ପ୍ରମୂଖ ଖବର
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ମରଣଜନ୍ତା ପାଲଟିଲାଣି ଗଣ୍ଡମୁଣ୍ଡା-ଖଣ୍ଡଗିରି ରାସ୍ତା, ବାଜିରେ ଲାଗିଛି ଜୀବନ

Published By : Swapna Ray | August 24, 2025 9:33 AM

ଭୁବନେଶ୍ୱର, ୨୪।୮: ସ୍ୱେରେଜ୍‌ ପାଇପଲାଇନ୍‌ ପାଇଁ ଚାଲିଲା ଖୋଳାତଡ଼ା । ଦିନ କେଇଟାରେ ଚକାଚକ୍‌ ପିଚୁ ରାସ୍ତାକୁ ଖୋଳି ବରବାଦ୍‌ କଲେ । ରାସ୍ତାରେ ବିରାଟ ଗର୍ତ୍ତ ହେଲା । ଗୋଟିଏ କି ଦୁଇଟି ନୁହେଁ, ଖାଲମୟ ପାଲଟିଗଲା ଗଣ୍ଡମୁଣ୍ଡାଖଣ୍ଡଗିରି ରାସ୍ତା । ଏବେ ପ୍ରତିଦିନ ବାଜିରେ ଲାଗୁଛି ଜୀବନ । ଖାଲରେ ପଡ଼ି କାହା ହାତ ଭାଙ୍ଗିଲାଣି ତ’ ଆଉ କିଏ ରକ୍ତାକ୍ତ ହୋଇ ହସ୍ପିଟାଲକୁ ଗଲେଣି । ଏହି ରାସ୍ତାର ସମସ୍ୟା ଏବେକାର ନୁହେଁ । ପ୍ରାୟ ବର୍ଷେ ହେଲାଣି ଏହି ରାସ୍ତାରୁ ଖୋଳାତଡ଼ା ନିର୍ଯାତନା ସରୁନି । କେତେବେଳେ ୱାଟ୍‌କୋ ଆସି ଗୋଟିଏ ପାଖ ଖୋଳି ଦେଉଛି । ବାଉଁଶ ବାନ୍ଧି ଗୋଟିଏ ପାଖରେ ଗାଡ଼ି ଛଡ଼ାଯାଉଛି । ପୁଣି ବିଦ୍ୟୁତ୍‌ କେବୁଲ ବିଛାଇବାକୁ ଖୋଳା ଚାଲୁଛି । କେଇଁ ମାସ ପରେ କାମ ସରୁଛି ସତ, ହେଲେ ରାସ୍ତା ମରାମତି ହେଉନି । ତାଳିପକା ମରାମତି ଯୋଗୁ କେଉଁଠି ରାସ୍ତା ଦବୁଛି ତ’ ଆଉ କେଉଁଠି ନୂଆ ଖାଲ ସୃଷ୍ଟି ହେଉଛି । ପୂର୍ତ୍ତ ବିଭାଗର ବେପରୁଆ ମନୋଭାବ ଯୋଗୁ ଠିକ୍‌ରେ ମରାମତି କାମ ହେଉନି । ଏବେ ପୁଣି ଏହି ରାସ୍ତାରେ ଖୋଳାତଡ଼ା ଆରମ୍ଭ ହୋଇଯାଇଛି । ରଥଯାତ୍ରା ସମୟରେ ଟ୍ରାଫିକ୍‌ ପୁଲିସର ଅନୁମତି ନ ଥିବାରୁ କାମ ବନ୍ଦ ଥିଲା । ଏବେ ପୁଣି ଥରେ କାମ ଚାଲିଛି । 

