ଜଟଣୀ, ୧୫/୧୧ : ଜଟଣୀ ସହରର କୌଣସି ମାର୍କେଟ ଓ ଅଞ୍ଚଳରେ ସର୍ବସାଧାରଣଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ । ଏହି ସୁବିଧା ନଥିବାରୁ ଲୋକେ ରାସ୍ତାକୁ ମଡାଇ ଯାନବାହନ ରଖିବାକୁ ବାଧ୍ୟ ହେଉଛନ୍ତି । ଏପରିକି ସହରର ମୁଖ୍ୟ ରାସ୍ତା ପାର୍ଶ୍ୱ ବିଭିନ୍ନ ସ୍ଥାନରେ ଥିବା ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହିତ ବ୍ୟବସାୟ ପ୍ରତିଷ୍ଠାନକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଶହ ଶହ ଲୋକ ଅନ୍ୟ ଉପାୟ ନପାଇ ରାସ୍ତାର ପ୍ରାୟ ଅର୍ଦ୍ଧାଧିକ ସ୍ଥାନ ମାଡ଼ି ସେମାନଙ୍କ ଗାଡ଼ି ରଖୁଛନ୍ତି । ଫଳରେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଦୈନିକ ଉପୁଜୁଥିବା ଟ୍ରାଫିକ୍ ସମସ୍ୟା ପଛରେ ଏହା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୀତାରାମ ଛକରୁ ବଡ଼ବଜାର ପର୍ଯ୍ୟନ୍ତ ଫ୍ଲାଇ ଓଭର ବ୍ରିଜ ତଳେ ଥିବା ଖୋଲା ସ୍ଥାନରେ ପାର୍କିଂ ବ୍ୟବସ୍ଥା କରିବାକୁ ଏହାର ଦୁଇ ପାର୍ଶ୍ଵରେ ଲୁହା ବାଡ଼ କାର୍ଯ୍ୟ ମ୍ୟୁନିସିପାଲିଟି ପକ୍ଷରୁ ଆରମ୍ଭ ହୋଇଥିଲା । ଦୁଇ ସପ୍ତାହ ପୂର୍ବେ ଆରମ୍ଭ ହୋଇ ପ୍ରାୟ ୫୦ ମିଟର ଲମ୍ବା ପର୍ଯ୍ୟନ୍ତ କାର୍ଯ୍ୟ ମଧ୍ୟ ହୋଇଥିଲା । ହେଲେ ୫ରୁ ୬ ଦିନ କାର୍ଯ୍ୟ ହେବା ପରେ ଏହାକୁ ବନ୍ଦ କରିଦିଆଗଲା । କାର୍ଯ୍ୟ ବନ୍ଦ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। କଣ ପାଇଁ କାର୍ଯ୍ୟକୁ ଅଧାରୁ ବନ୍ଦ କରିଦିଆଗଲା ମ୍ୟୁନିସିପାଲିଟି ପକ୍ଷରୁ କେହି ଏହାର ସନ୍ତୋଷଜନକ ଉତର ଦେଇପାରୁନାହାନ୍ତି ।
ଅପରପକ୍ଷରେ ଏହି କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି। ପ୍ରାଧ୍ୟାପକ ଶିବ ପ୍ରସାଦ ପାଢ଼ୀ କହନ୍ତି ପାର୍କିଂ ସୁବିଧା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଆରମ୍ଭ ହୋଇଥିବା ଲୁହାବାଡ଼ କାର୍ଯ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ଅଧପନ୍ତରିଆ ଭାବେ ଏହାକୁ ଛାଡ଼ି ଦିଆଯିବା ଠିକ୍ କଥା ନୁହେଁ । ଏଠାରେ ପାର୍କିଂ ବ୍ୟବସ୍ଥା ହେଲେ ଯାନବାହନ ରଖି ଲୋକେ ସୀତାରାମ ଛକ, ନୀଳଚକ୍ର ମାର୍କେଟ ଓ ବଡ଼ବଜାର ସହିତ ନିକଟବର୍ତୀ ମାର୍କେଟକୁ ଯାଇ ଲୋକେ ସେମାନଙ୍କର ଆବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ ବୋଲି କହିଛନ୍ତି । ଏନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହନ୍ତି କେତେକ କାରଣ ଯୋଗୁଁ ଏହାକୁ ମ୍ୟୁନିସିପାଲିଟି ଯନ୍ତ୍ରୀ ବନ୍ଦ କରିଛନ୍ତି । ହେଲେ ଏହି କାମ ଖୁବ୍ ଶୀଘ୍ର ପୁନଃ ଆରମ୍ଭ କରାଯାଇ ସଂପୂର୍ଣ୍ଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।