ମୁମ୍ୱାଇ : ବକ୍ସ ଅଫିସରେ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ବେଙ୍ଗଲ ଫାଇଲ୍ସ’ର ଡିଜାଷ୍ଟର ସାବ୍ୟସ୍ତ ହେବା ପରେ ଏବେ ‘ଦ କେରଲ ଷ୍ଟୋରୀ-୨’ର ମଧ୍ୟ ଜଲୱା ଦେଖାଇ ପାରି ନାହିଁ। ହେଲେ କିଛି ବର୍ଷ ପୂର୍ବର କଥା, ୨୦୨୨ରେ ବିବେକ ଅଗ୍ନିହୋତ୍ରୀଙ୍କ ଦ କଶ୍ମୀର ଫାଇଲ୍ସ ଓ ୨୦୨୩ରେ ବିପୁଲ ଅମୃତଲାଲ ଶାହଙ୍କ ଦ କେରଲ ଷ୍ଟୋରୀ କଲେକ୍ସନ, ଲୋକପ୍ରିୟତାରେ ଇତିହାସ ରଚିଥିଲା। ଏହି ଦୁଇ ଫିଲ୍ମ ଆଲୋଚନାର ଯେଉଁ ମାହୋଲ ସୃଷ୍ଟି କରିଥିଲା , ତାହା ଐତିହାସିକ। ପାଖାପାଖି ୧୫ କୋଟି ଟଙ୍କାରେ ନିର୍ମିତ ଦ କଶ୍ମୀର ଫାଇଲ୍ସ ୩୫୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରି ଥିଲା ଏବଂ ପ୍ରାୟ ୨୦ କୋଟିରେ ନିର୍ମିତ ଦ କେରଲ ଷ୍ଟୋରୀ ମଧ୍ୟ ୩୦୦ କୋଟିରୁ ଅଧିକ ଆୟର ସଂଖ୍ୟା ଛୁଇଁ ଥିଲା। ଭାରତୀୟ ସିନେମା ଇତିହାସରେ ଏମିତି କମ୍ ଥର ହୋଇଛି, ଯେଉଁ ଫିଲ୍ମ ଆୟର ରେକର୍ଡ କରିଛି, ଏହା ଉପରେ ସାଂସ୍କୃତିକ ବିତର୍କ ମଧ୍ୟ ହୋଇଛି।

ଏମିତି କମ୍ ଥର ଦେଖିବାକୁ ମିଳିଛି ଯେ, କୌଣସି ଫିଲ୍ମର ପ୍ରଦର୍ଶନରେ ସଂସଦରୁ ନେଇ ସଡ଼କ ଯାଏ ରାଜନୀତି ହୋଇଛି ଏବଂ ସମାଜରେ ବଡ଼ ସ୍ତରରେ ଏହା ଉପରେ ବୌଦ୍ଧିକ ବିଚାର ବିମର୍ଶ ମଧ୍ୟ ହୋଇଛି। କିନ୍ତୁ ‘ଦ କଶ୍ମୀର ଫାଇଲ୍ସ’ ପରେ ‘ଦ କେରଳ ଷ୍ଟୋରୀ’ର କଣ୍ଟେଣ୍ଟ ଓ ପ୍ରସ୍ତୁତି ଏହାକୁ ସମ୍ଭବ କରି ଦେଖାଇଛି। ଏଥିପାଇଁ ଦୁଇ ଫିଲ୍ମର ଟିମ୍‌କୁ ବହୁତ ଲୋକ ଖୁବ୍ ଶୁଭେଚ୍ଛା ଦେଇଥିବା ବେଳେ ବହୁତ ଲୋକ ଟାର୍ଗେଟ୍ ମଧ୍ୟ କରି ଥିଲେ। ଏହି ସମର୍ଥନ ଓ ବିରୋଧ ମଧ୍ୟରେ ଏହି ଦୁଇ ଫିଲ୍ମର ଖୁବ୍ ଲାଭ ହୋଇଛି ଏବଂ ଏହା ଏକ ଟ୍ରେଣ୍ଡ ସୃଷ୍ଟି କରି ଥିଲା।

ହେଲେ ଆଜି ଦ କେରଲ ଷ୍ଟୋରୀ-୨ ଓ ଦ ବେଙ୍ଗଲ ଫାଇଲ୍ସ ଭଳି ଫିଲ୍ମ ମଧ୍ୟ ନିଷ୍ଫଳ ସାବ୍ୟସ୍ତ ହେଉଛି। ଏକ ତରଫା କିମ୍ବା ଘୃଣ୍ୟ ଦୃଷ୍ଟିକୋଣର ମାତ୍ରାଧିକ ସେବନ ସର୍ବଦା ପ୍ରଭାବଶାଳୀ ପ୍ରମାଣିତ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ପାଖାପାଖି ୫୦ କୋଟି ଟଙ୍କାରେ ନିର୍ମିତ ଦ ବେଙ୍ଗଲ ଫାଇଲ୍ସ ବକ୍ସ ଅଫିସରେ ଅଧା ଖର୍ଚ୍ଚ ମଧ୍ୟ ବାହାର କରି ପାରି ନାହିଁ। ସେପଟେ ପାଖାପାଖି ୨୫-୩୦ କୋଟି ଟଙ୍କାରେ ନିର୍ମିତ ଦ କେରଲ ଷ୍ଟୋରୀ -୨ ରିଲିଜର ତିନି ଦିନ ଭିତରେ ପ୍ରାୟ ୧୧ କୋଟି ଟଙ୍କା ଯାଏ ଆୟ କରିଛି।

