ନୂଆଦିଲ୍ଲୀ, ୨୭।୨: ଭାରତୀୟ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ମଜଭୂତ ରହିଛି । ଋଣ ଏବଂ ଜମାରେ ନିରନ୍ତର ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି । ଅନ୍ୟପକ୍ଷରେ, ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ପରିସମ୍ପତ୍ତି(ଏନ୍‌ପିଏ) ଅନୁପାତ ବହୁ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଗୁରୁବାର ଜାରି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଥିବା ମୋଟ ଋଣରେ ଏନ୍‌ପିଏ ଭାଗ ୧୩ ବର୍ଷର ସର୍ବନିମ୍ନ ସ୍ତର ୨.୫%କୁ ଖସିଆସିଥିବା ଆର୍‌ବିଆଇ ଏହାର ‘ଟ୍ରେଣ୍ଡ୍‌ସ ଆଣ୍ଡ୍‌ ପ୍ରୋଗ୍ରେସ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌’ ରିପୋର୍ଟରେ ଉଲ୍ଲେଖ କରିଛି । ଏହା ମାର୍ଚ୍ଚ ଶେଷ ସୁଦ୍ଧା ୨.୭% ସ୍ତରରେ ଥିଲା । 

ସେହିଭଳି ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକର ନେଟ୍‌ ଏନ୍‌ପିଏ ଭାଗ ୦.୫୭%କୁ ଖସିଆସିଛି, ଯାହାକି ମାର୍ଚ୍ଚ ଶେଷ ସୁଦ୍ଧା ୦.୬୨% ଥିଲା । ୨୦୨୩-୨୪ରେ ଅଣ-ବ୍ୟାଙ୍କିଙ୍ଗ୍‌ ବିତ୍ତୀୟ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡ଼ିକର ଆସେଟ୍‌ ମାନରେ ବି ସୁଧାର ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏନ୍‌ବିଏଫ୍‌ସିଗୁଡ଼ିକର ନିରନ୍ତର ଦୁଇଅଙ୍କ ବାଲାନ୍ସ ସିଟ୍‌ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଥିବା ଆର୍‌ବିଆଇ ପ୍ରକାଶ କରିଛି । ବ୍ୟାଙ୍କଗୁଡ଼ିକ ମଧ୍ୟ କିଛି ବର୍ଷ ହେବ ସେମାନଙ୍କ ବାଲାନ୍ସ ସିଟ୍‌କୁ କ୍ଲିନ୍‌ କରି ଆସୁଛନ୍ତି । ଏନ୍‌ପିଏଗୁଡ଼ିକୁ ଏମାନେ ଆସେଟ୍‌ ରିକନ୍‌ଷ୍ଟ୍ରକ୍‌ସନ କମ୍ପାନିଗୁଡ଼ିକୁ ବିକ୍ରି କରୁଛନ୍ତି କିମ୍ବା ରାଇଟ୍‌ ଅଫ୍‌ କରୁଥିବା ଜଣାପଡ଼ିଛି ।