ଜାଗମରା ‘ପ୍ରମେୟ’ ଛକରୁ ଖଣ୍ଡଗିରି ଛକ ଯିବା ରାସ୍ତାରେ ପାଇପଲାଇନ୍‌ କାମ ଆରମ୍ଭ କରିଛି ୱାଟ୍‌କୋ । ଏଥିପାଇଁ ରାସ୍ତାରେ ବଡ଼ ବଡ଼ ଖାଲ ହୋଇଛି । ଏହି ରାସ୍ତାରେ ଟ୍ରେଞ୍ଚଲେସ୍‌ ପଦ୍ଧତି ବା ଅପେକ୍ଷାକୃତ କମ୍‌ ଖୋଳାତଡ଼ାରେ ପାଇପଲାଇନ୍‌ କାମ ହେଉଛି ବୋଲି ୱାଟ୍‌କୋ ସଫେଇ ଦେଉଛି । କିନ୍ତୁ ରାସ୍ତା ସାରା ଖାଲ ଭର୍ତ୍ତି ହୋଇଛି । ନିୟମ ଅନୁସାରେ, ପାଇପଲାଇନ୍‌ ପାଇଁ ୱାଟ୍‌କୋ ରାସ୍ତା ଖୋଳିଲେ ଏହାର ପୁନଃନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଦେବ । ପୂର୍ତ୍ତ ବିଭାଗର ଏଷ୍ଟିମେଟ୍‌ ମୁତାବକ ଟଙ୍କା ଦାଖଲ କରିବାକୁ ହେବ । କିନ୍ତୁ ଏ ଯାଏଁ ୱାଟ୍‌କୋ ଜାଗମରା-ଖଣ୍ଡଗିରି ରାସ୍ତା ପାଇଁ ପୂର୍ତ୍ତକୁ ହସ୍ତାନ୍ତରପତ୍ର ଓ ଅର୍ଥ, କିଛି ଦେଇନି । ଏଥିପାଇଁ ପୂର୍ତ୍ତ ବିଭାଗ କାମ ଆରମ୍ଭ କରୁନି ଓ ହାତ ଟେକି ଦେଉଛି । ପୁନଃନିର୍ମାଣ ଆଗରୁ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଅସ୍ଥାୟୀ ମରାମତି ଦାୟିତ୍ୱ ପୂର୍ତ୍ତ ବିଭାଗର । କିନ୍ତୁ ଅସ୍ଥାୟୀ ମରାମତି ଠିକ୍‌ରେ ହେଉନି । ଯେଉଁଠି ମରାମତି ହେଉଛି ତାହା ବର୍ଷା ହେଲେ ଧୋଇ ଯାଉଛି ନଚେତ୍‌ ଦବିଯାଉଛି । ଆଉ ଲୋକେ ଯେମିତି ଯନ୍ତ୍ରଣା ଭୋଗିବା କଥା ସେମିତି ଯୁଝୁଛନ୍ତି । ଏହି ସମସ୍ୟାକୁ ନେଇ ଡିଭିଜନ-୩ ଅଧୀକ୍ଷଣ ଯନ୍ତ୍ରୀ ନରେନ୍ଦ୍ର କୁମାର ଘଡ଼ାଇ କହିଛନ୍ତି, ସେହି ରାସ୍ତାରେ ୱାଟ୍‌କୋ ଏବେଯାଏ କାମ ସାରିନି । ଏଥିପାଇଁ ଆମେ ଚାହିଁଲେ ବି ରାସ୍ତା ପୁନଃନିର୍ମାଣ ଆରମ୍ଭ କରିପାରୁନୁ । ୱାଟ୍‌କୋ କାମ ସାରିବା ପରେ ଆମେ ତତ୍କାଳ କାମ କରିବୁ । 