ବିବାଦିତ ଫିଲ୍ମରୁ ଦର୍ଶକଙ୍କ ରୁଚି ହଟିଛି –

‘ଦ କେରଲ ଷ୍ଟୋରୀ-୨’ ପ୍ରାରମ୍ଭିକ ସମୟରୁ ହିଁ ବିବାଦରେ ରହିଛି। ଏହି କାରଣରୁ ଫିଲ୍ମରେ ପ୍ରଥମେ ନିର୍ଦ୍ଧାରିତ ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ଏହି ପ୍ରୋଜେକ୍ଟରୁ ଦୂରେଇ ଯାଇଥିଲେ, ଯିଏକି ୨୦୨୩ର ଦ କେରଲ ଷ୍ଟୋରୀର ନିର୍ଦ୍ଦେଶନା ଦେଇଥିଲେ। ମିଡ଼ିଆ ରିପୋର୍ଟସ ମୁତାବିକ, ସୁଦୀପ୍ତୋ ସେନ ଏହା କହି ନିଜକୁ ଦୂରେଇ ଦେଇଥିଲେ ଯେ, ଏଥିରେ ପର୍ଯ୍ୟାପ୍ତ ରିସର୍ଚ୍ଚ ହୋଇ ନାହିଁ। ସୁଦୀପ୍ତୋ ସେନଙ୍କ ଦ କେରଲ ଷ୍ଟୋରୀ ପାର୍ଟ -୨ ରୁ ବାହାରି ଥିବା ସବୁଠୁ ପ୍ରଥମ ଝଟକା ଥିଲା। ଏହାପରେ ଯେମିତି ହିଁ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଲା , ଏହାର କିଛି ତଥ୍ୟ ଓ ଦୃଶ୍ୟ ଉପରେ ଅଭିଯୋଗ କରାଗଲା। ବିବାଦ ବଢିଲା। ସିବିଏଫସି ପକ୍ଷରୁ ୧୫ରୁ ଅଧିକ କଟ୍ସ ଏବଂ କିଛି ତଥ୍ୟକୁ ମ୍ୟୁଟ୍ କରିବାର ନିର୍ଦ୍ଦେଶ ଦିଆଗଲା।

କେବଳ ଏତିକିରେ ଏହି ମାମଲା ଅଟକି ନଥିଲା। ରିଲିଜ ପୂର୍ବରୁ ଫିଲ୍ମକୁ କେରଲ ହାଇକୋର୍ଟରେ ଆଇନଗତ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଲା ଏବଂ ଯେବେ ଫିଲ୍ମ ଶନିବାର ଦେଖିବାକୁ ମିଳିଲା , ସେପର୍ଯ୍ୟନ୍ତ ବହୁତ ଡ଼େରି ହୋଇ ସାରିଥିଲା। ଲୋକଙ୍କ ମନ ଓ ରୁଚିରୁ ଏହି ଫିଲ୍ମ ହଟି ଯାଇଥିଲା।

ନିକଟରେ ଏମିତି ଅନେକ ଫିଲ୍ମ ଆସିଛି , ଯାହା ଉପରେ ପ୍ରୋପାଗେଣ୍ଡା ପ୍ରସାର କରିବାର ଅଭିଯୋଗ ହୋଇଥିଲା , ଏସବୁ ବକ୍ସ ଅଫିସରେ ମାଡ଼ ଖାଇ ଯାଇ ଥିଲେ। ଇନ୍ଦୁ ସରକାର ଠାରୁ ନେଇ ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର , ଦ ସାବରମତୀ ରିପୋର୍ଟ , ଆର୍ଟିକଲ ୩୭୦, ଜେଏନୟୁ, ହୁର ଆଦି ଯାଏ ଅନେକ ଏମିତି ଫିଲ୍ମ ଅଛନ୍ତି,ଯାହାଙ୍କୁ ଦର୍ଶକ ନାପସନ୍ଦ କରିଛନ୍ତି। ହେଲେ କାହିଁକି ? ଏହା ଏକ ମୁଖ୍ୟ ପ୍ରଶ୍ନବାଚୀ। ଏହି ଫିଲ୍ମ ନିର୍ମାଣ କୌଣସି ଦୁର୍ବଳ ସାବ୍ୟସ୍ତ ହେଲା ନା ଦର୍ଶକଙ୍କୁ ଏବେ ଏମିତି ଫିଲ୍ମରେ କୌଣସି ରୁଚି ନାହିଁ ? ଦର୍ଶକ ଏବେ ଛାବା , ଆନିମଲ କିମ୍ୱା ଧୁରନ୍ଧର ଭଳି ଫିଲ୍ମ ଦେଖିବାକୁ ଚାହାନ୍ତି,ଯାହାର ନିର୍ଦ୍ଦେଶନା , ଷ୍ଟୋରୀଲାଇନ୍ , ଆକ୍ଟିଂ, କାଷ୍ଟିଂ ଆଦିରେ ମେସେଜ୍ ସହ ମନୋରଞ୍ଜନକୁ ମଧ୍ୟ ଧ୍ୟାନ ଦିଆଯାଇ ଥିଲା। ବିନା ମନୋରଞ୍ଜନ ,ମେସେଜ୍ ପାଇଁ କୌଣସି ଫିଲ୍ମ ବୋଧହୁଏ ବକ୍ସ ଅଫିସରେ ସଫଳ ହୋଇପାରି ନାହିଁ।