ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଗାଁ ମାଟିରେ କ୍ରୀଡ଼ାତନ୍ତ୍ରର ଶିଳାନ୍ୟାସ

Published By : Prameya | May 7, 2025 1:45 PM

୨୦୨୩ ମସିହାରେ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିବା ୧୪୧ତମ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଅଧିବେଶନରେ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନିଜର ଅଭିଭାଷଣରେ କହିଥିଲେ “କ୍ରୀଡ଼ା ଆମ ସମାଜ, ସଭ୍ୟତା ଏବଂ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଭାରତର ଗୌରବମୟ ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ, ବୈଦିକ ଯୁଗଠାରୁ ଆରମ୍ଭକରି ବେଦ ପୁରାଣ ଏବଂ ଗ୍ରନ୍ଥ-ଉପନିଷଦ ପର୍ଯ୍ୟନ୍ତ ସବୁଠି କ୍ରୀଡ଼ାର କଳା, କୌଶଳ, ବୈଶିଷ୍ଟ୍ୟ ଏବଂ ମହତ୍ତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଧନୁର୍ବିଦ୍ୟା, ଅଶ୍ୱାରୋହ, ସନ୍ତରଣ, କୁସ୍ତି ଭଳି ଅନେକ କ୍ରୀଡ଼ା ହେଉଛି ଆମ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଖନନ ରିପୋର୍ଟ ଆଧାରରେ ଗୁଜରାଟର ଧୋଲାବୀରା ଏବଂ ହରିୟାଣାର ରାଖୀଗଡ଼ୀଠାରେ ପ୍ରାୟ ୫୦୦୦ ବର୍ଷ ପୂର୍ବେ ସେଠାରେ ବିଶାଳ ଷ୍ଟାଡିୟମ ରହିଥିବାର ସନ୍ଧାନ ମିଳିବା ଏବଂ ସେହି ଷ୍ଟାଡିୟମରେ ହଜାର ହଜାର ଦର୍ଶକଙ୍କ ବସିବା ନିମନ୍ତେ ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିବା ପ୍ରାଚୀନ ସମୟରୁ କ୍ରୀଡ଼ା ସଂସ୍କୃତି ପ୍ରତି ରହିଥିବା ଆମର ଭଲପାଇବାକୁ ଖୁବ୍‌ ସୁନ୍ଦର ଭାବେ ପ୍ରଦର୍ଶିତ କରିଥାଏ । 

କ୍ରୀଡ଼ା କେବଳ ଜିତିବା କିମ୍ବା ହାରିବାର ପ୍ରତିଯୋଗିତା ନୁହେଁ ବରଂ ଏହା ଆମକୁ ଜୀବନରେ ଏକ ନୂତନ ଅନୁଭବ ଏବଂ ଅନୁଭୂତି ପ୍ରଦାନ କରିବା ସହିତ ଅନୁଶାସନର ପାଠ ମଧ୍ୟ ପଢ଼ାଇଥାଏ । ଦେଶଦୁନିଆକୁ ସଂଯୋଗ କରୁଥିବା ଆମର ଏହି କ୍ରୀଡ଼ା ସଂସ୍କୃତି ଆମ ମଧ୍ୟରେ "ବସୁଧୈବ କୁଟୁମ୍ବକମ୍‌’ର ଭାବନାକୁ ସଶକ୍ତ କରିବା ସହିତ ଶାନ୍ତି, ସୌହାର୍ଦ୍ଦ୍ୟ, ବିକାଶ ଏବଂ ପ୍ରଗତିର ବାର୍ତ୍ତା ପ୍ରଦାନ କରିଥାଏ ।” ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ଦେଶ ଏବଂ ଆମ ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ଏକ କ୍ରୀଡ଼ାହବ୍‌ ଭାବେ ଚିତ୍ରିତ କରାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଏବଂ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ଓଡ଼ିଶାର ୩୧୪ଗୋଟି ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ସମଗ୍ର ଓଡ଼ିଶାରେ ଏହି ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ସରକାରଙ୍କ ତରଫରୁ ୪୧୨୪କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି । କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କେବଳ ଯେ ରାଜଧାନୀ ଏବଂ ପ୍ରମୁଖ ସହରମାନଙ୍କରେ ସୀମିତ ହୋଇ ରହିବ ତାହା ନୁହେଁ, ବରଂ ଏହା ଯେପରି ବ୍ଲକସ୍ତରରେ ପହଞ୍ଚିପାରିବ, ଓଡ଼ିଶାର ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ, ସେହି ସ୍ୱପ୍ନକୁ ଆମ ସରକାର ଆଜି ସାକାର କରିଛନ୍ତି । ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଲକ୍ଷ୍ୟରେ ବ୍ଲକସ୍ତରୀୟ ଷ୍ଟାଡିୟମର ରୂପରେଖ ପ୍ରସ୍ତୁତ କରାଯାଇଛି । ବ୍ଲକସ୍ତରୀୟ ଷ୍ଟାଡିୟମ କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ଏକ କ୍ରୀଡ଼ା ନର୍ସରୀ ଭାବେ କାର୍ଯ୍ୟ କରିବ । 

ଷ୍ଟାଡିୟମରେ ଫୁଟବଲ୍‌ ଏବଂ କ୍ରିକେଟ ଗ୍ରାଉଣ୍ଡ, ଆଥଲେଟିକ୍‌ ଟ୍ରାକ୍‌, ଥ୍ରୋ ଏରିଆ, ଜମ୍ପ୍‌ ଏରିଆ, ଭଲିବଲ୍‌ କୋର୍ଟ ଆଦିର ନିର୍ମାଣ କରାଯିବ । ଏଥିସହିତ ବିଭିନ୍ନ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା- ଖୋଖୋ, କବାଡ଼ି ଆଦି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହିତ ସ୍ଥାନୀୟ କ୍ରୀଡ଼ା ସଂସ୍କୃତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଷ୍ଟାଡିୟମରେ ଇଣ୍ଡୋର ହଲ୍‌ ମଧ୍ୟ ନିର୍ମାଣ କରାଯିବ । ଇଣ୍ଡୋର ହଲ୍‌ରେ ବ୍ୟାଡମିଣ୍ଟନ କୋର୍ଟ, ଟେବୁଲ ଟେନିସ, ଜିମନାଷ୍ଟିକ, ଭାରୋତ୍ତୋଳନ ଆଦି କ୍ରୀଡ଼ା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ । ବ୍ଲକସ୍ତରୀୟ ଷ୍ଟାଡିୟମର ବର୍ଷତମାମ କାର୍ଯ୍ୟକାରିତା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯିବା ସହିତ କ୍ରୀଡ଼ାବିତ୍‌ମାନଙ୍କର ଉତ୍ତମ ପ୍ରଶିକ୍ଷଣ ପାଇଁ ଷ୍ଟାଡିୟମରେ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତ କରାଯିବ । ଏଥିସହିତ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ, ସ୍ପୋର୍ଟସ୍‌ କ୍ଲବ, ୟୁଥ୍‌ କ୍ଲବ ମାଧ୍ୟମରେ ଷ୍ଟାଡିୟମରେ ବ୍ଲକ ଏବଂ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯିବ ଯାହାଦ୍ୱାରା ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ସୁନିଶ୍ଚିତ ହୋଇପାରିବ । 

ଏଥିସହ ପ୍ରତିଟି ଷ୍ଟାଡିୟମରେ ସାଧାରଣ ସୁବିଧା କେନ୍ଦ୍ର ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିବା ସହିତ ଷ୍ଟାଡିୟମର ସର୍ବାଙ୍ଗୀନ ବିକାଶ ଦିଗରେ ମଧ୍ୟ ଆମ ସରକାରଙ୍କ ତରଫରୁ କାର୍ଯ୍ୟ କରାଯିବ । କ୍ରୀଡ଼ା ବିକାଶର ମାନଦଣ୍ଡ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଉପରେ ନିର୍ଭରଶୀଳ । କିନ୍ତୁ ବିଗତ ସରକାରଙ୍କ ଶାସନକାଳ ସମୟରେ କ୍ରୀଡ଼ା ଭିତ୍ତିଭୂମି କେବଳ ଯେ ଓଡ଼ିଶାର ରାଜଧାନୀ ଏବଂ କେତେକ ପ୍ରମୁଖ ସହର ମଧ୍ୟରେ ସୀମିତ ହୋଇ ରହିଥିଲା ତାହା କହିଲେ ଅତ୍ୟୁକ୍ତି ହେବନାହିଁ । ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ରହିଥିବାର ଖବର ସମ୍ବାଦପତ୍ରର ପୃଷ୍ଠା ବିମଣ୍ଡନ କରୁଥିଲା ସତ, କିନ୍ତୁ ପୂର୍ବ ସରକାରଙ୍କ ସମୟରେ ଏହି ଦିଗରେ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନଥିଲା । ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଏବଂ ପ୍ରତିଭାର ବିକାଶ ହୋଇପାରିଲେ ହିଁ ପ୍ରକୃତରେ କ୍ରୀଡ଼ାର ବିକାଶ ହୋଇପାରିବ, ଏହି ଲକ୍ଷ୍ୟରେ ଆମେ ସରକାରକୁ ଆସିବାର ମାତ୍ର ୧୦ମାସ ସମୟ ମଧ୍ୟରେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ୪୧୨୪କୋଟି ଟଙ୍କାର ବ୍ୟୟ ମଞ୍ଜୁରୀକୁ କ୍ୟାବିନେଟରେ ପାରିତ କରିଥିଲୁ ଏବଂ ଏଥିସହିତ ଅଦ୍ୟାବଧି ବ୍ଲକସ୍ତରୀୟ ଷ୍ଟାଡିୟମ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ ହୋଇସାରିଛି । ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଆଜି ଓଡ଼ିଶାର କ୍ରୀଡ଼ା ସମାଜକୁ ପ୍ରେରିତ କରିଛି । 

ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବାଦ୍ୱାରା କ୍ରୀଡ଼ାକୁ ଲୋକମାନଙ୍କର ଦୈନନ୍ଦିନ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରିବା ସହିତ ତୃଣମୂଳସ୍ତରରେ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ତାହା ଲକ୍ଷ୍ୟ ରଖାଯାଇଛି । ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ନିମନ୍ତେ ନିକଟ ଅତୀତରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟରର ମଧ୍ୟ ଉଦ୍‌ଘାଟନ କରାଯାଇଛି । ଜିଲ୍ଲାମାନଙ୍କରେ ଖେଲୋ ଇଣ୍ଡିଆ ସେଣ୍ଟରର ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବ । ଖେଲୋ ଇଣ୍ଡିଆ ସେଣ୍ଟରରେ ବିଭିନ୍ନ କ୍ରୀଡ଼ା ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଦାନ କରାଯିବା ସହିତ ପୂର୍ବରୁ ଜାତୀୟ କିମ୍ବା ରାଜ୍ୟସ୍ତରରେ ସଫଳତା ଏବଂ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତ୍‌ ହିଁ ଖେଲୋ ଇଣ୍ଡିଆ ସେଣ୍ଟରର କୋଚ୍‌ ଭାବରେ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏଥିସହିତ ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜନ କରାଯାଉଥିବା ସିଏମ୍‌-ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିଅନସିପ୍‌ ସମସ୍ତ ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହୋଇସାରିଛି ଏବଂ ଏହାର ଆୟୋଜନ ଦ୍ୱାରା ନିଶ୍ଚିତ ଭାବରେ ଓଡ଼ିଶାରେ ଯୁବ କ୍ରୀଡ଼ାପ୍ରତିଭାର ବିକାଶ ହୋଇପାରିଛି । ରାଜ୍ୟରେ କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ମାନଙ୍କର ବିକାଶ କରିବା ହିଁ ହେଉଛି ଆମର ପ୍ରାଥମିକ ଲକ୍ଷ୍ୟ । 

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ୨୦୩୬ ମସିହାରେ ଭାରତରେ ଅଲମ୍ପିକ୍ସ ଗେମ୍‌ସ ଆୟୋଜନ ହେବାର ଲକ୍ଷ୍ୟ ରଖାଯାଇଛି । ଏଥିସହିତ ବିକଶିତ ଓ ସମୃଦ୍ଧ ଓଡ଼ିଶା-୨୦୩୬ ଗଠନର ଲକ୍ଷ୍ୟ ସହିତ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାକୁ କ୍ରୀଡ଼ା ରାଜଧାନୀ ରୂପେ ପରିଗଣିତ କରାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ଆଖଡ଼ାଠାରୁ ଅଲମ୍ପିକ୍ସ ଓ ମାଟିରୁ ମ୍ୟାଟ୍‌ ଏବଂ ମେଡାଲ୍‌ ପର୍ଯ୍ୟନ୍ତ ରହିଥିବା ଏହି ଯାତ୍ରାର ଶୁଭାରମ୍ଭ ହୋଇଛି । ମହାସାଗରର ଗଭୀର ଜଳରାଶିରେ ଦୁଃସାହସିକ କ୍ରୀଡ଼ାଠାରୁ ଆରମ୍ଭକରି ସୁଉଚ୍ଚ ହିମାଳୟର ହିମଗିରି ଶୃଙ୍ଗ ପର୍ଯ୍ୟନ୍ତ ଆମ ଓଡ଼ିଆ କ୍ରୀଡ଼ାବିତ୍‌ମାନଙ୍କ ଜୟଯାତ୍ରାକୁ ବିଶ୍ୱବିଦିତ କରିବାର ପ୍ରୟାସ ମଧ୍ୟ ଆରମ୍ଭ ହୋଇସାରିଛି । ବିଗତ ଦିନରେ ଓଡ଼ିଶାରେ କଳିଙ୍ଗ ସୁପର କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ, ଏଫ.ଆଇ.ଏଚ. ହକି ପ୍ରୋ ଲିଗ୍‌, ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଜାତୀୟ ସନ୍ତରଣ ଓ ଆଥଲେଟିକ୍ସ ଟୁର୍ଣ୍ଣାମେଣ୍ଟ ଆଦି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ହେବା ସହିତ ଆଗାମୀ ଦିନରେ ଭାରତର ପ୍ରଥମ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍‌ ଓଡ଼ିଶାରେ ଆୟୋଜନ କରାଯିବାର ଯୋଜନା ରହିଛି । 

