ଭୁବନେଶ୍ୱର,୧୫/୦୧ : ଯାହା ଅନୁମାନ କରାଯାଉଥିଲା ସେଇଆ ହେଲା । ଆରମ୍ଭରୁ ଭୁବନେଶ୍ୱରେ ଆଣ୍ଠେଇଛି ଦୁଇଥାକିଆ ବା ଡବଲ ଡେକର ବସ୍‌ । ବିଦ୍ୟୁତ୍‌ ତାର ଲାଗି ଡବଲ ଡେକର ବସ୍‌ ଅଚଳ ହୋଇଗଲା । ବର୍ତ୍ତିଗଲେ ଯାତ୍ରୀ । ଏବେ ଗାଡ଼ିକୁ ମରାମତି ପାଇଁ ପାହାଳ ଗ୍ୟାରେଜ୍‌ରେ ରଖାଯାଇଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ, ଭୁବନେଶ୍ୱରରୁ ଖୋର୍ଦ୍ଧା ରୁଟ୍‌ରେ ବସ୍‌ ଯାଉଥିବା ବେଳେ ହଠାତ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ବିଦ୍ୟୁତ ପ୍ରବାହ ଫଳରେ ଗାଡ଼ିର ସର୍କିଟରେ ତ୍ରୁଟି ଦେଖାଯାଇଛି । ଫଳରେ ଏହି ରୁଟରେ ଡବଲ ଡେକରକୁ ବନ୍ଦ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ଜନପଥକୁ ବାଦ୍‌ ଦେଲେ ଅଧିକାଂଶ ରାସ୍ତାର ଓସାର ଅପେକ୍ଷାକୃତ କମ୍‌ ରହିଛି । ଫଳରେ ଏସବୁ ରାସ୍ତାରେ ଡବଲ ଡେକର ବସ୍‌ ଯାତାୟାତରେ ଅସୁବିଧା ହେଉଛି । ଏହାବାଦ ରାଜଧାନୀର ଅଧିକାଂଶ ରାସ୍ତାରେ ଟ୍ରାଫିକ ଭିଡ଼ ରହୁଛି । 

ଅଧିକ ପଢନ୍ତୁ-ମଝି ରାସ୍ତାରେ ଜଳିଗଲା ବିଏମ୍‌ସି ସଫେଇ ଗାଡ଼ି, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ଟିମ୍

ସେହିପରି ଭୁବନେଶ୍ୱର ବିଭିନ୍ନ ପ୍ରମୁଖ ରାସ୍ତାରେ ଗଛ ଡାଳ ରାସ୍ତାକୁ ଲମ୍ବିଛି । ଏଭଳି ସ୍ଥିତିରେ କ୍ରୁଟ ପକ୍ଷରୁ କିଣାଯାଉଥିବା ଡବଲ ଡେକର ବସ୍‌ ଚାଲିବାକୁ ନେଇ ପୂର୍ବରୁ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ଆଶଂକା ସତ ହୋଇଛି । ପୁରୀ ଓ ଭୁବନେଶ୍ୱର ରୁଟ୍‌ରେ ବର୍ତ୍ତମାନ ୫ଟି ବସ୍‌ ଚାଲୁଛି । ଏହି ସବୁ ରୁଟ୍‌ରେ ବସ୍‌ ଚାଲିବା ପୂର୍ବରୁ ସର୍ଭେ ହୋଇଥିଲା । ହେଲେ ହଠାତ୍‌ ବିଦ୍ୟୁତ୍‌ ତାର ବାଜିଲା । ଠିକ୍‌ ଭାବରେ ସର୍ଭେକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କ୍ରୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗାଡ଼ି ସର୍ଭିସିଂ ପାଇଁ ଗ୍ୟାରେଜ ଯାଇଛି । ହେଲେ ମାତ୍ର ୫ ଦିନ ଗାଡ଼ି ଗଡ଼ିବା ପରେ କି ସର୍ଭିସିଂର ଆବଶ୍ୟକତା ପଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି ।