ଉତ୍ତରପ୍ରଦେଶ ୨୩/୧୨: ଉତ୍ତରପ୍ରଦେଶ କୁଶୀନଗରର ଜଣେ ଯୁବକ ପରିବାରର ଭଲପାଇବା ପରଖିବା ଲାଗି ନିକଟରେ ନିଜ ଅପହରଣ ନାଟକ ରଚିଥିଲେ । ପୁଲିସ ସେହି ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଡିସେମ୍ବର ୨୦ ତାରିଖରେ ପୁଲିସର ୧୧୨ ହେଲପଲାଇନ୍‌ ନମ୍ବରକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ଅନୁପ ପଟେଲ ଭାବେ ଦର୍ଶାଇଥିଲେ । ତାଙ୍କୁ ଗୋମତୀନଗର ରେଲୱେ ଷ୍ଟେସନ୍‌ ନିକଟରେ ଅପହରଣ କରାଯାଇଥିବା ସେ ଦର୍ଶାଇଥିଲେ । ଏହାପରେ ମାମଲାର ପର୍ଦ୍ଦାଫାଶ କରିବାକୁ ତୁରନ୍ତ ଏକ ଟିମ୍‌ ମୁତୟନ କରିଥିଲା ପୁଲିସ । 

ପଟେଲଙ୍କ ପକ୍ଷରୁ ଦିଆଯାଇଥିବା ଫୋନ୍‌ ନମ୍ବର ଆଧାରରେ ପୁଲିସ ତାଙ୍କର ଲୋକେସନ୍‌ ଟ୍ରାକ୍‌ କରି ପାରା ଅଞ୍ଚଳରେ ତାଙ୍କୁ ଠାବ କରିଥିଲା । ତାହା ଅପରାଧସ୍ଥଳଠାରୁ ଅନେକ ଦୂରରେ ଥିଲା । ପୁଲିସ ସେହି ସ୍ଥାନକୁ ପହଞ୍ଚିବାବେଳକୁ ପଟେଲ ଆରାମରେ ବସିଥିଲେ । ଜେରା ସମୟରେ ସେ ନିଜର କାରନାମା ସଂପର୍କରେ ସ୍ୱୀକାର କରିଛନ୍ତି । ଗୋମତୀନଗର ଏସ୍‌ଏଚ୍‌ଓ ରାଜେଶ ତ୍ରିପାଠୀ କହିଛନ୍ତି, ରେଲୱେର ଏକ ଟେକ୍ନିକାଲ୍‌ ପରୀକ୍ଷା ଦେବାକୁ ଅନୁପ ପଟେଲ କୁଶୀନଗରରୁ ଲକ୍ଷ୍ନୌ ଆସିଥିଲେ । ଗୋମତୀନଗରରେ ପହଞ୍ଚିବାପରେ ପରିବାର ଲୋକେ ତାଙ୍କୁ ପ୍ରକୃତରେ କେତେ ଭଲ ପାଆନ୍ତି ତାହା ପରଖିବାକୁ ସେ ଚିନ୍ତା କଲେ । ଯଦି ସେ ନିଖୋଜ ହୋଇଯାଆନ୍ତି ତେବେ ପରିବାର ଲୋକେ ତାଙ୍କ ବିଷୟରେ ଚିନ୍ତିତ ହେବେ କି ନାହିଁ ତାହା ଜାଣିବା ଲାଗି ନିଜ ଅପହରଣର ମିଥ୍ୟା ନାଟକ ରଚିଥିଲେ ସେ । ତେବେ ଏଭଳି କାଣ୍ଡ ଦ୍ୱାରା ଆଇନ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହା ମଧ୍ୟ ତାଙ୍କ ପରିବାରର ସମ୍ମାନ ହାନି କରିଛି ।