ଆନନ୍ଦପୁର,୨୯।୧୦ : ବଡ ଭାଇର ସ୍ନେହ, ଆଦର ଓ ଭଲ ପାଇବାକୁ ଭୁଲି ଗଲା ସାନ ଭାଇ। ପିଲା ବେଳେ ବଡ ଭାଇ ସହ ସାଙ୍ଗ ହୋଇ ଖେଳିବା, ଖାଇବା ସବୁ କିଛି ସାନ ଭାଇ ଭୁଲିଗଲା। ବଡ ଭାଇର ନିବିଡ ବିଶ୍ବାସରେ ସାନ ଭାଇ ଦେଲା ବିଷ। ବଡ଼ ଭାଇକୁ ବିଷ ଦେଇ ମାରିଦେଲା ସାନ ଭାଇ। ଅଡିଓ ଭାଇରାଲ ହେବା ପରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ସମସ୍ତକୁ ଚକିତ କରିଛି। ଏହିପରି ଘଟଣା ଆନନ୍ଦପୁର ବ୍ଲକ ଶାଳପଡା ସ୍ଥିତ ଗୁଣ୍ଡିଚା କଲୋନୀରେ ଘଟିଛି।
ଶାଳପଡା ଗୁଣ୍ଡିଚା କଲୋନୀର ପ୍ରଦୀପ ଦାସଙ୍କ ୩ ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର। ବଡପୁଅ ଦେବବ୍ରତ ଘସିପୁରା ଥାନା ଇନ୍ଦୁପୁରା ନିକଟରେ ଏକ ଦେଶୀ କୁକୁଡ଼ା ଫାର୍ମ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଥିଲେ। ଫାର୍ମରେ ସାନ ଭାଇ ସତ୍ୟବ୍ରତକୁ ମଧ୍ୟ ରଖାଇଥିଲେ। ତେବେ ସାନଭାଇ କୌଣସି କାରଣକୁ ନେଇ ଦେବବ୍ରତର ଖାଦ୍ୟରେ ସ୍ଲୋ ପଏଜନ ଦେଇ ଚାଲିଥିଲା। ଏଥିଯୋଗୁଁ ଧୀରେ ଧୀରେ ଦେବବ୍ରତଙ୍କ ଦେହ ଖରାପ ମଧ୍ୟ ହୁଏ ହେଲେ ସେ ଡାକ୍ତର ଦେଖାଇ ମେଡ଼ିସିନ ଖାଇ ରହିଯାଆନ୍ତି ।
ହେଲେ ସେଦିନ ଥିଲା ସେପ୍ଟେମ୍ବର ମାସ ୪ ତାରିଖ। ବଡ଼ ଭାଇକୁ ମାରିବାକୁ ଫାର୍ମରେ ଥିବା କେମିକାଲକୁ ଢାଳି ଘରେ ତାଲା ପକାଇ ସାନଭାଇ ଫେରାର ହୋଇଯାଇଥିଲା। ହଠାତ ରାତିରେ ବଡ଼ ପୁଅ ଦେବବ୍ରତଙ୍କ ଫୋନ୍ ବାପା ପ୍ରଦୀପଙ୍କ ପାଖକୁ ଆସିଥିଲା। ଦେବବ୍ରତ କହିଥିଲେ ବାପା ସତ୍ୟବ୍ରତ ଓରଫ ଚଗୁଲୁ ମୋତେ ମାରିଦେବାକୁ ଚାହୁଁଛି। ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିୟମ ମିଶାଇ ରୁମ ତାଲା ପକାଇ ଦେଇ ପଳାଇଛି। ମୋତେ ନିକଟରେ ଥିବା କିଛି ଲୋକ ଉଦ୍ଧାର କରି ମେଡିକାଲ ନେଉଛନ୍ତି, ତୁମେ ଆସ। ଏକଥା ଶୁଣି ଶାଳପଡା ଗୁଣ୍ଡିଚା କଲୋନୀରେ ରହୁଥିବା ବାପା ପ୍ରଦୀପ ମେଡିକାଲ ଧାଇଁ ଆସିଥିଲେ। ମେଡିକାଲରେ ଦେଖିଥିଲେ ପୁଅ ଦେବବ୍ରତର ଅବସ୍ଥା ଗୁରୁତର। ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ଦେବବ୍ରତଙ୍କୁ କଟକ ସ୍ଥାନାନ୍ତର ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଶେଷରେ ଅକ୍ଟୋବର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ହେଲେ ମୃତ୍ୟୁ ପୂର୍ବରୁ ମେଡିକାଲରେ ସେ ସାନଭାଇ ସହିତ ହୋଇଥିବା କଥାବାର୍ତ୍ତାର ଭଏସ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ସେହିଦିନ ଠାରୁ ସତ୍ୟବ୍ରତ ଫେରାର ରହିଛି। ପରିବାର ଲୋକ ଏହି ଘଟଣାକୁ ଏବେ ଚିନ୍ତାରେ ରହିଛନ୍ତି । ଅନ୍ୟପକ୍ଷରେ ଦେବବ୍ରତଙ୍କ ବିଶ୍ବାସରେ ସତ୍ୟବ୍ରତ ସିନା ବିଷ ଦେଲେ କିନ୍ତୁ ଦେବବତ୍ର ମୃତ୍ୟୁ ମୁଖରେ ଥାଇ ମଧ୍ୟ ସତ୍ୟବ୍ରତଙ୍କ କଥା ଚିନ୍ତା କରିଥିଲେ। ତାହା ପ୍ରତି ଥିବା ସ୍ନେହ ଓ ଭଲ ପାଇବା ଦେବବ୍ରତଙ୍କ କମି ନ ଥିଲା। ସାନ ଭାଇ ବିରୋଧରେ ଏତଲା ନ ଦେବାକୁ କହିଥିଲେ ବଡ ଭାଇ।