କଟକ,୧୩/୦୨: ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ୍‌ ବାହିନୀ ସ୍ପେସାଲ୍‌  ସିକ୍ୟୁରିଟି (ଓଏସ୍‌ଏପି-ଏସ୍‌ଏସ୍‌) ସମ୍ବଲପୁରଠାରେ ଥିବା ପ୍ରଥମ ବାଟାଲିୟନ୍‌ ଓ  କେନ୍ଦୁଝରଠାରେ ଥିବା ଦ୍ୱିତୀୟ ସ୍ପେସାଲ୍‌ ସିକ୍ୟୁରିଟି ବାଟାଲିୟନ୍‌କୁ ଚାରି ବର୍ଷ ତଳେ  ସରକାର ଭାଙ୍ଗି ଦେଇଥିଲେ । ଉଭୟ ବାଟାଲିୟନ୍‌ରେ ଥିବା ସିପାହୀମାନଙ୍କୁ ଜିଲ୍ଲା  ପୁଲିସକୁ ବଦଳି କରିଦିଆଯାଇଥିଲା । ଏବେ ପୁଣି ଦୁଇଟି ଯାକ ବାଟାଲିୟନ୍‌  ଗଢ଼ା ହେବ ବୋଲି ସୂଚନା ମିଳିଛି ।  ଦୁଇଟି ଯାକ ସ୍ପେସାଲ୍‌ ସିକ୍ୟୁରିଟି  ବାଟାଲିୟନ୍‌ ପୁନର୍ଗଠନ ପାଇଁ ପୁଲିସ୍‌  ମୁଖ୍ୟାଳୟ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ରାଜ୍ୟ  ଗୃହ ବିଭାଗର ଅନୁମୋଦନ ଅପେକ୍ଷାରେ ରହିଛି ବୋଲି ସୂଚନା ମିଳିଛି ।  

ରାଜ୍ୟରେ ଆଇନ୍‌ ଶୃଙ୍ଖଳା, ମାଓ ଦମନ ଆଦି କାର୍ଯ୍ୟରେ ଓଏସ୍‌ଏପି ବାହିନୀକୁ  ସହାୟତା ଦେବା ଲାଗି ରାଜ୍ୟରେ ୪ଟି ସ୍ୱତନ୍ତ୍ର ସିକ୍ୟୁରିଟି (ଏସ୍‌ଏସ୍‌) ବାଟାଲିୟନ ଗଠନ  ହୋଇଥିଲା । ପ୍ରଥମ ଏସ୍‌ଏସ୍‌ ବାଟାଲିୟନ ସମ୍ବଲପୁରରେ, ଦ୍ୱିତୀୟ ଏସ୍‌ଏସ୍‌ ବାଟାଲିୟନ  କେନ୍ଦୁଝରରେ, ତୃତୀୟ ବାଟାଲିୟନ ଗଜପତି ଜିଲ୍ଲାରେ ଓ ଚତୁର୍ଥ ବାଟାଲିୟନ  ମାଲକାନଗିରିରେ ସ୍ଥାପନ ହୋଇଥିଲା । ଉକ୍ତ ୪ଟି ଯାକ ବାଟାଲିୟନ୍‌ରେ ସ୍ୱତନ୍ତ୍ର ସିପାହୀ  ଓ ଅଫିସର ନିଯୁକ୍ତି ଦିଆଯାଇଥିଲା। 

କୋଭିଡ୍‌ ଅବସରରେ ଅର୍ଥାତ୍‌ ୨୦୨୧ରେ ହଠାତ୍‌  ସମ୍ବଲପୁର ଓ କେନ୍ଦୁଝର ଏସ୍‌ଏସ୍‌ ବାଟାଲିୟନ୍‌କୁ ଭାଙ୍ଗିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି  ନିଆଯାଇଥିଲା । ଏବେ ପୁଲିସ୍‌ର ଫୋର୍ସଙ୍କ ସଂଖ୍ୟା ହ୍ରାସ ସାଙ୍ଗକୁ ଆଇନ୍‌ ଶୃଙ୍ଖଳା ନିୟନ୍ତ୍ରଣ  କାର୍ଯ୍ୟ ଓ ଭିଭିଆଇପିଙ୍କ ଗସ୍ତରେ ସୁରକ୍ଷା ଦାୟିତ୍ୱ ବଢ଼ିଛି । ତେଣୁ ଆର୍ମଡ୍‌ ପୁଲିସ୍‌ ଫୋର୍ସ  ବଢ଼ିବାର ଆବଶ୍ୟକ ହୋଇପଡ଼ିଛି ବୋଲି ଲ ଆଣ୍ଡ୍‌ ଅର୍ଡର ଅତିରିକ୍ତ ଡିଜି ସଞ୍ଜୟ କୁମାର  କହିଛନ୍ତି । କେନ୍ଦୁଝର ଓ ସମ୍ବଲପୁରଠାରେ ଥିବା ଦୁଇଟି ଯାକ ବାଟାଲିୟନ୍‌ ପୁନର୍ଗଠନ ନେଇ ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି ।