ମାଲକାନଗିରି,୨୧/୦୩: ମାଲକାନଗିରି ଜିଲ୍ଲାର ପ୍ରାକୃତିକ ପରିବେଶ, ନଦୀ, ଝରଣା, ଜଙ୍ଗଲ ସବୁବେଳେ ଲୋକଙ୍କୁ ଆକର୍ଷିତ କରିଆସୁଛି । ସେଥିମଧ୍ୟରେ ରହିଛି ସପ୍ତଧାରା ନଦୀ । ଦୂରଦୂରାନ୍ତରୁ ଲୋକେ ନଦୀର ସୁନ୍ଦରତାକୁ ଉପଭୋଗ କରିବାକୁ ଆସୁଛନ୍ତି । ବର୍ତ୍ତମାନ ସପ୍ତଧାରା ନଦୀ ଧରଣୀ କୋଳରେ ଲୁପ୍ତ ହେବାକୁ ବସିଲାଣି । ଜଳଧାର ଶୁଖିଯାଇଥିବା ବେଳେ ନଦୀ ଭିତରେ କେବଳ ପଥରର ମୁଣ୍ଡ ଦିଶୁଛି । ସପ୍ତଧାରା ଶୁଖିବା ପରେ ତଟବର୍ତ୍ତୀ ସଂରକ୍ଷିତ ଜଙ୍ଗଲର ବନ୍ୟ ଜୀବଜନ୍ତୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ।

ନଦୀର ରକ୍ଷଣାବେକ୍ଷଣା ସହ ଜଳ ସଂରକ୍ଷଣ ଦିଗରେ ତୁରନ୍ତ ଧ୍ୟାନ ନ ଦେଲେ କିଛିବର୍ଷ ପରେ ଏହା ଇତିହାସ ପାଲଟିଯିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି ।   ସାତଟି ପାହାଡ଼ିଆ ଝରଣାର ସଙ୍ଗମରୁ ସୃଷ୍ଟି ହୋଇଥିବା ସପ୍ତଧାରା ଜିଲ୍ଲାର ଅନ୍ୟତମ ଚିରସ୍ରୋତା ନଦୀ । ଏହା ମାଲକାନଗିରିର ଜୀବନରେଖା ସଦୃଶ । ବର୍ଷ ତମାମ ନଦୀର ଉଭୟ କୂଳକୁ ଏହାର ଜଳରାଶି ଲଙ୍ଘିବାକୁ ପ୍ରୟାସ କରୁଥିଲା । ବର୍ଷା ଦିନରେ ୭ଟି ଶାଖା ନଦୀ ସହ ପାହାଡ଼ିଆ ଅଞ୍ଚଳର ପାଣି ସପ୍ତଧାରା ଦେଇ ପ୍ରବାହିତ ହେଉଥିବାରୁ ୩୨୬ ନଂ ଜାତୀୟ ରାଜପଥ ଉପରକୁ ମାଡ଼ି ଆସିଥାଏ । ବର୍ତ୍ତମାନ କିନ୍ତୁ ଏହା ଶୁଖିଲା ପଡିଛି । କେବଳ ବର୍ଷା ଦିନେ ଜଳସ୍ତର ବଢୁଥିବା ବେଳେ ଅନ୍ୟ ସମୟରେ ଏହା ଶୁଷ୍କ ହୋଇପଡ଼ୁଛି । ପ୍ରାୟ ୪୫ କିମିର ଏହି ନଦୀ କୋରାପୁଟ ଜିଲ୍ଲାର କିଛି ଅଂଶ ସହ ମାଲକାନଗିରି ଜିଲ୍ଲା ଦେଇ ପ୍ରବାହିତ ହୋଇଛି । ନଦୀ ତଟରେ ରହିଛି ଗାଜିଆଗୁଡ଼ା, ମେଣ୍ଡକୁଲି, ଚାଲାଣଗୁଡ଼ା, ଦଗାମ, ଧୁଙ୍ଗିଆପୁଟ ଭଳି ଅନେକ ଗାଁ । ଏସବୁ ସ୍ଥାନରେ ସେଚ ପ୍ରକଳ୍ପ ନିର୍ମାଣ କରାଯାଇଛି ।

ସପ୍ତଧାରା ଶୁଷ୍କ ହେବାର ପ୍ରମୁଖ କାରଣ ଉପରେ ପରିବେଶବିତ୍‌ କହିଛନ୍ତି, ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ନଦୀର ଉପରମୁଣ୍ଡରେ ପାହାଡ଼ ଭଙ୍ଗାଯାଇ ହୋଇଥିବା ବନ୍ଧ ନିର୍ମାଣ । ସେହିପରି ନଦୀତଟରେ ପ୍ରଚୁର ନୀଳଗିରି ଗଛ ଲଗାଯିବା, ସଂରକ୍ଷିତ ଜଙ୍ଗଲ ନଷ୍ଟ । ଘଞ୍ଚ ଅରଣ୍ୟ ଭିତର ଦେଇ ପ୍ରବାହିତ ସପ୍ତଧାରା ଜିଲ୍ଲାର ଅନନ୍ୟ ପର୍ଯ୍ୟଟନୀସ୍ଥଳୀ ଭାବେ ମଧ୍ୟ ପରିଚିତ । ବର୍ଷତମାମ ନଦୀକୂଳରେ ପର୍ଯ୍ୟଟକ ଭୋଜିଭାତ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇଥାନ୍ତି । ୨୦୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ଆକାଶମାର୍ଗରୁ ସପ୍ତଧାରାର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ ଟୁଇଟ୍‌ କରି ଏହି ସ୍ଥାନର ବେଶ୍‌ ପ୍ରଶଂସା କରିଥିଲେ । ଏହାର ବିକାଶ ସହ ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ ।

ଆହୁରି ପଢନ୍ତୁ-ଜାପାନୀ ଶୈଳୀରେ ଘଞ୍ଚ ଜଙ୍ଗଲ, ୨ ହେକ୍ଟର ଜମିରେ ସୃଷ୍ଟି ହେଲା ବିଶାଳ ବନାନୀ

ଏଯାବତ୍‌ ଏହା କାର୍ଯ୍ୟକାରୀ ହୋଇପାରିନି । ସମୟକ୍ରମେ ନଦୀର ଜଳଧାରା କମିବାରେ ଲାଗିଥିବାରୁ ପୂର୍ବ ଭଳି ଆଉ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଏଠାରେ ଜମୁନି । ପର୍ଯ୍ୟଟନ ବିଭାଗ ପକ୍ଷରୁ ସପ୍ତଧାରା ପିକନିକ୍‌ ପଏଣ୍ଟ୍‌ରେ କୌଣସି ସୁବିଧା କରାଯାଇନି । କେବଳ ଗୋଟିଏ ବୋର୍ଡ ଲଗାଇ ବିଭାଗ କାମ ସାରି ଦେଇଛି । ଅନ୍ୟପକ୍ଷେ ନଦୀ ଶୁଖିବା ପରେ ବନ୍ୟ ଜୀବଜନ୍ତୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ନଦୀର ତ୍ୱରିତ ରକ୍ଷଣାବେକ୍ଷଣା ସହ ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଏହା ଇତିହାସ ପାଲଟିଯିବ । ରାଜ୍ୟ ସରକାର ସପ୍ତଧାରାକୁ ତୁରନ୍ତ ସୁରକ୍ଷା ଯୋଗାଇବା ସହ ପର୍ଯ୍ୟଟନ ବିଭାଗ ମଧ୍ୟ ଦୃଷ୍ଟି ଦେବାକୁ ଦାବି ହୋଇଛି ।