ଭୁବନେଶ୍ୱର ୧୩/୦୬: ଶନିବାର ସଜବାଜ, ରବିବାର ପହିଲି ରଜ । ସେଥିପାଇଁ ଉତ୍ସବ ମୁଖର ହୋଇ ଉଠିଲାଣି ପୂରା ରାଜଧାନୀ । କିଏ ଡ୍ରେସ୍ କିଣିବାରେ ବ୍ୟସ୍ତ ତ କିଏ ବିଭିନ୍ନ ପ୍ରସାଧନ ସାମଗ୍ରୀ । ରଜ ୩ ଦିନ କିଏ କେଉଁ ଢଙ୍ଗରେ ପାଳିବେ ସେଥିପାଇଁ ସରିଲାଣି ଯୋଜନା । ଖାଲି ସେତିକି ନୁହେଁ ରଜ ପାନ ବିକ୍ରି ହେବା ପାଇଁ ବିଭିନ୍ନ ଛକରେ ଅସ୍ଥାୟୀ ଟେଣ୍ଟ୍ ବନ୍ଧା ହେଲାଣି । ଅନେକ ଦୋକାନୀ ପିଠା ପାଇଁ ଆଗୁଆ ବୁକିଂ ନେବା ମଧ୍ୟ ଆରମ୍ଭ କରିଦେଲେଣି । ରଜ ପାଇଁ ସପିଙ୍ଗ୍ ମଲ୍ଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନରେ କିଣାକିଣି ପାଇଁ ଝିଅମାନଙ୍କ ଗହଳି ଜମୁଛି । ଗ୍ରାହକମାନଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ମଲ୍, ଅଳଙ୍କାର ଦୋକାନରେ ସୁନ୍ଦର ସାଜସଜ୍ଜା ସହିତ ଦୋଳି ବନ୍ଧା ହୋଇଛି ।
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ... । "ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁଥାଇ ଝଟ ଝଟ... । ରଜ ଦୋଳି ଝୁଲିଲାଣି ଖେଳିବାକୁ ଯିବା ସାଙ୍ଗ ଭଉଣୀ ବଉଳ ଲୋ... । ଆଦି ନାନା ଗୀତ ଭାସିଆସେ ଗାଁ ଆମ୍ବତୋଟରୁ । ଯାହା ଶୁଣି ମନରେ ଆନନ୍ଦ ଉଲ୍ଲାସର ଲହରି ଖେଳିଯାଏ । ଛୋଟଠୁ ନେଇ ବଡ଼ ସଭିଏଁ ମଜିଯାଆନ୍ତି ରଜ ମଉଜରେ । ଗୀତର ତାଳେ ତାଳେ ମିଠାପାନ ଓ ପିଠା ଖାଇ ସଭିଁଏ ପାଳନ୍ତି ପର୍ବ । ପାଦରେ ଅଳତା, ହାତରେ ମେହେନ୍ଦି ଓ ଗଭାରେ ଗଜରା ଲଗାଇ ଝିଅମାନେ ଖେଳନ୍ତି ଦୋଳି । ଏହା ଝିଅମାନଙ୍କ ପର୍ବ କୁହାଯାଉଥିଲେ ହେଁ, ଏହାକୁ ସବୁ ବର୍ଗର ଲୋକେ ପାଳନ କିରନ୍ତି । ଏହାକୁ ଗଣପର୍ବ ବୋଲି ମଧ୍ୟ କୁହାଯାଏ ।
ପର୍ଲରରେ ଗହଳ
ରଜରେ ନିଜକୁ ଟିକେ ଆହୁରି ସୁନ୍ଦର କରିବା ପାଇଁ ଝିଅମାନଙ୍କ ଗହଳି ଲାଗୁଛି ପାର୍ଲରେ । କିଏ ଫେସିଆଲ ହେବାକୁ ଯାଉଛନ୍ତି ତ କିଏ ବ୍ଲିଚ୍ କରିବାକୁ ତ କିଏ ହେୟାର ସ୍ମୁଦ୍ନିଂ । ସେଥିପାଇଁ ପାର୍ଲରେ ମିଳୁଛି ଅଫର । କେଉଁ ପାର୍ଲର ୧୫ ପ୍ରତିଶତ ରିହାତି ଦେଉଛନ୍ତି ତ କେଉଁଠି ୩୦ ପ୍ରତିଶତ । ଏହି ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଝିଅମାନେ ସାଙ୍ଗସାଥୀ ଧରି ପାର୍ଲରେ ପହଞ୍ଚୁଛନ୍ତି ।