ୱାଟ୍‌କୋ ମୁଖ୍ୟ ପରିଚାଳକ(ଏମ୍‌ଡି) ଦେବ ମହାନ୍ତି କହିଛନ୍ତି, ଟ୍ରାଫିକ୍‌ ଭିଡ଼ ଯୋଗୁ ରାସ୍ତାରେ ପୂର୍ଣ୍ଣ କ୍ଷମତାରେ କାମ କରିବାକୁ ପୁଲିସ ଅନୁମତି ଦେଉନି । ରଥଯାତ୍ରା ସମୟରେ ଅନୁମତି ନ ମିଳିବାରୁ କାମ ବିଳମ୍ବ ହେଲା । ଆମେ ଟ୍ରେଞ୍ଚଲେସ୍‌ ପଦ୍ଧତିରେ ଅଳ୍ପ ଖୋଳି କାମ କରୁଛୁ । ଶୀଘ୍ର କାମ ସାରିବାକୁ ଲକ୍ଷ୍ୟ ରଖିଛୁ । ଗଣ୍ଡମୁଣ୍ଡାରୁ ଜାଗମରା ଛକ ରାସ୍ତା ଅବସ୍ଥା ବି ସମାନ । ଏହି ରାସ୍ତାରେ ୱାଟ୍‌କୋ କାମ ସରିଛି । ପୂର୍ତ୍ତ ବିଭାଗ ମରାମତି ବି ସାରିଛି । ହେଲେ ବିଭାଗର କାମଚଳା ନୀତି ଯୋଗୁ ରାସ୍ତା ପୁଣି ଦବିଲାଣି । ଯେଉଁ ଖାଲରେ ସେଲ୍‌ ଫିଲଡ୍‌ କଂକ୍ରିଟ୍‌ ପଡ଼ିଛି ତାହା ଦବି ପୁଣି ଆଁ କଲାଣି ଖାଲ । ଏହି ରାସ୍ତା ଦାୟିତ୍ୱରେ ଥିବା ଡିଭିଜନ-୨ ଅଧୀକ୍ଷଣ ଯନ୍ତ୍ରୀ ସଚିନ କୁମାର ସାହୁ କହିଛନ୍ତି, ୱାଟ୍‌କୋ ଆମକୁ ରାସ୍ତା ହସ୍ତାନ୍ତର କରି ସାରିଛି । ପୁଣି ଥରେ ରାସ୍ତା ପାଇଁ ଟେଣ୍ଡର ସରି ଏଗ୍ରିମେଣ୍ଟ ହୋଇ ସାରିଛି । ମାସକ ଭିତରେ ରାସ୍ତା କାମ ଆରମ୍ଭ କରିଦେବୁ । ଜଗମୋହନନଗର-ଡୁମୁଡୁମା ରାସ୍ତାକୁ ମଧ୍ୟ ଖୋଳି ପକାଇଛି ୱାଟ୍‌କୋ । ଚାରି ମାସ ତଳୁ ସ୍ୱେରେଜ ନିର୍ମାଣ କାମ ସରିଲାଣି । କିନ୍ତୁ ରାସ୍ତା ମରାମତି ହେଲାନି । ଏବେ ରାସ୍ତା ସାରା ଖାଲ । ବର୍ଷା ହେଲେ ଖାଲ ଜାଣି ନ ପାରି ଲୋକେ କଚଡ଼ା ଖାଉଛନ୍ତି । ପୁରୁଣା ଭୁବନେଶ୍ୱର ରାସ୍ତାଘାଟ ଅବସ୍ଥା ଆହୁରି ସାଂଘାତିକ । ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା କେଉଟସାହି ଛକରୁ ସୁନ୍ଦରପଦା ରାସ୍ତା ସାରା ବଡ଼ ବଡ଼ ଖାଲ । 

ବିଧାୟକଙ୍କ କାର୍ଯ୍ୟାଳୟ ସାମ୍‌ନାରେ ମଧ୍ୟ ଖାଲ ଓ ପାଣି ଜମୁଛି । ଅଳ୍ପ ଦିନ ତଳେ ନିର୍ମିତ ଡ୍ରେନ୍‌ର ସ୍ଲାବଗୁଡ଼ିକ ରାସ୍ତାଠାରୁ ଅଧିକ ଉଚ୍ଚା କରି ପକାଯାଇଥିବାରୁ ରାସ୍ତା ଅଧିକ ସଂକୀର୍ଣ୍ଣ ହୋଇଯାଇଛି ଏବଂ ଜାମ୍‌ ହେଉଛି, ଦୁର୍ଘଟଣା ଘଟୁଛି । ଡ୍ରେନ୍‌ ତିଆରି ବେଳେ ଯନ୍ତ୍ରୀମାନେ ତଦାରଖ କରୁନଥିବାରୁ ଏଭଳି ଅବସ୍ଥା ହେଉଛି । ସମାନ ଅବ୍ୟବସ୍ଥା ଦେଖିବାକୁ ମିଳିଛି ତାରାସୁନ୍ଦରୀ ରାସ୍ତାରେ । ପ୍ରତିଦିନ ରାସ୍ତା ଜାମ୍‌ ଯୋଗୁ ଝଗଡ଼ା । ପୁଣି ଗଙ୍ଗାଯମୁନା କଲୋନି ରାସ୍ତା ନକହିବା ଭଲ । ତିଆରିର ମାସକ ଭିତରେ ଡ୍ରେନ୍‌ ସ୍ଲାବ ଡ୍ରେନ୍‌ ଭିତରେ ଗଳି ପଡ଼ିଛି । ଗଙ୍ଗାଯମୁନା କଲୋନିକୁ ଯିବା ପାଇଁ ରାସ୍ତାର ପ୍ରବେଶ ପଥକୁ ସଂପୃକ୍ତ ଠିକାଦାର ଉଚ୍ଚା କରି ଡ୍ରେନ୍‌ ସ୍ଲାବ ପକାଇ ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ପୂର୍ତ୍ତ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ କହିଛନ୍ତି, ସହରର ବହୁ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲଖମାକୁ ତୁରନ୍ତ ମରାମତି କରାଯିବ । ବହୁ ରାସ୍ତାର ପୁନଃନିର୍ମାଣ ହେବ । ଏଥିପାଇଁ ଟେଣ୍ଡର ସରିଛି । ବର୍ଷା କମିବା ମାତ୍ରେ ଆମେ କାମ ଆରମ୍ଭ କରିଦେବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.