ମୁମ୍ୱାଇ,୨୭/୦୨: ରିଲିଜ ପୂର୍ବରୁ ଅଡୁଆରେ 'ଦ କେରଳ ଷ୍ଟୋରୀ ୨' । ରିଲିଜ ଉପରେ ରୋକ୍ ଲଗାଇଲେ କେରଳ ହାଇକୋର୍ଟ ।  ଫିଲ୍ମଟି ଆଜି ରିଲିଜ ହେବାକୁ ଥିବା ବେଳେ ଗତକାଲି ମାମଲାର ଶୁଣାଣି କରି ୧୫ ଦିନ ପାଇଁ ରିଲିଜ ନେଇ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।

 ଏଥିସହ ହାଇକୋର୍ଟ ଫିଲ୍ମର ସାର୍ଟିଫିକେସନକୁ ନେଇ ପ୍ରଶ୍ନ ଉଠାଇବା ସହ ସିବିଏଫସିକୁ ତାଗିଦ କରିଛନ୍ତି । ଜଷ୍ଟିସ୍ ବେଚୁ କୁରିଆନ୍ ଥମାସ ଫିଲ୍ମର ମୁକ୍ତିଲାଭକୁ ଚ୍ୟାଲେଞ୍ଜ କରି ଦୁଇଟି ଆବେଦନର ଶୁଣାଣି କରି ଏହି ସ୍ଥଗିତାଦେଶ ଦେଇଛନ୍ତି । କୋର୍ଟ ଉଲ୍ଲେଖ କରିଛନ୍ତି ଯେ ସାମାଜିକ ସମନ୍ୱୟରେ ବାଧା ସୃଷ୍ଟି ନକରିବା ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶାବଳୀ CBFC ଦ୍ୱାରା ପାଳନ କରାଯାଇ ନଥିବା ପରି ମନେ ହେଉଛି ।  ପ୍ରଥମ ଦୃଷ୍ଟିରୁ ସିନେମାକୁ ପ୍ରମାଣପତ୍ର ଦେବା ସମୟରେ ସେନ୍ସର ବୋର୍ଡ ବୁଝି ବିଚାରି କାମ କରିନାହାନ୍ତି ।

ଆହୁରି ପଢନ୍ତୁ- ବିଜୟ-ରଶ୍ମିକାଙ୍କ ପ୍ରେମର ସାକ୍ଷୀ ଥିଲେ ଦିଅର, କହିଲେ "ଏବେ ଆଉ ଭାଉଜଙ୍କୁ ଲୁଚାଇବାର ଭୟ ନାହିଁ "

 ଫିଲ୍ମ ରିଲିଜର ନିର୍ଦ୍ଧାରିତ ସମୟସୀମାର ଗୋଟିଏ ଦିନ ପୂର୍ବରୁ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ଏଥିସହ CBFCକୁ ଏହାର ପ୍ରମାଣପତ୍ର ପୁନଃପରୀକ୍ଷଣ କରିବାକୁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛି । ସମୀକ୍ଷା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଫିଲ୍ମଟିକୁ ଥିଏଟର କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଅନୁମତି ନାହିଁ ।ରିପୋର୍ଟ ଅନୁଯାୟୀ, ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଏବଂ ତାଙ୍କ ଆଇନଗତ ଟିମ୍ କେରଳ ହାଇକୋର୍ଟଙ୍କ ସ୍ଥଗିତାଦେଶକୁ ବାତିଲ କରିବା ପାଇଁ ଭାରତର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।