ଲୋକଙ୍କ ପସନ୍ଦ ହର୍ବାଲ ପାନ
ରଜରେ ସମସ୍ତେ ପାନ ଖଣ୍ଡିଏ ଖାଇଥାନ୍ତି । ପାନ କେବଳ ଏକ ପତ୍ର ନୁହେଁ ଏହା ହେଉଛି ଏକ ପରମ୍ପରା । ଯାହାର ଆଦର ରଜ ୩ ଦିନରେ ବେଶ୍ ଅଧିକ । ରଜ ଆସିଲେ ପାନ ଦୋକାନୀଙ୍କ ବେପାରରେ ଭଲ ହୋଇଥାଏ । ଚଳିତ ବର୍ଷ ରଜରେ ସବୁଠାରୁ ଅଧିକ ଚାହିଦାରେ ରହିଛି ହର୍ବାଲ ଓ ଆୟୁର୍ବେଦିକ୍ ପାନ । ଯେଉଁଥିରେ ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ବିଭିନ୍ନ ଜଡ଼ିବୁଟି ପିପଳି, ଅଁଳା, ଅଦା, ପୋଦିନାଗୁଣ୍ଡ, ଲବଙ୍ଗ.....ଆଦି ବିଭିନ୍ନ ପ୍ରକାର ମସଲା ଦିଆଯାଇଥାଏ । ଚଳିତ ବର୍ଷ ରଜରେ ‘ଡାଇଜେଷ୍ଟିଭ୍’ ପାନ ସାଜିବ ମୁଖ୍ୟ ଆକର୍ଷଣ । ସେହିପରି ହ୍ୱାଇଟ୍ ଚକ୍ଲେଟ୍ ପାନ, ଡାର୍କ ଚକୋଲେଟ୍ ପାନ, ମ୍ୟାଙ୍ଗୋ ପାନ, ଗୁପ୍ଚୁପ୍ ପାନ, ପାଇନ୍ଆପୁଲ ପାନ, ଲଡ୍ଡୁ ପାନ, ମିଠା ପାନ, ଆୟୁର୍ବେଦିକ୍ ପାନ, ମହାରାଜା ପାନ, ଶତରଙ୍ଗୀ ପାନ ଓ ଫାୟାର ପାନ ଭଳି ୧୦୦ରୁ ଅଧିକ ପ୍ରକାରର ପାନ ମିଳୁଛି । ଏହି ପାନର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ହଜାରେ ଟଙ୍କା ପର୍ଯ୍ୟନ୍ତ ।
ଅଧିକ ପଢ଼ନ୍ତୁ :- Raja 2026 : ରଜ ପାଇଁ ସହରରେ ମେହେନ୍ଦି ସଜ, ଟ୍ରେଣ୍ଡରେ ନୂଆ ନୂଆ ଡିଜାଇନ୍, ୧୫ ଦିନ ଆଗରୁ କାରିଗରଙ୍କୁ ବୁକିଂ
ସେହିଭଳି ଛୋଟପିଲାମାନଙ୍କ ପାଇଁ କିଟ୍କାଟ୍ ପାନ, ଚୋକୋଚିପ୍ ପାନ, ଡେରିମିଲ୍କ ପାନ ରହିଛି । ବିଶେଷକରି କର୍ପୋରେଟ୍ ସେକ୍ଟର ଓ ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ୟାକିଙ୍ଗ୍ ହୋଇଥିବା ପାନର ବରାଦି ମଧ୍ୟ ରହୁଛି । ଯାହର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏପରିକି ଏହି ପାନଗୁଡ଼ିକୁ ଅନଲାଇନ୍ରେ ମଧ୍ୟ ଅଡର କରିହେଉଛି । ସହିଦନଗରରେ ଥିବା ବନାରସୀ ପାନ ଭଣ୍ଡାର ଦୋକାନୀ ରମାକାନ୍ତ ସେନାପତି କୁହନ୍ତି, ପ୍ରତ୍ୟେକ ବର୍ଷ ରଜ ଆସିଲାକ୍ଷଣି ଲୋକମାନେ ଖଣ୍ଡେ ହେଉ ପଛେ ପାନ ଖାଇବାକୁ ପସନ୍ଦ କରନ୍ତି । ଛୋଟ ପିଲାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ନ୍ତି ନାହିଁ । ତେଣୁ ଛୋଟ ପିଲାମାନଙ୍କ ନିମନ୍ତେ ପାନ ମଧ୍ୟ ରଖିଛୁ । ବିଭିନ୍ନ କର୍ପୋରେଟ୍ ଅଫିସ୍ରୁ ପାନର ବରାଦି ଆସିସାରିଲାଣି ।