ସେହିପରି ଭାବେ ନ୍ୟାସନାଲ ଗେମ୍‌ସ ଠାରୁ ନେଇ ପ୍ୟାରିସ ଅଲମ୍ପିକ୍ସ ପର୍ଯ୍ୟନ୍ତ ଆମ ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଦ୍ୟୋଗ ଏବଂ ନିବେଶ, କ୍ରୀଡ଼ା ପାଠ୍ୟକ୍ରମ ଓ କ୍ରୀଡ଼ା ଅର୍ଥନୀତିର ବିକାଶ, ଅତ୍ୟାଧୁନିକ କ୍ରୀଡ଼ା ପର୍ଯ୍ୟଟନ କ୍ଷେତ୍ରର ଉନ୍ମେଷ ଏବଂ ବିଭିନ୍ନ ଦୁଃସାହସିକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନକୁ ପ୍ରୋତ୍ସାହନ ଦେବାର ପ୍ରୟାସ ମଧ୍ୟ ଆମ ସରକାରଙ୍କ ତରଫରୁ ଜାରି ରହିଛି । ପୂର୍ବୋଦୟର ଏହି ପବିତ୍ର ଓଡ଼ିଶା ମାଟିରେ କ୍ରୀଡ଼ାର ବିକାଶ ନିମନ୍ତେ ନିଆଯାଉଥିବା ସମସ୍ତ ପଦକ୍ଷେପ ନିଶ୍ଚିତ ରୂପରେ କ୍ରୀଡ଼ା ଜଗତରେ ଏକ ନୂତନ ସୂର୍ଯ୍ୟୋଦୟ ଆଣିବ ବୋଲି ମୁଁ ଆଶା କରୁଛି । ଆମ ରାଜ୍ୟର ସମସ୍ତ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବାର ନିଷ୍ପତ୍ତି ଓଡ଼ିଶାବାସୀଙ୍କ ମଧ୍ୟରେ ଆଜି ଏକ ନୂତନ ଉତ୍ସାହ ଏବଂ ଉଦ୍ଦୀପନା ସୃଷ୍ଟି କରିଛି । ଓଡ଼ିଶାର ପ୍ରତିଟି ଗାଁ ଏବଂ ବ୍ଲକର ଯୁବକମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ନିଆଯାଇଥିବା ଏହି ନିଷ୍ପତ୍ତି ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରର ବିକାଶର ଯାତ୍ରାକୁ ଆଉ ପାଦେ ଆଗେଇ ନେଇଛି । ଆମ ଓଡ଼ିଶାର କ୍ରୀଡ଼ା ଇତିହାସ ଏବଂ କ୍ରୀଡ଼ା ସଂସ୍କୃତିକୁ ନେଇ ଆମେ ସଦାସର୍ବଦା ଗର୍ବିତ । କ୍ରୀଡ଼ା କେବଳ ଯେ, ପଦକ ଏବଂ ପ୍ରଦର୍ଶନ ମଧ୍ୟରେ ସୀମିତ ତାହା ନୁହେଁ, ବରଂ ଏହା ଏକ ବ୍ୟକ୍ତିର ଜୀବନ ଏବଂ ଜୀବନଶୈଳୀକୁ ଖୁବ୍‌ ସୁନ୍ଦର ଭାବରେ ଗଢ଼ିତୋଳିଥାଏ । କ୍ରୀଡ଼ା ପ୍ରତି ରହିଥିବା ସମ୍ମାନ ପ୍ରତ୍ୟେକ ଓଡ଼ିଆଙ୍କ ମନ, ପ୍ରାଣ ଏବଂ ରକ୍ତରେ ପ୍ରବାହିତ । ତେବେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଓଡ଼ିଶାକୁ ଏକ ସ୍ପୋର୍ଟସ୍‌ ପାୱାର ହାଉସ୍‌ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବା ସହିତ ପ୍ରତିଟି ଗାଁରେ ଚାମ୍ପିଅନ ସୃଷ୍ଟି କରିବାର ସ୍ୱପ୍ନକୁ ମିଳିମିଶି ସାକାର କରିବା ପାଇଁ ସଂକଳ୍ପବଦ୍ଧ ହେବା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.