗା ବ୍ଲକ୍ କାଚପାଜୁ ଗାଁରେ ପହଞ୍ଚିଲେ ଜିଲ୍ଲାପାଳ । ଶନିବାର ଦିନ ୨ଟାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଏକ ବାଇକ୍ ଯୋଗେ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଗାଁର ଥିବା ମୌଳିକ ସମସ୍ଯାର ଶୀଘ୍ର ସମାଧାନ ହେବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ମୃତ ସୁନାମତୀଙ୍କ ସ୍ବାମୀ ଦୁତୀଆ ବେହେରାଙ୍କୁ ସମବେଦନା ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର କାଚପାଜୁ ଗ୍ରାମର ଦୁତୀଆ ବେହେରାଙ୍କ ପତ୍ନୀ ସୁନାମତୀଙ୍କ ଆଡେଣୀଗଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ମାତ୍ର ଗାଁକୁ ରାସ୍ତା ନଥିବାରୁ ମହାପ୍ରୟାଣ ଗାଡ଼ି ଯାଇପାରିନଥିଲା । ଫଳରେ ଦୁତୀଆ ବେହେରା ନିଜ ପତ୍ନୀଙ୍କ ଶବକୁ ବାଇକ୍ ଯୋଗେ ବୋହିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା l ଫଳରେ ଶନିବାର ଜିଲ୍ଲାପାଳ ଉକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ନିଜ ଗାଡି ଆଡେଣୀଗଡରେ ରଖି ପ୍ରାୟ ୧୨ କିମି ରାସ୍ତା ବାଇକ୍ରେ ବସି କାଚପାଜୁ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଦୁତୀଆ ବେହେରାଙ୍କୁ ଭେଟି ସମବେଦନା ଜଣାଇଥିଲେ l
ଜିଲ୍ଲାପାଳଙ୍କ ସହ ଯାଇଥିବା ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ଗ୍ରାମକୁ ଆସି ହିତାଧିକାରୀ ମାନଙ୍କୁ ନଗଦ ଆକାରରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ | ସେହିପରି ନିର୍ମାଣାଧିନ ରାସ୍ତା ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀକୁ ନିର୍ଦ୍ଦେଶ ଦେଇଥିଲେ l