ଅନୁଗୁଳ, ୨୮/୧୧ (ଲିଟୁନ୍ କୁମାର ସାହୁ): ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଗାଁ’କୁ ଆଦର୍ଶ ଗ୍ରାମର ମାନ୍ୟତା ଦେଇଛନ୍ତି ସରକାର। କେବଳ ମାନ୍ୟତା ଦେଇନାହାନ୍ତି, କବିଙ୍କ ସ୍ମୃତି ସାଇତି ରଖିବା ସହିତ ଗାଁ’ର ଉନ୍ନତୀକରଣ ପାଇଁ ଅନୁଦାନ ଅଜାଡ଼ି ଦେଇଛନ୍ତି । ହେଲେ ବିଡ଼ମ୍ବନାର କଥା, ଜିଲ୍ଲା ପ୍ରଶାସନର ଏଥିପ୍ରତି ଚରମ ଉଦାସୀନତା ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ପାଣ୍ଠି ପଡ଼ିରହିଛି, ମାସ ପରେ ମାସ ବିତୁଛି, କିନ୍ତୁ ଉନ୍ନତୀକରଣ କାମ ସରିବାର ନାଁ’ ନେଉନି । ଇତିମଧ୍ୟରେ ସଂସ୍କୃତି ବିଭାଗ କବିଙ୍କ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ନିର୍ମାଣ ଶେଷ କରିଥିବା ବେଳେ ଅତିରିକ୍ତ ୧୮ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛି । କିନ୍ତୁ ବଅଁରପାଳ ବ୍ଲକ ପ୍ରଶାସନର ଉଦାସୀନତା କାରଣରୁ ଉନ୍ନତିକରଣ କାମ ଆଗେଇପାରୁନି । ଯାହାକୁ ନେଇ ସଂସ୍କୃତି ପ୍ରେମୀ ଓ କଲଣ୍ଡାପାଳ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବଅଁରପାଳ ବ୍ଲକ୍ କଲଣ୍ଡାପାଳ ଗ୍ରାମରେ ୧୯୧୧ ଅଗଷ୍ଟ ୨୫ ଗାଥା କବିତା ଓ ମନୋଜ୍ଞ ଛନ୍ଦ ବିନ୍ୟାସର ବିନ୍ଧାଣୀ ରାଧାମୋହନ ଜନ୍ମଗ୍ରହଣ କରିଥିଲେ । କବିଙ୍କ କାଳଜୟୀ କବିତା ଅନୁଗୁଳ ମାଟିକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ବର୍ଷ ବର୍ଷ ଧରି କବିଙ୍କ ଜନ୍ମସ୍ଥାନ କଲଣ୍ଡାପାଳ ଅବହେଳିତ ହୋଇ ରହିବା ପରେ ୨୦୨୩ରେ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡ଼ିଥିଲା । ରାଜ୍ୟ ସରକାର କବିବରଙ୍କ ଗାଁ’କୁ ଆଦର୍ଶ ଗାଁ’ ରୂପେ ଚିହ୍ନଟ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଉନ୍ନତୀକରଣ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ଆଦର୍ଶ ଗ୍ରାମର ଉନ୍ନତୀକରଣ ପାଇଁ ପ୍ରଶାସନ ସ୍ୱତନ୍ତ୍ର କମିଟି ଗଢ଼ିଥିଲା । ବଅଁରପାଳ ବ୍ଲକ୍ ଅଧ୍ୟକ୍ଷ ବିଜୟ ନାଥ କମିଟିର ଅଧ୍ୟକ୍ଷ ରହିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ, କଲଣ୍ଡାପାଳ ସରପଞ୍ଚ, ଗ୍ରାମ ସଭାପତି, ଗ୍ରାମ ସମ୍ପାଦକ, ଜିଲ୍ଲା ସାହିତ୍ୟ ସଂସଦର ଦୁଇ ସଦସ୍ୟଙ୍କୁ ମିଶାଇ ମୋଟ୍ ୯ ଜଣଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ବଅଁରପାଳ ବିଡିଓ ଏହାର ଉପଦେଷ୍ଟା ରହିଛନ୍ତି ।

ବରପୁତ୍ରଙ୍କ ଗାଁ’ର ପ୍ରବେଶ ପଥରେ କବିଙ୍କ ନାମଫଳକ, ଜନ୍ମସ୍ଥାନରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ, ପ୍ରତିମୂର୍ତ୍ତି ସ୍ଥାପନ ସ୍ଥାନର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ପାଠାଗାର, ଗାଁ’ର ରାସ୍ତାଘାଟ, ପାନୀୟ ଜଳ ବ୍ୟବସ୍ଥା ଓ ପରିମଳର ସୁଧାର ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଇତିମଧ୍ୟରେ ଅଢ଼େଇ ବର୍ଷକୁ ଅଧିକ ସମୟ ବିତିଲାଣି, ଅଥଚ କାମ ଆଗେଇ ପାରୁନି । କବିଙ୍କ ଗାଁ’ର ଉନ୍ନତିକରଣ ପାଇଁ ସରକାର ଆଉ ୧୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ହେଲେ ସଂସ୍କୃତି ବିଭାଗ ଓ ବ୍ଲକ ପ୍ରଶାସନର ତାଳମେଳ ଅଭାବରୁ ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନି । ବ୍ଲକ ପ୍ରଶାସନ ପ୍ରଥମ ଦଫାରେ ନେଇଥିବା ୧୦ ଲକ୍ଷ ଟଙ୍କାର କାର୍ଯ୍ୟ ଏଯାବତ୍ ଶେଷ କରିପାରିନି । ଦାୟିତ୍ୱ ଦେଇ ସଂସ୍କୃତି ବିଭାଗ ଚୁପ୍ ବସି ପଡିଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଁ ଚୁଁ କରୁନାହିଁ । ଫଳରେ ଅନୁଦାନ ପଡି ରହିଥିଲେ ହେଁ ଆଦର୍ଶ ଗାଁ’ର ଭାଗ୍ୟ ଫିଟି ପାରୁନାହିଁ ।

ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ କହିଛନ୍ତି, କବି ରାଧାମୋହନ ଗଡ଼ନାୟକଙ୍କ ଗ୍ରାମରେ ସ୍ଥାପିତ ହେବାକୁ ଥିବା ପ୍ରତିମୂର୍ତ୍ତି ନିର୍ମାଣ ସରିଛି । ସରକାର ୨୦ ଲକ୍ଷ ବାଦ୍ ପରବର୍ତ୍ତୀ ସମୟରେ ଆଉ ୧୮ ଲକ୍ଷ ଟଙ୍କା ଦେଇଛନ୍ତି । ହେଲେ ବ୍ଲକ ପ୍ରଶାସନ ପକ୍ଷରୁ ଚାଲିଥିବା ଉନ୍ନତିକରଣ କାମରେ ଅହେତୁକ ବିଳମ୍ବ ହେଉଛି । ବ୍ଲକ ପ୍ରଶାସନ ପ୍ରଥମେ ମାଗିଥିବା ଏଷ୍ଟିମେଟ୍ ଅନୁଯାୟୀ ୧୦ ଲକ୍ଷ ଟଙ୍କା ଦିଆଯାଇଛି । ଏହି ୧୦ ଲକ୍ଷ ଟଙ୍କାର କାମ ଶେଷ ହେବା ପରେ ପରବର୍ତ୍ତୀ କାମ ପାଇଁ ଅନୁଦାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ବଅଁରପାଳ ବିଡିଓ ଲୋଚନ ଦାସଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ସମ୍ଭବ ହୋଇପାରିନାହିଁ ।