ନୂଆଦିଲ୍ଲୀ ୦୬/୧୦: ନାସାର ଡବଲ ଆଷ୍ଟ୍ରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ୍‌ ବା ଡାର୍ଟ ମିଶନ ପୃଥିବୀ ପ୍ରତି ବିପଦ ଗ୍ରହାଣୁର ଦିଗ ପରିବର୍ତ୍ତନର ଏକ ପଦ୍ଧତି ଆରମ୍ଭ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । କାଇନେଟିକ୍‌ ପ୍ରଭାବ ଜରିଆରେ ମହାକାଶରେ ଗ୍ରହାଣୁର ଗତିକୁ ବଦଳାଇବାରେ ଏହା ସଫଳ ହୋଇଥିଲା । ୨୦୨୨, ସେପ୍ଟେମ୍ବରରେ ଏକ ସରଳ ଓ ଶସ୍ତା ମହାକାଶଯାନ ଡିଡିମୋସ୍‌ ଗ୍ରହାଣୁ ଓ ଏହାର ପିରାମିଡ୍‌ ଆକାର ମୁନ୍‌ଲେଟ୍‌ ବା କ୍ଷୁଦ୍ର ଚନ୍ଦ୍ର ଡିମୋର୍ଫୋସ୍‌ର ଦିଗକୁ ବଦଳାଇଥିଲା । ଏହାର ୨ ବର୍ଷ ପରେ ୟୁରୋପୀୟ ମହାକାଶ ଏଜେନ୍ସି ସେହି ଗ୍ରହାଣୁର ଅଧ୍ୟୟନ ଲାଗି ‘ହେରା ମିଶନ’ ଲଞ୍ଚ୍‌ କରିବାକୁ ଯାଉଛି ।

ଆସନ୍ତା ୭ ତାରିଖ ଅର୍ଥାତ୍‌ ଆସନ୍ତା କାଲି ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ରେ କେପ୍‌ କାନାଭରାଲରୁ ଏହି ମିଶନ୍‌ ଉତ୍‌କ୍ଷେପଣ ହେବ । ରକେଟ୍‌ ୨୦୨୬ ମସିହାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । ତା’ପୂର୍ବରୁ ଅନେକ କୋଟି କିମି ଯାତ୍ରା କରିବ । ହେରା ମହାକାଶଯାନର ଆକାର ପ୍ରାୟ ଏକ ଛୋଟ କାର୍‌ ଭଳି, ଯାହାର ଓଜନ ପ୍ରାୟ ୧,୦୮୧ କିଲୋ । ଡିମୋର୍ଫୋସ୍‌ ଉପରେ ନାସାର ଡାର୍ଟ ମିଶନର ପ୍ରଭାବକୁ ଏହି ମିଶନ ଅଧ୍ୟୟନ କରିବ । ଏଥିସହ ଦୁଇ ଗ୍ରହାଣୁ ଉପରେ ଡାର୍ଟର କାର୍ଯ୍ୟାନୁଷ୍ଠାନର ପ୍ରଭାବକୁ ଯାଞ୍ଚ୍‌ କରିବ । ଡିଡିମୋସ୍‌ ଓ ଡିମୋର୍ଫୋସ୍‌ ଭଳି ଦ୍ୱେତ ଗ୍ରହାଣୁର ଅଧ୍ୟୟନ ପାଇଁ ଏହାକୁ ନିର୍ମାଣ କରାଯାଇଛି । ଅଦ୍ୟାବଧି ପରିଚିତ ସମସ୍ତ ଗ୍ରହାଣୁର ୧୫ ପ୍ରତିଶତ ଦ୍ୱେତ । ତେଣୁ ଏହି ଅନ୍ୱେଷଣରୁ ବୈଜ୍ଞାନିକ ଗ୍ରହାଣୁଙ୍କ ପ୍ରକୃତି ଓ କାର୍ଯ୍ୟ ଉପରେ ଅଧିକ ଜ୍ଞାନ ହାସଲ କରିବେ ।