ନୂଆଦିଲ୍ଲୀ,୨୫/୦୮: କରୋନା ମହାମାରୀ  ପରେ ବିଶ୍ୱ ବଜାର ସ୍ଥିତାବସ୍ଥାକୁ ଫେରୁଥିଲା । ଏହା  ପରେ ରୁଷ ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ  ଆମେରିକାର ଟାରିଫ ଯୋଗୁ ଏବେ ବଜାର ପୁଣି  ଥରେ ପ୍ରଭାବିତ ରହିଛି । ଏଭଳି ସ୍ଥିତିରେ ଭାରତୀୟ  ରପ୍ତାନିକାରୀ ମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ରପ୍ତାନିକାରୀଙ୍କ ସମସ୍ୟା ସମାଧାନ ଲାଗି  ଆସିପାରେ ୨୫ ହଜାର କୋଟିର ବୁଷ୍ଟର ପ୍ୟାକେଜ ।  ଏ ନେଇ ସରକାର ବର୍ତ୍ତମାନ ବିଚାର କରୁଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ଅଧିକାରୀଙ୍କ କହିବା ମୁତାବକ, ବଜେଟରେ କେନ୍ଦ୍ର ସରକାର ରପ୍ତାନି କ୍ଷେତ୍ରରେ ପ୍ରୋତ୍ସାହିତ  କରିବା ଲାଗି ରପ୍ତାନି ପ୍ରୋତ୍ସାହନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ । ୨୦୨୫-୨୦୩୧ ଯାଏ ଏହା  କାର୍ଯ୍ୟକାରୀ ହେବ । ଏ ସମ୍ପର୍କରେ ସରକାର ବିସ୍ତୃତ  କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ରପ୍ତାନିକାରୀଙ୍କୁ ସୁଲଭ ହାରରେ ଋଣ ଯୋଗାଣ ଉପରେ ଫୋକସ କରାଯିବ । ଏ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ  ମନ୍ତ୍ରଣାଳୟର ଖର୍ଚ୍ଚ କମିଟିକୁ ଏକ ଚିଠି ଲେଖାଯାଇଛି । ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଏହାକୁ ଲାଗୁ କରିବା ଉପରେ କେନ୍ଦ୍ର ସରକାର ଅଗ୍ରସର ହେବେ । ଏହି  ପ୍ରୋତ୍ସାହନ ସ୍କିମ ଆସିଲେ ଟାରିଫ ଯୁଦ୍ଧ ଯୋଗୁ ସଙ୍କଟ  ସ୍ଥିତି ଦେଇ ଗତି କରୁଥିବା ରପ୍ତାନିକାରୀଙ୍କ ଲାଗି ନୂଆ  ଆଶା ସଂଚାର ହେବ ବୋଲି ଆଶା କରାଯାଉଛି ।  

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ  ଉପରେ ୫୦% ଟାରିଫ ଘୋଷଣା କରିଛନ୍ତି । ବର୍ତ୍ତମାନ  ଭାରତ ଉପରେ ୨୫% ଟାରିଫ ଲାଗୁ ହେଉଥିବା  ବେଳେ ନୂଆ ୫୦% ଟାରିଫ ଚଳିତ ମାସ ୨୭ରୁ ଲାଗୁ  ହେବ । ଏହା ଦ୍ୱାରା ଆମେରିକା ବଜାରରୁ ଭାରତର  ରପ୍ତାନି ମହଙ୍ଗା ହେବ । ରପ୍ତାନିକାରୀଙ୍କୁ ଆଗାମୀ ୬  ବର୍ଷ ଲାଗି ଉତ୍ସାହିତ କରିବା ଉପରେ ବଜେଟରେ  ନୂଆ ସ୍କିମ ଘୋଷଣା କରିଥିଲେ । ଏହା ଆସିଲେ  ରପ୍ତାନି କ୍ଷେତ୍ର ଲାଭବାନ ହେବାକୁ ଯାଉଛି । 

ଦେଶର ଏମ୍‌ଏସ୍‌ଏମ୍‌ଇ ରପ୍ତାନିକାରୀ ସାମ୍ନା  କରୁଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ବିଚାର କରିବେ  ସରକାର । ଏକ୍ସପୋର୍ଟ ପ୍ରମୋସନ ମିଶନ (ଇପିଏମ୍‌)  ଅର୍ଥ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଏମ୍‌ଏସ୍‌ଏମ୍‌ଇ  ମନ୍ତ୍ରଣାଳୟ, ଏକ୍ସିମ ବ୍ୟାଙ୍କ, ଇସିଜିସି, ସିଜିଟି  ଏମ୍‌ଏସ୍‌ଇ, ଏନ୍‌ସିଜିଟିସି, ରପ୍ତାନି ପ୍ରମୋସନ  କାଉନସିଲ, କମୋଡିଟି ବୋର୍ଡ, ଶିଳ୍ପ ସଂଘ ଏବଂ  ରାଜ୍ୟ ସରକାରଙ୍କ ସମନ୍ୱୟରେ ଲାଗୁ କରାଯିବ ।  ଏଥିରେ ୨ଟି ଉପ ସ୍କିମ ରହିବ । ଏହା ମଧ୍ୟରେ  ୧୦ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ଯ୍ୟାତ  ପ୍ରୋତ୍ସାହନ ଏବଂ ୧୪,୫୦୦ କୋଟିରେ ନିର୍ଯ୍ୟାତ ଦିଶା କାର୍ଯ୍ୟକ୍ରମ ଆସିବ । 

ଏଥିରେ ରପ୍ତାନିକାରୀ ସାମ୍ନା  କରୁଥିବା ନଗଦ ସମସ୍ୟା, ଋଣ ଉପରେ ସୁଧ ରିହାତି  ଭଳି ଦିଗ ଗୁଡ଼ିକୁ ଧ୍ୟାନରେ ରଖାଯିବ । ସେହିଭଳି ରପ୍ତାନି କ୍ଷେତ୍ରରେ ଅନୁପାଳନ,ରପ୍ତାନି ୱେରହାଉସିଂ,  ଲଜିଷ୍ଟିକ୍ସ ଏବଂ ଦକ୍ଷତା ବୃଦ୍ଧି ଉପରେ କାର୍ଯ୍ୟକ୍ରମ ଆସିବ । ଟ୍ରମ୍ପ ଟାରିଫ ଯୋଗୁ ଏବେ ଦେଶର  ବୟନ, କେମିକାଲ୍ସ ଏବଂ ଫୁଟୱେର ଭଳି ବିଭିନ୍ନ  କ୍ଷେତ୍ରରେ ବଡ ମାତ୍ରାରେ ପ୍ରଭାବ ସାମ୍ନା କରୁଛନ୍ତି ।  ନୂଆ ଯୋଜନା ଏ କ୍ଷେତ୍ରରେ ନୂଆ ଆଶା ସଂଚାର କରିବ ବୋଲି ଶିଳ୍ପ ପକ୍ଷରୁ ଆଶା ପ୍ରକଟ କରାଯାଇଛି।