ରାୟଗଡ଼(ଗଜପତି),୨୫/୫ : ୭ବର୍ଷ ପରେ ବାପ ଘରେ ସାତ ଦିନର ରହଣି ପରେ ରବିବାର ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ଶାଶୁ ଘରକୁ ଏକ ବିରାଟ ପଟୁଆରରେ ଫେରିଛନ୍ତି ମା’ ସାଆନ୍ତାଣି l ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥିତ ମଝି ସାହିର ଆରୋଧ୍ୟ ଦେବୀ ମା' ସିଦ୍ଧ କମଳା ଦେବୀଙ୍କ ଯାତ୍ରା ରବିବାର ଉଦଯାପିତ ହୋଇଯାଇଛି l ମନ ଦୁଃଖ ସହିତ ମା’ ବାପ ଘରକୁ ରବିବାର ସକାଳୁ ଫେରିଛନ୍ତି। ଝିଅ ବାପ ଘରକୁ ଯିବାର କଷ୍ଟ ସମସ୍ତେ ଅନୁଭବ କରିଛନ୍ତି l ସମସ୍ତଙ୍କ ଆଖିରେ ଆଖିଏ ଲୁହ ଓ ମନରେ କୋହ ମଧ୍ୟ ଦେଖିବାକୁ ମିଳିଛି l ମା’ ନିଜ ବାପ ଘରୁ ସ୍ଵମନ୍ଦିର ଫେରିବାକୁ ଥିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l ଚାଙ୍ଗୁଡ଼ିରେ ସ୍ଵାଗତ କରାଯାଇ ଘଟରେ ବିଦାୟ କରାଯାଇଥିଲା l
ଏହିକ୍ରମରେ ପୂଜାର୍ଚ୍ଚନା ସହିତ ରୀତିନୀତି ସମ୍ପନ୍ନ ହୋଇଥିଲା l ଶନିବାର ଶେଷ ଦିନ ହୋଇଥିବାରୁ ମା’ ରାତି ସାରା ନଗର ପରିକ୍ରମାରେ ବାହାରି ଗ୍ରାମ ବୁଲିଥିଲେ । ମା’ଙ୍କ ଶେଷ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ଼ ଜମିଥିଲା l ରୀତିନୀତି ଅନୁସାରେ ଦିନରେ ପୂଜା ସରିବା ପରେ ସନ୍ଧ୍ୟା ୭ ଟା ସମୟରେ ଆଳତି ଲାଗିଥିଲା l ରାତି ୧୦ଟାରେ ମା’ ଙ୍କ ଘଟ ବାହାରି ପରିକ୍ରମା କରି ଭୋରରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ l ମା’ଙ୍କ ସ୍ଥାନୀୟ ମଣ୍ଡପ ଓ ସ୍ଵର୍ଗତ ବଲ୍ଲଭ ପାଇକଙ୍କ ଘରୁ ଭୈରବୀ ବେଶରେ ବାହାରି ଖଣ୍ଡା ଚାଳନା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ମା’ଙ୍କୁ ବିଦାୟ ଦେବା ସମୟରେ ସମଗ୍ର ରାୟଗଡ଼ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଭାବ ବିହୁଳ ହୋଇପଡିଥିଲେ। ଡିଜେ ସହ ଚାଙ୍ଗୁ ବାଜା ବାଜଣା ଓ ବାଣରେ ରାୟଗଡ଼ ଦୁଲୁକୁଥିବା ବେଳେ ଧୂପ ଓ ଦୀପ ମହକରେ ମହକି ଥିଲା l ଅଦିନିଆ ହୋଲି ପର୍ବର ମଜା ଉଠାଇଥିଲେ ଭକ୍ତ। ପ୍ରତି ସାହି ଗଳିକନ୍ଦିରେ ମା’ଙ୍କ ଘଟ ପୂଜା ପାଇଥିଲା I ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜିତ ହୋଇଥିଲା ସାହି I ରବିବାର ସକାଳ ୮ଟାରେ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା ଶେଷ କରି ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପରେ ପହଂଚି ଥିଲେ I ଉକ୍ତ ଯାତ୍ରା ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି I ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଦସ୍ୟ, ସଦସ୍ୟା ମାନେ ପରିଚାଳନ କରିଥିବାବେଳେ ଯୁବ ଗୋଷ୍ଠୀ ପରିଚାଳନାରେ ସହଯୋଗ କରିଥିଲେ I