ନୂଆଦିଲ୍ଲୀ,୨୬/୧୧: ପାନ୍‌ ୨.୦ ପ୍ରକଳ୍ପକୁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରି । ଏଥିସହିତ ଆଗକୁ କ୍ୟୁଆର୍‌ କୋଡ୍‌ ସହ ଆସିବ ପାନ୍‌  କାର୍ଡ । ବର୍ତ୍ତମାନର କାର୍ଡଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର୍‌ କୋର୍ଡଯୁକ୍ତ ପାନ୍‌ କାର୍ଡରେ ଅପ୍‌ଗ୍ରେଡ୍‌ କରାଯିବ ବୋଲି କେନ୍ଦ୍ର  ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖରେ ସହଜ ଏବଂ ତ୍ୱରିତ ଭାବେ ସେବା  ପହଞ୍ଚିବ । ଏହାସହିତ ସେବା ମାନରେ ବି ଉନ୍ନତି ଆସିବ । 

ସୋମବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌  କମିଟି ବୈଠକରେ ଆୟ କର ବିଭାଗର ପାନ୍‌ ୨.୦  ପ୍ରକଳ୍ପକୁ ମଞ୍ଜୁରି ମିଳଛି । ଏହି ପ୍ରକଳ୍ପ ପାଇଁ  ରାଜକୋଷରୁ ୧୪୩୫  କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରକଳ୍ପ ମାଧ୍ୟମରେ ସତ୍ୟ ଏବଂ ଡାଟାର ଏକକ ଉତ୍ସ ରହିବ । ଲୋକଙ୍କ ପାଖରେ ସହଜରେ ଏବଂ ତ୍ୱରିତ  ଭାବେ ମାନଯୁକ୍ତ ସେବା ଯୋଗାଣ ହେବ। ପରିବେଶ-ଅନୁକୂଳ  ପ୍ରକ୍ରିୟା ସହିତ ଖର୍ଚ୍ଚ କମିବ । ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ ହେବ ।  ଟିକସଦାତା ପଞ୍ଜୀକରଣ ସେବାର ବିଜ୍‌ନେସ୍‌ ପ୍ରୋସେସ୍‌ର  ପୁନଃ-ଯାନ୍ତ୍ରୀକରଣ ପାଇଁ ପାନ୍‌ ୨.୦ ଏକ ଇ-ଗଭର୍ଣ୍ଣାଂଶ  ପ୍ରୋଜେକ୍ଟ । ପାନ୍‌/ଟାନ୍‌ ସେବାର ଟେକ୍ନୋଲୋଜିଚାଳିତ ପରିବର୍ତ୍ତନ ଦ୍ୱାରା ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ଏହା ମାଧ୍ୟମରେ  ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିବ । ଏହା  ବର୍ତ୍ତମାନର ପାନ୍‌/ଟାନ୍‌ ୧.୦ ଇକୋ-ସିଷ୍ଟମ୍‌ର ଅପ୍‌ଗ୍ରେଡେସନ୍‌ ।